ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି:ଜ୍ୱରରେ ଥରୁଛନ୍ତି ଡଙ୍ଗରିଆ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ଜ୍ୱରରେ ଥରୁଛନ୍ତି । ଗତ ୮ ଦିନ ହେବ ଏହା ବ୍ୟାପିବାରେ ଲାଗିଛି । ପ୍ରତି ଗାଁରେ ୫ରୁ ୭ ଜଣ ଲେଖାଏଁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । କେବଳ ବାରିଆପଡ଼ା ଗାଁରେ ୮ ଜଣ ଜ୍ୱରରେ ପୀଡ଼ିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାଁ ଆମର ହସ୍ତଗତ ହୋଇଛି । ସେମାନେ ହେଲେ କୃସନ କୁମେସିକା(୭୨), ଜାମ୍ବୁ ପିଡ଼ିସିକା(୫୯), ଓଉଲା ପିଡିସିକା(୫୨), କଞ୍ଜାକା ଟିସୁ(୪୩), ବାସିବି କଞ୍ଜାକା(୪୭) । ସେହିପରି କାଡ୍ରାକାବଣ୍ଡଲି, ନିଶିଖାଲ, ତାଡ଼ିଝୋଲା ଗ୍ରାମରେ ମଧ୍ୟ ଜ୍ୱର ବ୍ୟାପିଥିବା ସୂଚନା ମିଳିଛି । ଅତ୍ୟନ୍ତ ଦୁର୍ଗମ ଅଂଚଳ ହୋଇଥିବାରୁ ଲୋକେ ପାହାଡ଼ ତଳକୁ ଆସି ଚିକିତ୍ସା କରାଇ ପାରୁନାହାନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଏପର୍ଯ୍ୟନ୍ତ ଖବର ନାହିଁ । ଯାହା ଚିନ୍ତାଜନକ ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୮ ତାରିଖରୁ ନିୟମଗିରି ପାହାଡ଼ ଓ ଏହାର ପାଦ ଦେଶରେ ଥିବା ଗାଁଗୁଡ଼ିକରେ ଜ୍ୱର ବ୍ୟାପିବା ଆରମ୍ଭ ହୋଇଥିଲା । ଜଣଙ୍କ ପରେ ଜଣେ ଏଥିରେ ଆକ୍ରାନ୍ତ ହୋଇ ଘରେ ପଡ଼ିଛନ୍ତି । ମୁଣ୍ଡବଥା ସାଙ୍ଗକୁ ଶରୀର ଦୁର୍ବଳ ହେବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି । ଏମିତିକି ସ୍ୱାସ୍ଥ୍ୟ କର୍ମୀମାନଙ୍କର ବି ଦେଖା ମିଳୁନଥିବା ଆକ୍ରାନ୍ତମାନେ କହିଛନ୍ତି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳର ମାସ ମାସ ଧରି ଦର୍ଶନ ମିଳୁନି । କୌଣସି ଉପାୟ ନପାଇ ଗ୍ରାମବାସୀମାନେ ଗୁଣିଆ ଓ ଦିଶାରୀଙ୍କ ଦ୍ୱାରସ୍ଥ ହେଉଛନ୍ତି । ଚେରମୂଳି ଔଷଧ ସେବନ କରୁଛନ୍ତି ।
ଆଜି ମଙ୍ଗଳବାର ମାଝିଗୁଡ଼ାରେ ହାଟ ଥିବା ସତ୍ତେ୍ୱ ସେଠାକୁ ମଧ୍ୟ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚିନଥିଲା । ନିକଟରେ ଜଗନ୍ନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ କୌଣସି ଡାକ୍ତର କିମ୍ବା ଅନ୍ୟ କର୍ମଚାରୀ ସେଠାରେ ପାଦ ପକାଉ ନାହାନ୍ତି । ଫଳରେ ଡଙ୍ଗର ଉପରେ ରହୁଥିବା ଡଙ୍ଗରିଆଙ୍କ ଭାଗ୍ୟ ଭଗବାନଙ୍କ ଉପରେ ଛାଡ଼ି ଦିଆଯାଇଛି । କେଉଁ କାରଣରୁ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ପାଖରେ ପହଞ୍ଚିପାରୁନି କିମ୍ବା ସେବା ଯୋଗାଉ ନାହିଁ, ତାହା ତଦନ୍ତ ସାପେକ୍ଷ । ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ବର୍ଷା ଯୋଗୁ ଜ୍ୱର ବ୍ୟାପିଚାଲିଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତିବ୍ରତ ମହାନ୍ତି କହିଛନ୍ତି ଯେ, ନିୟମଗିରି ପାହାଡ଼ରେ ଜ୍ୱର ବ୍ୟାପିବା ସମ୍ପର୍କରେ ତାଙ୍କ ପାଖାରେ କୌଣସି ସୂଚନା ନାହିଁ । ଗଣମାଧ୍ୟମ ନିକଟରୁ ପ୍ରଥମ କରି ଜାଣିବାକୁ ପାଇଲେ । ତୁରନ୍ତ ଏକ ସ୍ୱାସ୍ଥ୍ୟସେବା ଟିମ୍ ସେହି ଅଞ୍ଚଳକୁ ପଠାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons