ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱକୁ ଏବେ ତ୍ରସ୍ତ କରିଛି। ବିଭିନ୍ନ ରାଜ୍ୟ ସରକାର ଜେଲରେ ସଂକ୍ରମଣ ଆଶଙ୍କା କରି କୈଦୀଙ୍କୁ ସର୍ତ୍ତମୂଳକ ଜାମିନରେ ମୁକ୍ତ କରୁଛନ୍ତି। ଏଥିରେ ରାଜସ୍ଥାନ ଜେଲରେ ଦଣ୍ଡ କାଟୁଥିବା ଆଶାରାମ ବାପୁଙ୍କୁ ଆଗ ମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।ଏ ନେଇ ସ୍ୱାମୀ ଏକ ଟ୍ୱିଟ୍ କରିଥିବା ବେଳେ ଆଶାରାମଙ୍କ ବୟସ ଓ ସେ ଭୋଗୁଥିବା ରୋଗ ଯନ୍ତ୍ରଣା ଯୋଗୁ ତାଙ୍କୁ ମଧ୍ୟ ମୁକ୍ତ କରାଯିବା ଉଚିତ ବୋଲି କହିଛନ୍ତି। ସାରା ବିଶ୍ୱରେ କରୋନା ଯୋଗୁ ଜେଲରୁ ଏବେ ୭ ଲକ୍ଷ କୈଦୀଙ୍କ ମୁକ୍ତି ଲାଗି ବିଭିନ୍ନ ସରକାରମାନେ ନିଷ୍ପତ୍ତି ନେଇଛନ୍ତି। ଭାରତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରମାନେ କୈଦୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ ଆଶାରାମଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ସ୍ୱାମୀ ଉଲ୍ଲେଖ କରିଛନ୍ତି।
ଆଶାରାମ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଥିବା ବେଳେ ଏବେ ଯୋଦ୍ଧପୁର କେନ୍ଦ୍ରୀୟ ଜେଲରେ ଦଣ୍ଡ କାଟୁଛନ୍ତି। ୮୫ ବର୍ଷ ବୟସ୍କ ବାପୁଙ୍କ ମୁକ୍ତି ଲାଗି ପୂର୍ବରୁ ତାଙ୍କ ସମର୍ଥକମାନେ ମଧ୍ୟ ଦାବି କରିଆସୁଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଯେଉଁମାନେ ୭ ବର୍ଷ ପର୍ୟ୍ୟନ୍ତ ଜେଲଦଣ୍ଡାଦେଶରେ ଅଛନ୍ତି କେବଳ ସେମାନଙ୍କୁ ପାରୋଲ ମିଳୁଥିବା ଜଣାପଡିଛି।


Comments are closed, but trackbacks and pingbacks are open.