ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ବିଶାଳ ମେଳି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମାଓବାଦୀଙ୍କ ବିରୋଧରେ ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ସୋମବାର ସେମାନେ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ମେଳି । ଏଥିରେ ଯୋଡାମ୍ବ ପଞ୍ଚାୟତର ୧୦ରୁ ଅଧିକ ଗାଁର ଶହ ଶହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ଖଜୁରୀଗୁଡା ଗାଁ ନିକଟରେ ସେମାନେ ଏକାଠି ହୋଇ ମାଓବାଦୀଙ୍କ ବିରୋଧରେ ନାନା ସ୍ଳୋଗାନ ଦେଇଥିଲେ । ହିଂସା ନୁହେଁ, ଆମକୁ ଶାନ୍ତି ଦରକାର ବୋଲି ସ୍ୱର ଉଠାଇଥିଲେ ।
ଗତ ୨୦ ତାରିଖରେ ସ୍ୱାଭିମାନ ଅଞ୍ଚଳର ଦାସ ଖେମୁଡୁ ନାମକ ଯୁବକଙ୍କୁ ପୁଲିସ୍ ସୂଚନାଦାତା ସନେ୍ଦହରେ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ପ୍ରତିବାଦରେ ଏବେ ତାତି ଉଠିଛନ୍ତି ଆଖପାଖ ଗ୍ରାମବାସୀ । ମାଓବାଦୀଙ୍କ ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଲଗାଇଛନ୍ତି ମାଓବିରୋଧୀ ପୋଷ୍ଟର । ସୋମବାର ଅପରାହ୍ନରେ ଶହ ଶହ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମାଓବାଦୀ ଶାସନ ଚଳିବ ନାହିଁ, ହିଂସା ଛାଡ଼, ଉନ୍ନୟନ କାର୍ଯ୍ୟକୁ ବିରୋଧ ବନ୍ଦ କର ଆଦି ସ୍ଲୋଗାନ ଦେଇଥିଲେ । ପରେ ଖଜୁରୀଗୁଡା ନିକଟ ଜଙ୍ଗଲରେ ବିରାଟ ସମାବେଶ କରିଥିଲେ । ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ, ମାଓବାଦୀମାନେ ପୁଲିସ ଇନଫର୍ମ ସନେ୍ଦହ କରି ନିରିହ ଆଦିବାସୀମାନଙ୍କୁ ହତ୍ୟା କରୁଛନ୍ତି । ନାନା ପ୍ରଲୋଭନ ଦେଖାଇ ଛୋଟ ଛୋଟ ପିଲାଙ୍କୁ ସଂଗଠନରେ ଜୋରଜବରଦସ୍ତ ସାମିଲ କରୁଛନ୍ତି । କିଛିମାସ ତଳେ ମାଓବାଦୀମାନେ ଯୋଡାମ୍ବ ଗାଁରେ ନିଅାଁ ଲଗାଇ କେତେକ ଘର ପୋଡ଼ି ଦେଇଥିଲେ । ଗତ ୨୦ତାରିଖରେ ଖଜୁରୀଗୁଡାରୁ ୩ ଜଣ ଯୁବକଙ୍କୁ ଅପହରଣ କରିନେଇ ନିସ୍ତୁକ ମାଡ ମାରିଥିଲେ । ପରେ ଦାସ ଖେମୁଡୁଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ । ଜୋଡାମ୍ବ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱାଭିମାନ ଅଞ୍ଚଳକୁ ବିକାଶ ପଥରେ ଆଗେଇନେବା ଅଞ୍ଚଳବାସୀଙ୍କ ଲକ୍ଷ୍ୟ । ହିଂସା ବଦଳରେ ସ୍ୱାଭିମାନଅଞ୍ଚଳବାସୀ ଶାନ୍ତି ଚାହଁନ୍ତି ବୋଲି ସ୍ୱର ଉଠାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons