ହସ୍ପିଟାଲ୍ରେ ଲାଗିଲା ଏଲ୍ଇଡି ସୂଚନା ଫଳକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅପଡେଟ୍ ଦେବାକୁ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲରେ ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ବା ସୂଚନା ଫଳକ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହାକୁ ଉନ୍ମୋଚନ କରିଛନ୍ତି ।
ରାଜ୍ୟର ୧୨ଟି ସ୍ଥାନରେ ଏକାସାଙ୍ଗରେ ଆଜି ଏହି ବୋର୍ଡଗୁଡ଼ିକୁ ଉନ୍ମୋଚନ କରାଯାଇଛି । କ୍ୟାପିଟାଲ ହସ୍ପିଟାଲ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକର ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, କଟକ ଶିଶୁ ଭବନ, କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ବୁର୍ଲାର ଭିମ୍ସାରଠାରେ ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ଉନ୍ମୋଚିତ ହୋଇଛି ।
ଅତ୍ୟାଧୁନିକ ଟେକ୍ନୋଲୋଜିରେ ଏହାକୁ ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ଲୋକଙ୍କ ବ୍ୟବହାରରେ ପରିବର୍ତ୍ତର୍ନ, ସୁସ୍ଥ ରହିବା ପାଇଁ ଠିକ୍ ଅଭ୍ୟାସକୁ ଆପଣାଇବା ଓ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି ।
ପ୍ରଥମ ପର୍ଯ୍ୟାୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମ୍ୟାଲେରିଆ, କୀଟନାଶକ ସିଞ୍ଚନ, ଔଷଧୀୟ ମଶାରୀ ବ୍ୟବହାର, ଚେଙ୍କ, ଗର୍ଭବସ୍ଥାର ଲକ୍ଷଣ, ସ୍ତନ୍ୟପାନ, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ୱ, ଉଚ୍ଚ ରକ୍ତଚାପ, ଡାଇରିଆ, ଟିବି, ହାତଧୁଆ, ଶୌଚାଳୟ ବ୍ୟବହାର, ନିରାପଦ ଖାଦ୍ୟ ଓ ପାନୀୟ ଜଳ ବ୍ୟବହାର, ତମାଖୁ ସେବନଠାରୁ ଦୂରେଇବା, ଚକ୍ଷୁ ଦାନ, ଏଚ୍ଆଇଭି/ଏଡ୍ସ, କୁଷ୍ଠ, ଡେଙ୍ଗୁ, ଡାଇବେଟିସ୍, ୧୦୮ ଓ ୧୦୨ ଆମ୍ବୁଲାନ୍ସ, ନିରାମୟ, ଆମ କ୍ଲିନିକ୍, ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଅଡିଓ ଭିଜୁଆଲ ମାଧ୍ୟମରେ ଏହି ଡିସ୍ପ୍ଲେ ବୋର୍ଡରେ ପ୍ରଦର୍ଶିତ ହେବ ।
ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଏହାକୁ ଉନ୍ମୋଚନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ଏମ୍ଡି ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ୍ନ ସଚିବ ଗୁହା ପୁନମ୍ ତାପସ କୁମାର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons