ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନ୍ୟୁଜ୍): ରଘୁନାଥପୁରସ୍ଥିତ ଶ୍ରଦ୍ଧାଞ୍ଜଳି ବାର୍ର ଷ୍ଟୋର୍ ରୁମ୍ ଭିତରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ମୁଦାଲା ଅଜୟ ଖଟୁଆ ଓରଫ ମକରାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୪ ଜୁନ୍ ୨୭ ତାରିଖ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ପୂର୍ବ ରାଗ ରଖି ବାଲିଅନ୍ତା ଥାନା ନହରକଣ୍ଟା ହରିଦାସପୁରର ଅଜୟ ଖଟୁଆ ଏକ ଚାପଡ଼ରେ ଉକ୍ତ ବାର୍କୁ ଲଡ଼ୁ ତିଆରି କରିବାକୁ ଆସିଥିବା ଗୋପାଳପୁର କୁମ୍ଭାରସାହିର ସୁରେନ୍ଦ୍ର ବେହେରା(୫୫)ଙ୍କ ବେକ ପଛ ପଟରେ ୨/୪ ଚୋଟ ପକାଇଥିଲେ । ଚାପଡ଼ ଚୋଟରେ ରକ୍ତାକ୍ତ ହୋଇ ପଡ଼ିଥିଲେ ସୁରେନ୍ଦ୍ର । ପ୍ରବଳ ରକ୍ତସ୍ରାବ ଯୋଗୁଁ ସେଠାରେ ହିଁ ସେ ଅଚେତ୍ ହୋଇ ପଡ଼ିଯାଇଥିଲେ । ପରବର୍ତ୍ତୀ ସମୟରେ ଚେତା ଆସିବା ପରେ ସେ ନିଜେ ଉଠି ପାଖରେ ପାନ ଦୋକାନ କରିଥିବା ନରିଆ ସାହୁଙ୍କ ସହାୟତାରେ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଳାଇ ଆସିଥିଲେ । ମିଠା ମିସ୍ତ୍ରୀଙ୍କୁ ଷ୍ଟୋର ରୁମ୍ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ପାଇ ବାର୍ କର୍ମଚାରୀ ଗୌତମ ଦାସ ଓ ବାର୍ ମ୍ୟାନେଜର ପ୍ରମୋଦ ସ୍ୱାଇଁ ତୁରନ୍ତ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେତେବେଳକୁ ସୁରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତରଙ୍କ ପରାମର୍ଶରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଥାନାରେ ଦିଆଯାଇଥିବା ଏତଲା ମୁତାବକ, ରାତି ୧୦ଟା ସୁଦ୍ଧା ନିଜ କାମ ସାରି ଘରକୁ ଫେରି ଆସିଥିଲେ ବାର୍ ମ୍ୟାନେଜର ରଘୁନାଥପୁର ଜଗନ୍ନାଥପୁରର ବାସିନ୍ଦା ପ୍ରମୋଦ । ରାତି ସାଢେ ବାରଟାରେ ବାର୍ ମାଲିକଙ୍କ ବରାଦ ମୁତାବକ ଲଡୁ ତିଆରି କରିବାକୁ ଆସିଥିବା ସୁରେନ୍ଦ୍ରଙ୍କୁ ଚାପଡ଼ରେ ହାଣି ଦିଆଯାଇଥିବା କଥା ସେ ଜାଣିଥିଲେ । ବାର୍ରେ କାମ କରୁଥିବା ଅଜୟ ହିଁ ଆକ୍ରମଣ କରିଥିବା କଥା ରଘୁନାଥପୁର ଥାନାରେ ପ୍ରମୋଦ ଦେଇଥିବା ଏତଲାରେ ଦର୍ଶାଇଥିଲେ । ଏହି ଘଟଣାରେ ୨୯ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ କ୍ୟାଡର୍ ପିପି ନଳିନୀକାନ୍ତ ମହାରଣା ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons