ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଅଗଷ୍ଟ ୯ ତାରିଖ ଭାରତ ଛାଡ଼ ଆନ୍ଦୋଳନ ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଆଟ ହୋମ୍ ଉତ୍ସବରେ ଓଡ଼ିଶାର ଦୁଇ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେବେ । ଦୁଇ ସଂଗ୍ରାମୀ ନୟାଗଡ଼ର ସହଦେବ ବେହେରା (୯୬) ଓ ଯାଜପୁରର ନୀଳମଣି ସାମଲ (୯୦)ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଦୁଇ ସଂଗ୍ରାମୀ ଆସନ୍ତାକାଲି ବିମାନ ଯୋଗେ ନୂଆଦିଲ୍ଲୀ ଯିବେ । ସେମାନଙ୍କ ସହାୟତା ପାଇଁ ଦୁଇ ଜଣ ସରକାରୀ ଅଧିକାରୀ ମଧ୍ୟ ଦିଲ୍ଲୀ ଯିବେ । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।
ନୟାଗଡ଼ର କଣ୍ଟିଲୋଠାରେ ୧୯୨୩ରେ ସଂଗ୍ରାମୀ ସହଦେବ ବେହେରାଙ୍କ ଜନ୍ମ । ୧୯୩୮ରେ ସେ ଦେଶୀୟ ରାଜାମାନଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉଠାଇ ଲୋକଙ୍କ ନେତୃତ୍ୱ ନେଇଥିଲେ । ଦେଶୀୟ ରାଜାଙ୍କ ସମର୍ଥନରେ ବ୍ରିଟିଶ ସରକାର ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ବ୍ରିଟିଶ ସରକାରଙ୍କ ଆଖିରେ ଧୂଳି ଦେଇ ବର୍ଷେରୁ ଅଧିକ ସମୟ ଧରି ଛଦ୍ମବେଶରେ ରହିଥିଲେ । ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ । ସ୍ୱାଧୀନତା ପରେ ସେ ନୟାଗଡ଼ର ବିଭିନ୍ନ ସମାଜସେବା କାମରେ ନିୟୋଜିତ ଅଛନ୍ତି ।
ଯାଜପୁରର ବାଲିପଡ଼ିଆ ଗାଁରେ ସଂଗ୍ରାମୀ ନୀଳମଣି ସାମଲଙ୍କ ଜନ୍ମ । ୧୯୪୨ରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ବଡ଼ଚଣା ପୁଲିସ ଷ୍ଟେସନ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ସେ ସାମିଲ ହୋଇଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କର ସେ ଘନିଷ୍ଠ ସହଯୋଗୀ ଥିଲେ । ଯାଜପୁର ଜିଲ୍ଲାର ଠକ୍କର ବାପା ଆଶ୍ରମ ସହ ସେ ଜଡ଼ିତ ହୋଇ ବିଭିନ୍ନ ସମାଜସେବା କାମରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons