ଫୁଲବାଣୀ,(ବି.ବି.ନୁ୍ୟଜ୍): ଧିରେ ଧିରେ ଏ ସମାଜରୁ ମାନବିକତା ହଜି ଯିବାକୁ ବସିଛି । ଯେଉଁ ମାଆ ୧୦ ମାସ ଗର୍ଭରେ ରଖି ପୁଅକୁ ଜନ୍ମ ଦେବା ସହ ହାତଧରି ସମାଜରେ ଚାଲିବା ଶିଖାଇଛି ସେହି ପୁଅ ଆଜି ମାଆକୁ ପିଟିବା ସହ ଘରୁ ବାହାର କରିଦେବା ଭଳି ଘଟଣା ମଧ୍ୟ ସମାଜରେ ଘଟୁଛି । ଏଭଳି ଏକ ଅଭାବନୀୟ ଘଟଣା ଫୁଲବାଣୀ ସହରର ଅମଲାପଡ଼ାରେ ଦେଖିବାକୁ ମିଳିଛି । ୭୦ ବର୍ଷର ବୃଦ୍ଧା ମାଆ କୁନ୍ତଳା ନାୟକଙ୍କୁ ତାଙ୍କ ମଝିଆ ପୁଅ ରମେଶ ଓ ବୋହୂ ରୁନୁ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ନିଜେ କୁନ୍ତଳା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, କୁନ୍ତଳାଙ୍କ ୩ ପୁଅ ଓ ଗୋଟିଏ ଝିଅ । ସ୍ୱାମୀ ଉତ୍ସବ ନାୟକ ବୃଦ୍ଧାବସ୍ଥା ଜନିତ ରୋଗରେ ଶଯ୍ୟାଶାୟୀ । ୩ ପୁଅ ଥିଲେ ମଧ୍ୟ କେହି ସେମାନଙ୍କୁ ନିଜ ପାଖରେ ରଖିବାକୁ ରାଜି ନାହାନ୍ତି । ସେ ବାଲସକୁମ୍ପା ଠାରେ ରହୁଥିବା ଝିଅ ଉର୍ମିଳାଙ୍କ ଘରେ ରହୁଛନ୍ତି । ସାହିଲୋକଙ୍କ ମଧ୍ୟସ୍ଥତାରେ ସେମାନଙ୍କ ଚଳିବା ପାଇଁ ୩ ପୁଅ ମାସକୁ ୧୫ ଶହ ଟଙ୍କା ଲେଖାଏଁ ଭରଣ ପୋଷଣ ଦେବାକୁ ସ୍ଥିର ହୋଇଥିଲା । ଏଥିସହ ତାଙ୍କର ଘରକୁ ସାନ ଦୁଇ ପୁଅ ରଖି ସେ ବାବାଦକୁ ୮ ଲକ୍ଷ ଟଙ୍କା ବାପା ମାଆଙ୍କୁ ଦେବାକୁ ସ୍ଥିର ହୋଇଥିଲା । ଦୁଇ ଭାଇ ମାତ୍ର ୪ ଲକ୍ଷ ଟଙ୍କା ଦେଇ ଥିବା ବେଳେ ବାକି ୪ ଲକ୍ଷ ଟଙ୍କା ଆଜି ସୁଦ୍ଧା ଦେଇ ନାହନ୍ତି । ନିଷ୍ପତ୍ତି ଅନୁଯାୟୀ ସବୁ ପୁଅ ମାସିକ ଭରଣପୋଷଣ ଟଙ୍କା ଦେଇ ଆସୁଥିବା ବେଳେ ମଝିଆ ପୁଅ ରମେଶ ଦୁଇ ମାସ ହେଲା ଟଙ୍କା ଦେଉ ନଥିଲେ । ଗତ ୧୧ ତାରିଖ ଦିନ କୁନ୍ତଳା ପୁରୀ ଯିବା ପାଇଁ ମନସ୍ତ କରି ମଝିଆ ପୁଅକୁ ତାଙ୍କ ଦୁଇ ମାସର ଭରଣପୋଷଣ ଟଙ୍କା ମାଗିବାକୁ ଯାଇଥିଲେ । ହେଲେ ରମେଶ ଟଙ୍କା ଦେବେ କଣ ତାଙ୍କୁ ଗାଳିଗୁଲଜ କରିଥିଲେ । ତାଙ୍କ ପନôୀ ରୁନୁ ମାଆ କୁନ୍ତଳାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଲେ । ସେମାନଙ୍କ ଧକ୍କାରେ କୁନ୍ତଳା ତଳେ ପଡି ଯାଇ ଲହୁ ଲୁହାଣ ହୋଇ ପଡିଲେ ମଧ୍ୟ କେହି ତାଙ୍କୁ ଉଠାଇ ନଥିଲେ । ବହୁତ କଷ୍ଟରେ କୁନ୍ତଳା ତାଙ୍କ ଝିଅ ଘରକୁ ଯାଇ ସମସ୍ତ କଥା କହିବା ପରେ ଜ୍ୱଇଁ ସୁଦର୍ଶନ ତାଙ୍କୁ ଚିକିତ୍ସା କରାଇବା ସହ ଟାଉନ୍ ଥାନାକୁ ଯାଇ ଏତଲା ଦେଇଥିଲେ । ପୁଲିସ ଏତଲା ପାଇବା ପରେ ଅଭିଯୁକ୍ତ ପୁଅ ରମେଶକୁ ଥାନାକୁ ଆଣି ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି । ମାଆ କୁନ୍ତଳାଙ୍କ ଅଭିଯୋଗ ସମ୍ପର୍କରେ ପୁଅ ରମେଶକୁ ପଚାରିବାରେ ମାଆଙ୍କୁ ମାରି ନଥିବା କହିଛନ୍ତି । ଶାଶୂ ବୋହୂଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲେ । ମାଆଙ୍କୁ ସେଥିରୁ ନିବୃତ କରିବାକୁ ସେଠାରୁ ଟାଣି ନେଉଥିବା ବେଳେ ପଡ଼ିଯାଇଥିବା କହିଛନ୍ତି ।


Comments are closed, but trackbacks and pingbacks are open.