
ଜଗତପୁର,(ବି.ବି.ନୁ୍ୟଜ): ଜଗତପୁର ସ୍ଥିତ ସଦ୍ଗୁରୁ ହସ୍ପିଟାଲରୁ କୋଭିଡ୍ ମେଡିସିନ୍ ଚୋରି ଅଭିଯୋଗ କ୍ରମେ ପୁଲିସ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦ୍ଗୁରୁ ହସ୍ପିଟାଲର ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ନେମାଳ ଥାନା ବାଲିଆପଦା ଗ୍ରାମର ସତ୍ୟ ପ୍ରସାଦ ବରାଳ(୨୪) ଓ କଟକ ପୁରୀଘାଟ ଥାନା ଝୋଲାସାହିସ୍ଥିତ ଫୋର ଏସ୍ କେୟାର ହସ୍ପିଟାଲର ଫାର୍ମାସିଷ୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଭାଣପୁର ଗ୍ରାମର ଟୁଲୁ ନାଥ(୨୮) । ଗିରଫ ପରେ ପୁଲିସ ସେମାନଙ୍କ ନିକଟରୁ ଚୋରି ହୋଇଥିବା ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କାର ବହୁ ଦାମୀ ଔଷଧ ଜବତ କରିବା ସହ ଉଭୟଙ୍କୁ କୋର୍ଟଚାଲଣ କରାଯାଇଥିବା ଜଗତପୁର ଆଇଆଇସି ରବୀନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ମୁତାବକ, ସଦ୍ଗୁରୁ ହସ୍ପିଟାଲ ମେଡିସିନ୍ ଷ୍ଟୋରରୁ କ୍ରମାଗତ ଭାବେ କିଛି ମାସ ହେବ ଦାମୀ ଇଞ୍ଜେକସନ ଓ ଟାବଲେଟ୍କୁ ଫାର୍ମାସିଷ୍ଟ ଚୋରି କରୁଥିଲେ । ଚୋରି କରିବା ପରେ ହସ୍ପିଟାଲ ମେଡିସିନ ଷ୍ଟକ୍ ରେଜିଷ୍ଟରରେ ରୋଗୀଙ୍କୁ ଦିଆଯାଇଥିବା ପ୍ରକୃତ ସଂଖ୍ୟାଠାରୁ ଅଧିକ ଦର୍ଶାଇ କଟକର ଅନ୍ୟ ଏକ ହସ୍ପିଟାଲରେ କାର୍ଯ୍ୟରତ ସହଯୋଗୀଙ୍କ ଜରିଆରେ ଚୋରାରେ ବିକ୍ରି କରୁଥିଲେ । ସରକାରଙ୍କ ପକ୍ଷରୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଥିବା ଏହି ଦାମୀ ଔଷଧ ଚୋରି ହେଉଥିବା ଜଣାପଡିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢିଥିଲା । ରୋଗୀଙ୍କୁ ଦିଆଯାଇଥିବା ଓ ଷ୍ଟକ୍ ଥିବା ମେଡିସିନ୍ ମଧ୍ୟରେ ତାଳମେଳ ରହୁନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତଦନ୍ତ ସମୟରେ ମେଡିସିନ୍ ଷ୍ଟକ୍ରୁ ଔଷଧ ରୋଗୀଙ୍କୁ ଦେବା ପାଇଁ ଦର୍ଶାଇ ନେଇଥିବା ଫାର୍ମାସିଷ୍ଟ ସତ୍ୟପ୍ରସାଦଙ୍କୁ ସନେ୍ଦହ କରିଥିଲେ । ଏପରିକି ସେ ହସ୍ପିଟାଲ ପରିସରରେ ରହୁଥିବା ସତ୍ୟଙ୍କ ରୁମ୍ ଯାଞ୍ଚ୍ ସମୟରେ ଚୋରି କରିଥିବା କିଛି ଔଷଧ ମିଳିଥିଲା । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ସତ୍ୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏହି ସମୟରେ ମେଡିସିନ୍ ଚୋରି ସମ୍ପର୍କରେ ସେ ସ୍ୱୀକାର କରିଥିଲା । ଚୋରି ପରେ ଏହି ଦାମୀ ଔଷଧକୁ ନେଇ କଟକ ସ୍ଥିତ ଫୋର ଏସ୍ କେୟାର ହସ୍ପିଟାଲରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ଟୁଲୁ ନାଥଙ୍କ ସହଯୋଗରେ ବିକ୍ରି କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ସତ୍ୟ ସମେତ ଟୁଲୁ ନାଥଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩୦ ହଜାର ଟଙ୍କାର କୋଭିଡ୍ ମେଡିସିନ୍ ଜବତ କରିଥିବା ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.