ହଷ୍ଟେଲରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା!

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲା ତୁଷୁରା ସ୍ଥିତ ଏକ ଘରୋଇ ସ୍କୁଲର ହଷ୍ଟେଲରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରକୁ ସେହି ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ର ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଖବର ପାଇବା ପରେ ତାକୁ ଚପାଇ ଦିଆଯାଇଥିଲା । ନିର୍ଯ୍ୟାତିତ ଛାତ୍ରଙ୍କ ପରିବାରବର୍ଗ ଖବର ପାଇବା ପରେ ଏସମ୍ପର୍କରେ ଅଭିଯୋଗ କରିବାରୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା । ପରିବାରବର୍ଗ ଭୟରେ କିଛିଦିନ ପାଇଁ ଚୁପ୍ ବସିପଡିଥିଲେ ହେଁ ଆଜି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ତେବେ ପୀଡିତ ଏବଂ ନିର୍ଯ୍ୟାତନା ଦେଇଥିବା ଛାତ୍ର ଉଭୟ ନାବାଳକ ହୋଇଥିବାରୁ ନିର୍ଯ୍ୟାତିତ ଶିଶୁକୁ ସିଡବ୍ଲୁ୍ୟସିରେ ହାଜର କରାଯାଇଛି ।
ପରିବାରବର୍ଗଙ୍କ ଅଭିଯୋଗଅନୁସାରେ, ସେମାନେ ମୁରିବାହାଲରେ ରୁହନ୍ତି । ସେଠାରେ ଭଲ ଶିକ୍ଷା ବ୍ୟବସ୍ଥା ନଥିବାରୁ ଗତବର୍ଷ ନିଜ ପୁଅକୁ ତୁଷୁରା ସ୍ଥିତ ଏକ ଇଂଲିସ ମିଡିୟମ ସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଥିଲେ । ପୁଅର ପାଠପଢ଼ା ଏବଂ ହଷ୍ଟେଲ ବାବଦକୁ ୬୦ହଜାର ଟଙ୍କା ଜମା କରିଥିଲେ । ଛୋଟ ପିଲାଟି ଏକୁଟିଆ ରହୁଥିବାରୁ ବାପା, ମାଁ ପ୍ରାୟ ସମୟରେ ଫୋନ ଯୋଗେ କଥାବାର୍ତ୍ତା କରୁଥିଲେ । କିନ୍ତୁ ଜାନୁଆରୀ ମାସରେ ପ୍ରାୟ ୩ସପ୍ତାହ ଧରି ସ୍କୁଲ କର୍ତ୍ତୃପକ୍ଷ ପୀଡିତ ଛାତ୍ରଙ୍କୁ ପରିବାରବର୍ଗଙ୍କ ସହ ଫୋନ ଯୋଗେ କଥା ହେବାକୁ ଦେଲେନାହିଁ । ଦୀର୍ଘଦିନ ଧରି ଅପେକ୍ଷା କରିବା ପରେ ଗତ ଜାନୁଆରୀ ୨୬ ତାରିଖରେ ପରିବାରବର୍ଗ ସ୍କୁଲକୁ ଆସି ନିଜ ପୁଅକୁ ଭେଟିବାକୁ ଚାହିଁଥିଲେ । ସେହିସମୟରେ ହଷ୍ଟେଲର ଅନ୍ୟ କେତେକ ଅନ୍ତେବାସୀ ପୀଡିତ ଛାତ୍ରଙ୍କ ମାଁକୁ ଘଟଣା ସମ୍ପର୍କରେ କହିଥିଲେ । ତାଙ୍କ ପୁଅ ଶୋଇଥିବା ବେଳେ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ର ତାଙ୍କ ସହିତ କୁତ୍ସିତ କାର୍ଯ୍ୟ କରିଛି ବୋଲି ଜଣାଇଥିଲେ । ପୀଡିତ ଛାତ୍ରଙ୍କ ମା ନିଜ ପୁଅକୁ ଏସମ୍ପର୍କରେ ପଚାରିବାରୁ ସେ ପ୍ରଥମେ କିଛି କହିନଥିବା ବେଳେ ଶେଷରେ ଘଟଣା ସମ୍ପର୍କରେ କହିଦେଇଥିଲା । କିନ୍ତୁ ପୀଡିତ ଶିଶୁକୁ କିଛିଦିନ ଧରି କୌଣସି ମେଡିସିନ ଖାଇବାକୁ ଦିଆଯିବା ସହ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ସେ ଭୟରେ କିଛି କହୁନଥିଲେ ବୋଲି ଛାତ୍ରଜଣକ କହିଥିଲେ । ପରେ ଛାତ୍ରର ପରିବାରବର୍ଗ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଘଟଣାସମ୍ପର୍କରେ ପଚାରିବାରୁ ସେମାନେ ଘଟଣାକୁ ଚପାଇଦେଲେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ାଇବୁ ବୋଲି କହିଥିଲେ । କିନ୍ତୁ ପରିବାରବର୍ଗ ସେଥିରେ ରାଜି ନହୋଇ ଛାତ୍ରର ପ୍ରମାଣପତ୍ର ଦେଇଦେଲେ ସେମାନେ ଚାଲିଯିବେ ବୋଲି କହିବାରୁ ତାଙ୍କୁ ଧମକ ଚମକ ଦେବା ସହ ଜୀବନରେ ମାରିଦେବୁ ବୋଲି ସ୍କୁଲ କର୍ତ୍ତୃପକ୍ଷ ଧମକ ଦେଇଥିବା ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି । ନିଜ ପୁଅର ଜୀବନ ରକ୍ଷା ପାଇଁ ସେମାନେ ଚୁପ୍ଚାପ୍ ନିଜ ପୁଅକୁ ଧରି ଘରକୁ ଫେରିଯାଇଥିଲେ । କିଛିଦିନ ପରେ ପରିବାରବର୍ଗ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫୋନ କରି ପୁଅର ଅନ୍ୟ ସର୍ଟିଫିକେଟ ମାଗିବାରୁ ସେମାନେ ପୁଣି ଧମକ ଚମକ ଦେଇଥିଲେ । ଶେଷରେ ଅନନ୍ୟୋପାୟହୋଇ ଆଜି ପରିବାରବର୍ଗ ଏବଂ ପିଡୀତ ଛାତ୍ର ବଲାଙ୍ଗୀର ସ୍ଥିତ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସେଠାରେ ଉଭୟ ପୀଡିତ ଛାତ୍ର ଏବଂ ଅଭିଭାବକଙ୍କୁ ସଂପୃକ୍ତ ଅଧିକାରୀମାନେ ପଚରାଉଚୁରା କରିବା ପରେ ଶିଶୁକୁ ସିଡବ୍ଲୁ୍ୟସିରେ ହାଜର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons