ଚଣ୍ଡିଗଡ଼: ହରିଆଣାରେ ବିଜେପି-ଜେଜେପି (ଜନନାୟକ ଜନତା ପାର୍ଟି) ମେଣ୍ଟ ସରକାର ଗଠନ ହେବାକୁ ଯାଉଛି । ଆସନ୍ତା ରବିବାର ମନୋହର ଲାଲ ଖ;ରଙ୍କ ନେତୃତ୍ୱରେ ମେଣ୍ଟ ସରକାର ଶପଥ ଗ୍ରହଣ କରିବ । ଖ;ର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ତେବେ ଦୁଇଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ରାଜଭବନରେ ଅପରାହ୍ନ ୨ଟା ୧୫ରେ ଆୟୋଜିତ ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଖ;ରଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ । କିନ୍ତୁ କେତେଜଣ ମନ୍ତ୍ରୀ ଶପଥ ନେବେ ତାହା ଜଣାପଡିନି ।
ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଖ;ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ଏଥିସହିତ ସେ ତାଙ୍କ ପ୍ରତି ୫୭ ଜଣ ବିଧୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ସେଥିରେ ବିଜେପିର ୪୦, ଜେଜେପିର ୧୦ ଏବଂ ୭ ଜଣ ସ୍ୱାଧୀନ ବିଧାୟକଙ୍କ ଦସ୍ତଖତ ରହିଥିଲା । ରାଜ୍ୟପାଳ ମଧ୍ୟ ତାଙ୍କୁ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରିଥିଲେ । ଦୁଷ୍ୟନ୍ତ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ବାବଦରେ ସ୍ପଷ୍ଟ କରାଇଛନ୍ତି । ଏଥିସହିତ ବିବାଦୀୟ ସ୍ୱାଧୀନ ବିଧାୟକ ଗୋପାଳ କାଣ୍ଡାଙ୍କ ଠାରୁ ବିଜେପି ସମର୍ଥନ ଗ୍ରହଣ କରିବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବତନ ଏୟାର ହୋଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଗୋପାଳ କାଣ୍ଡାଙ୍କ ବିରୋଧରେ ଫୌଜଦାରୀ ମାମଲା କୋର୍ଟରେ ବିଚାରାଧୀନ ରହିଛି ।
ହରିଆଣାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବା ଯୋଗୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ସରକାର ଗଠନ କିଏ କରିବ ତାକୁ ନେଇ ରାଜ୍ୟ ରାଜନୀତିରେ ସସ୍ପେନ୍ସ ଲାଗି ରହିଥିଲା । ଗତକାଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟି ଆଲୋଚନା କରିବା ପରେ ତାଙ୍କ ଦଳ ବିଜେପିକୁ ସମର୍ଥନ ଦେବେ ବୋଲି ସ୍ପଷ୍ଟ କରିବା ପରେ ଏହି ସସ୍ପେନ୍ସର ଅନ୍ତ ଘଟିଛି । ବିଜେପିକୁ ସମର୍ଥନ କରିବା ବଦଳରେ ଦୁଷ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପଦ ଦାବି କରିଥିଲେ । ବିଜେପି ମଧ୍ୟ ତାଙ୍କ ଦାବିକୁ ଗ୍ରହଣ କରିଥିଲା ।
ଖ;ରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ବିଜେପି ବିଧାୟକ ଦଳ ବୈଠକରେ ସ୍ଥିର ହୋଇଥିଲା । ଶନିବାର ପୂର୍ବାହ୍ନରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରମଣ, ରବିଶଙ୍କର ପ୍ରସାଦ ଏବଂ ବିଜେପି ମହାସଚିବ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ଖ;ର ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ କହିଥିଲେ ।
ଉଲ୍ଲେଖଯୋଗ୍ୟ, ହରିଆଣାର ସମୁଦାୟ ୯୦ଟି ଆସନରୁ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପିକୁ ୪୦ଟି ଆସନ ମିଳିଥିଲା । ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ୪୬ ହୋଇଥିଲା ବେଳେ ବିଜେପି ସେହି ସଂଖ୍ୟା ଛୁଇଁପାରି ନଥିଲା । ତେଣୁ ବିଜେପି କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବ ବୋଲି ପ୍ରଥମରୁ କୁହାଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜେଜେପି ସହ ମେଣ୍ଟ କରିଥିଲା । ବିଧାନସଭାରେ ଜେଜେପିର ୧୦ ବିଧାୟକ ଅଛନ୍ତି । ମେଣ୍ଟ ସରକାରକୁ ମଧ୍ୟ ୭ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି ।
Comments are closed, but trackbacks and pingbacks are open.