ହଜିଲା ମା’କୁ ପାଇଲା ଝିଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହାପି ହୋମ୍ସ । ଗୋଟିଏ ଛୋଟିଆ ବୃଦ୍ଧାଶ୍ରମ । ମାନବ ପ୍ରେମୀ ନାମରେ ପରିଚିତ ସମାଜସେବୀ ଆଦିତ୍ୟ ଦାସ ବେସାହାରା, ବୃଦ୍ଧ ବୃଦ୍ଧାମାନଙ୍କୁ ଏଇଠି ଆଶ୍ରୟ ଦେଉଥିଲେ । ସମସ୍ତେ ଭାବିଥିଲେ ଆଦିତ୍ୟଙ୍କ ମୃତୁ୍ୟପରେ ଏ ହାପି ହୋମ୍ସର ଆଉ କିଛି ଭୂମିକା ନାହିଁ । କିନ୍ତୁ ସମସ୍ତଙ୍କ ଭାବନାକୁ ବଦଳାଇ ଦେଇଛି ଆଦିତ୍ୟଙ୍କ ସେବାର ଅନନ୍ୟ ସ୍ମୃତି । ତାଙ୍କ ମୃତୁ୍ୟ ପରେ ବି ହାପି ହୋମ୍ସ ହଜିଲା ମା’ ସହିତ ଝିଅକୁ ମିଶାଇଛି ।
ଯାଜପୁର ପାଣିକୋଇଲି ଅଞ୍ଚଳର ଇନ୍ଦୁମତି ଦଳାଇ ତାଙ୍କ ପୁଅ ଓ ବୋହୂଙ୍କ ଠାରୁ ନିର୍ଯାତିତ ହେଉଥିଲେ । ସ୍ୱାମୀ ଥାଇ ବି ନିଜ ଘରେ ଇନ୍ଦୁମତି ଅତ୍ୟାଚାରର ଶିକାର ହେଉଥିଲେ । ଝିଅ ସ୍ୱର୍ଣ୍ଣପ୍ରଭା ଦଳାଇ ମାଆର ଅତ୍ୟାଚାର ସହିନପାରି ତାଙ୍କୁ ଶାଶୂଘରକୁ ନେଇ ଆସିଥିଲେ । ସେଠାରେ କିଛି ଦିନ ରହିବା ପରେ ଇନ୍ଦୁମତି ଅଣନିଶ୍ୱାସୀ ହୋଇ ଯାଇଥିଲେ । ମନସ୍ଥ କଲେ ଝିଅ ଜ୍ୱାଇଁଙ୍କ ବୋଝ ହେବିନେ । ଭୁବନେଶ୍ୱର ଚାଲି ଆସିବେ । ସେଠି ବୃଦ୍ଧାଶ୍ରମରେ ବାକି ଜୀବନ କାଟିଦେବେ ।
୬ ମାସ ତଳେ ଇନ୍ଦୁମତି ଭୋର ୬ଟାରୁ ଟ୍ରେନରେ ବସି ଭୁବନେଶ୍ୱର ଆସିଥିଲେ । ଷ୍ଟେସନରେ ଓହ୍ଲାଇ ଏକ ଅଟୋ ଡ୍ରାଇଭରଙ୍କୁ କହିଥିଲେ, ମୋତେ କେଉଁ ଗୋଟେ ବୃଦ୍ଧାଶ୍ରମକୁ ନେଇ ଚାଲ । ଏହାପରେ ଅଟୋ ଚାଳକ ଜଣଙ୍କ ତାଙ୍କୁ ଆଣି ସୁନ୍ଦରପଦାସ୍ଥିତ ହାପି ହୋମ୍ସରେ ଛାଡ଼ିଥିଲା । ସେବେଠୁ ଆଦିତ୍ୟ ତାଙ୍କର ସାହା ପାଲଟିଥିଲେ । ଜଣେ ପୁଅ ଭଳି ଆଦିତ୍ୟ ଇନ୍ଦୁମତିଙ୍କ ଦେଖାଶୁଣା କରୁଥିଲେ । ତାଙ୍କର ଖାଇବା ପିଇବା କଥା ବୁଝୁଥିଲେ । ୧୨ ଦିନ ତଳେ ଆଦିତ୍ୟଙ୍କ ଏଭଳି ଅଚାନକ ମୃତୁ୍ୟକୁ ସହି ପାରିନଥିଲେ ଇନ୍ଦୁମତି । ନିଜ ପୁଅଠୁ ବଳି ସେବା କରୁଥିବା ଆଦିତ୍ୟଙ୍କୁ ବେଶ୍ ଝୁରୁଥିଲେ ।
ସେପଟେ ଝିଅ ସ୍ୱର୍ଣ୍ଣପ୍ରଭା ମା’ଙ୍କୁ ୬ ମାସ ଧରି ଖୋଜି ଖୋଜି କରି ନିରାଶ ହୋଇଥିଲେ । ତାଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ । ଏକ ବୈଦୁ୍ୟତିକ ଗଣମାଧ୍ୟମରେ ଆଦିତ୍ୟଙ୍କ ମୃତୁ୍ୟ ଖବର ପରିବେଷଣ ବେଳେ ହାପି ହୋମ୍ସର କିଛି ଚିତ୍ର ଟିଭିରେ ଦେଖା ଯାଉଥିଲା । ସେଇଠୁ ନିଜ ମାଆଙ୍କୁ ଚିହ୍ନିପାରି ଆଉ ସମ୍ଭାଳି ପାରିନଥିଲେ ସ୍ୱର୍ଣ୍ଣପ୍ରଭା । ହଜିଲା ମାଆଙ୍କୁ ଘରକୁ ନେବା ପାଇଁ ଧାଇଁ ଆସିଥିଲେ ହାପି ହୋମ୍ସକୁ । ତାଙ୍କ ମା’ଙ୍କୁ ସେଠାରେ ପାଇ ଭାବବିହ୍ୱଳ ହୋଇ ଯାଇଥିଲେ । ମା ଇନ୍ଦୁମତିଙ୍କୁ ଧରି ସ୍ୱର୍ଣ୍ଣପ୍ରଭା ଆନନ୍ଦରେ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons