ହସ୍ପିଟାଲ ବାରଣ୍ଡାରେ ପ୍ରସବ:ଡାକ୍ତର ନ ଥିଲେ, ଆସିଲେନି ନର୍ସ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଜଣେ ଆସନ୍ନ ପ୍ରସବା ମେଡିକାଲ ବାରଣ୍ଡାରେ ପ୍ରସବ କରିଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ପୁରୁଣା ବଜାର ଏରିଆ ହସ୍ପିଟାଲ ଗେଟରେ ତାଲା ପକାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରସୂତି ଜଣକ ମେଡିକାଲ ଆସିବା ସମୟରେ କୌଣସି କାର୍ଯ୍ୟରତ ଡାକ୍ତର ସେଠାରେ ଉପସ୍ଥିତ ନ ଥିଲେ । ପ୍ରସୂତି ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କାର୍ଯ୍ୟରତ ନର୍ସ ପାଖ ପଶି ନ ଥିଲେ । ପ୍ରସୂତିଙ୍କ ଯନ୍ତ୍ରଣାକୁ ନେଇ ତାଙ୍କ ପରିବାର ଲୋକେ ବ୍ୟସ୍ତ ବିବ୍ରତ ଥିବା ବେଳେ ସରକାରୀ ମେଡିକାଲରେ ଏଭଳି ଅବ୍ୟବସ୍ତା ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ଉପୁଜିଛି । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ଗେଟରେ ତାଲା ପକାଇବା ପରେ ସ୍ୱାସ୍ଥ୍ୟ ବିଭାଗ ନିଦ ଭାଙ୍ଗିଥିଲା । ଖବର ପାଇ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ପ୍ରଦୀପ ଖୁଣ୍ଟିଆ, ଡା. ଦୀପକ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁରୁଣା ବଜାର ଥାନାଧିକାରିଣୀ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ପରିବାର ଲୋକେ ଜଣେ ଆସନ୍ନ ପ୍ରସବାଙ୍କୁ ଧରି ପୁରୁଣା ବଜାର ଏରିଆ ହସପିଟାଲରେ ପହଞ୍ଚିଥିଲେ । ସେତେବେଳକୁ ସେଠାରେ କୌଣସି ଡାକ୍ତର ନ ଥିଲେ । ମେଡିକାଲ ବାରଣ୍ଡାରେ ବହୁତ ସମୟ ପଡ଼ି ରହିବା ପରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ କାର୍ଯ୍ୟରତ ନର୍ସ ତାଙ୍କ ନିକଟକୁ ଆସି ନ ଥିଲେ କିମ୍ବା ଚିକିତ୍ସା ଯୋଗାଇ ନ ଥିଲେ ।

ବାରଣ୍ଡାରେ ପ୍ରସବ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ମେଡିକାଲ ଗେଟରେ ତାଲା ପକାଇ ଦେଇଥିଲେ । ପରେ ଡାକ୍ତର ଜେନା ସେଠାରେ ପହଞ୍ଚି ମହିଳାଙ୍କ ଆବଶ୍ୟକ ଚିକିତ୍ସା ଆରମ୍ଭ କରିଥିଲେ । ପରେ ବିଭାଗୀୟ ଅଧିକାରୀ ଓ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ହସପିଟାଲ ନାନା ସମସ୍ୟା ଦେଇ ଗତି କରୁଥିବାରୁ ତୁରନ୍ତ ଏସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରାକ୍ତନ କାଉନସିଲର ସେକ ସମଦାନୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons