ବ୍ରହ୍ମପୁର, (ବି.ବି.ନୁ୍ୟଜ): କରୋନା ସଂକ୍ରମଣ ଆଶଙ୍କା ସତ୍ତେ୍ୱ ସୁରଟକୁ ଯାଇଛନ୍ତି ଗଞ୍ଜାମ ଜିଲ୍ଲାର ୧୨ଶହରୁ ଊଦ୍ଧ୍ୱର୍ ସୁତାକଳ ଶ୍ରମିକ । ସୁରଟରେ ଥିବା ଆଜୀବିକା ବୁ୍ୟରୋର ଶ୍ରମିକ ସଙ୍ଗଠନ ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ ଦ୍ୱାରା ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇ ଥିଲା । ହୋମ୍ ଫାଷ୍ଟ ନାମକ ଏକ ସଙ୍ଗଠନ ଦ୍ୱାରା ଏଥିପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି । ଫଳରେ ପୂର୍ବରୁ ଚିହ୍ନଟ ତଥା ପଞ୍ଜୀକୃତ ଶ୍ରମିକମାନେ ମାଗଣାରେ ସପରିବାର ତଥା ବନ୍ଧୁବାନ୍ଧବ, ଗାଁର ଅନ୍ୟ ଲୋକଙ୍କ ସହ ଟ୍ରେନ୍ରେ ସୁରଟ ଯାତ୍ରା କରିଛନ୍ତି । ବୁଧବାର ରାତି ୯ଟା ୩୦ରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍ରୁ ଯାତ୍ରାରମ୍ଭ କରିଛି । ଶୁକ୍ରବାର ସକାଳେ ସେଠାରେ ପହଞ୍ଚିବ ।
ଟ୍ରେନ୍ରେ ଯାତ୍ରା କରିବା ପାଇଁ ଶ୍ରମିକମାନେ ଏକାକୀ, ସପରିବାର, ଗାଁ ଲୋକଙ୍କ ସହ ବୁଧବାର ଦିନ ବେଳା ବ୍ରହ୍ମପୁର ଷ୍ଟେସନ୍ ଅଭିମୁଖେ ଗାଁରୁ ବାହାରିଥିଲେ । ସୁରଟରୁ ଉକ୍ତ ଟ୍ରେନ୍ (ପାୱାର୍ଲୁମ୍ ୱର୍କର୍ସ ଏକ୍ସପ୍ରେସ୍) ଆସି ବ୍ରହ୍ମପୁର ଷ୍ଟେସନ୍ ପ୍ଲାଟ୍ଫର୍ମ-୪ରେ ସନ୍ଧ୍ୟା ପ୍ରାୟ ୫ଟାରେ ଲାଗିଥିଲା । ଅପେକ୍ଷାରତ ଶ୍ରମିକମାନଙ୍କ ଥର୍ମାଲ୍ ସ୍କ୍ରିନିଂ, ଅକ୍ସିମିଟର୍ ଯାଞ୍ଚ କରାଯାଇ ଟ୍ରେନ୍ରେ ବସିବାକୁ ଛଡାଯାଇଥିଲା । ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଷ୍ଟେସନ୍ କର୍ତ୍ତୃପକ୍ଷଙ୍କୁ ଏଥିରେ ସହଯୋଗ କରିଥିଲେ । ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ସାନିଟାଇଜର୍ ଦେଇଥିଲା ମଞ୍ଚ । ସୁରଟରେ ପହଞ୍ଚିବା ପରେ ସେଠାରେ ପୁଣି ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ପରେ ଯିଏ ଯେଉଁ ଅଞ୍ଚଳରେ ରହୁଥିଲେ ସେଠାକୁ ଯିବେ ତଥା ପୂର୍ବରୁ ଯେଉଁ ସୁତାକଳ ବା କାରଖାନାରେ କାମ କରୁଥିଲେ ସେଠି ପୁଣି କାମ ଆରମ୍ଭ କରିବେ ବୋଲି ଜଣାଯାଇଛି । ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସ୍ୱତନ୍ତ୍ର ବସ୍, ବିଭିନ୍ନ ଟ୍ରେନ୍ ଯୋଗେ ଶ୍ରମିକମାନେ ସୁରଟ ଫେରିଥିଲେ । କିନ୍ତୁ ଏକାଥରରେ ଏତେ ଶ୍ରମିକ ଓ କୌଣସି ଘରୋଇ ସଙ୍ଗଠନ ଦ୍ୱାରା ବୁକିଂ ଟ୍ରେନ୍ରେ ସୁରଟ ଯାତ୍ରା କରିବା ପ୍ରଥମ ଘଟଣା । ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଜୀବିକା ପାଇଁ ଏବେ ଗଞ୍ଜାମ ଜିଲ୍ଲାର ଦାଦନ ପୁଣି ସୁରଟମୁହାଁ ହୋଇଛନ୍ତି ।
ସୁରଟର ଆଜୀବିକା ବୁ୍ୟରୋ ସଦସ୍ୟ ତଥା ବାଣାୟତ ଓଡ଼ିଆ ସମାଜ ସୁରଟ ତାଲୁକା ଉପସଭାପତି ଶ୍ରୀକାନ୍ତ ରାଉତ କହିଛନ୍ତି ଯେ- ପ୍ରାୟ ଅଢେ଼ଇ ମାସ ତଳୁ ଏହି ପ୍ରୟାସ ଚାଲିଥିଲା । ଯେଉଁ ଶ୍ରମିକମାନେ ଅର୍ଥ ଅଭାବରୁ ସୁରଟ ଫେରି ପାରୁନାହାନ୍ତି କିମ୍ବା କମ୍ ଟ୍ରେନ୍ ଚଳାଚଳ ହେତୁ ଟିକଟ ପାଇପାରୁ ନାହାନ୍ତି ସେମାନେ ଏଥିପାଇଁ ଶ୍ରମିକ ସୁରକ୍ଷା ମଞ୍ଚ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଆଇଆର୍ସିଟିସି ଠାରେ ୯ ଲକ୍ଷ ଟଙ୍କା ଜମା ସାଙ୍ଗକୁ ମୋଟ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ୟବସ୍ଥା କରାଯାଇଛି । ତେବେ ସମସ୍ତ ଅର୍ଥ ବହନ କରୁଛି ହୋମ୍ ଫାଷ୍ଟ କମ୍ପାନୀ । ଶ୍ରମିକମାନେ ନିଜସ୍ୱ ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି । ଏ ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁରଟ ମୁ୍ୟନିସିପାଲ୍ କର୍ପୋରେସନ୍ କମିଶନର୍ ତଥା ମୂଳତଃ ଓଡ଼ିଆ ଅଧିକାରୀ ବା‚ାନିଧି ପାଣି ସହଯୋଗ କରିଥିବା ସେ କହିଛନ୍ତି । ସେହିପରି ଅନ୍ୟ ଜଣେ କର୍ମକର୍ତ୍ତା (ମୂଳତଃ ହିଞ୍ଜିିକାଟୁ ନିକଟ ବୁରୁପୋଡା) ଶିବ ମଳିକ କହିଛନ୍ତି ଯେ- ଆମେ କିଛି କର୍ମକର୍ତ୍ତା ଦୁଇ ମାସ ତଳୁ ଗଞ୍ଜାମ ଜିଲ୍ଲାକୁ ଆସିଥିଲୁ । ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହ ମିଶି ନଳବଣ୍ଟା, ଦିଗିଶାଳ, ବୋଲସର, ବୋଲମୁଣ୍ଡୁଳା ଆଦି ସ୍ଥାନରେ କାଉଣ୍ଟର୍ ଲଗାଇଥିଲୁ । ଗାଁ ଗାଁ ବୁଲି ଲୋକଙ୍କୁ ଟୋକନ୍ ବାଣ୍ଟିଥିଲୁ । ପ୍ରଥମେ ଲୋକେ ତ ମାଗଣାରେ ଯିବେ ବୋଲି କହିବାରୁ ବିଶ୍ୱାସ କରି ନଥିଲେ । ସେ ଯାହାହେଉ ୨୦ ତାରିଖ ସୁଦ୍ଧା ଟୋକନ୍ ବଣ୍ଟା ସରିଥିଲା । ସୁରଟରେ ପହଞ୍ଚିବା ପରେ ସୁବିଧା ଅସୁବିଧା କଥା ପ୍ରବାସୀ ସୁରକ୍ଷା ମଞ୍ଚ ବୁଝିବ ।
ବ୍ରହ୍ମପୁର ଷ୍ଟେସନ୍ ମ୍ୟାନେଜର୍ ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି ଯେ- ଟ୍ରେନ୍ଟି ସୁରଟରୁ ୨୪ ତାରିଖରେ ବାହାରିଥିଲା । ବୁଧବାର ୫ଟାରେ ବ୍ରହ୍ମପୁର ୪ ନମ୍ବର ପ୍ଲାଟ୍ଫର୍ମରେ ଲାଗିଥିଲା ଓ ସାଢେ ୯ଟାରେ ଛାଡିଥିଲା । ସୁରଟର ପ୍ରବାସୀ ସୁରକ୍ଷା ମଞ୍ଚ ନାମକ ସଙ୍ଗଠନ ଟ୍ରେନ୍ ବ୍ୟବସ୍ଥା କରିବା ସହ ଯାତ୍ରୀଙ୍କ ଭଲମନ୍ଦ ବୁଝୁଛି । ଜିଲ୍ଲାର ଗାଁ ଗହଳିର ଲୋକଙ୍କୁ ମାଗଣାରେ ଯାତ୍ରା କରାଇ ନେଉଛନ୍ତି ମଞ୍ଚ କର୍ମକର୍ତ୍ତା । ଆମ ଦ୍ୱାରା ଯାହା କାର୍ଯ୍ୟ କରାଯିବା କଥା ସବୁ ସୁବିଧା, ସ୍ୱାସ୍ଥ୍ୟ ଯାଞ୍ଚ ଆଦି କରାଯାଇଛି ।


Comments are closed, but trackbacks and pingbacks are open.