ସ୍ତ୍ରୀଙ୍କୁ ପିଟି ପିଟି ମାରିଦେବା ପରେ ଥାନାରେ ଆତ୍ମ ସମର୍ପଣ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ମଦନିଶା ଯେ କେତେ ଭୟଙ୍କର, ତାହା ପୁଣି ପ୍ରମାଣିତ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ଗୋପୀନାଥପୁର ନୂଆସାହି ଆଦିବାସୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ନିଶାସକ୍ତ ହୋଇ ସ୍ତ୍ରୀଙ୍କୁ ପିଟି ପିଟି ମାରି ଦେଲେ । ପରେ ନିଶା ଛାଡ଼ିବାରୁ ନୀଳଗିରି ଥାନାରେ ଆତ୍ମସମର୍ପଣ କଲେ । ନୀଳଗିରି ଏନଏସି ଅଧୀନ ଗୋପୀନାଥପୁର ନୂଆସାହି ଆଦିବାସୀ ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ସିଂ ନାମକ ଯୁବକ ପରିବାର ସହ ରୁହନ୍ତି । ପୂର୍ଣ୍ଣଚନ୍ଦ୍ର ୪ଟି ବିବାହ ହୋଇଛନ୍ତି । ପୂର୍ବରୁ ତାଙ୍କର ଦୁଇଟି ସ୍ତ୍ରୀ କୌଣସି କାରଣରୁ ମୃତୁ୍ୟବରଣ କରିଥିଲେ । ପରେ ଆଉ ଜଣକୁ ବିବାହ କରିବା ପରେ ମଧ୍ୟ ସୁକାନ୍ତି ନାମକ ସମ୍ପର୍କୀୟ ମହିଳାଙ୍କୁ ବିବାହ ହୋଇଥିଲେ । ଦୁଇ ଜଣ ସ୍ତ୍ରୀଙ୍କୁ ନେଇ ଘରେ ରଖିଥିଲେ । ବାରମ୍ବାର ପୂର୍ଣ୍ଣଚନ୍ଦ୍ର ନିଶାସକ୍ତ ହୋଇ ସୁକାନ୍ତିଙ୍କୁ ନିର୍ଯାତନା ଦିଅନ୍ତି । ନିଶାସକ୍ତ ଅବସ୍ଥାରେ ସୋମବାର ରାତିରେ ତାଙ୍କର ସୁକାନ୍ତି ସହିତ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ପୂର୍ଣ୍ଣଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ସୁକାନ୍ତିଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବାରୁ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଆଜି ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କର ନିଶା ଛାଡ଼ି ନିଦଭାଙ୍ଗିବାରୁ ସ୍ତ୍ରୀ ମରି ପଡ଼ିଥିବା ଦେଖି ପାଦତଳୁ ମାଟି ଖସି ଯାଇଥିଲା । ପଶ୍ଚାତାପ କରିଥିଲେ । ମୃତ ସୁକାନ୍ତିଙ୍କୁ ଘର ପିଣ୍ଡାରେ ଶୁଆଇ ଦେଇ ନୀଳଗିରି ଥାନାରେ ଆତ୍ମସମର୍ପଣ କରିଥିଲେ । ନୀଳଗିରି ଆଇଆଇସି ନଳିତା ମୋଦି ଓ ଏସ୍ଆଇ ବାସୁଦେବ ଜୟସିଂହ ମୃତଦେହ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇଥିଲେ । ତେବେ ଏଭଳି ଘଟଣା ବିଳମ୍ବିତ ରାତିରେ ଘଟିଥିବାରୁ କେହି ଜାଣି ନଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଆମ୍ବଝର ଅଞ୍ଚଳରେ ବିବାହ ହୋଇଥିବା ସୁକାନ୍ତିଙ୍କ ଝିଅ ଏତଲା ଦେବା ପରେ ପୁଲିସ ୨୬୬ ନଂରେ ମାମଲା ରୁଜୁ ସହ ଧାରା ୩୦୨ରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୁଧବାର ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ପ୍ରକାଶ ଯୋଗ୍ୟ, ଗୋପୀନାଥପୁର ଗ୍ରାମରେ ଚୋରା ମଦକାରବାର ବୃଦ୍ଧି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଚୁପ୍ ବସିଛନ୍ତି । ଏଣୁ ଅଞ୍ଚଳରେ ନିଶାସକ୍ତମାନେ ପଥଭ୍ରଷ୍ଟ ହୋଇ ପରିବାରରେ ଅଘଟଣ ଘଟାଉଥିବା ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons