ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମ୍କୋର୍ଟରେ ଚାଲେଞ୍ଜ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ରଥଯାତ୍ରା ହେବ କି’ ହେବନାହିଁ ଏ ନେଇ ଲାଗି ରହିଥିବା ବିବାଦ ଏବେ ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ଭାରତୀୟ ବିକାଶ ପରିଷଦ ସର୍ବୋଚ୍ଚ ଅଦାଲତରେ ଏକ ସ୍ପେସାଲ୍ ଲିଭ୍ ପିଟିସନ୍ (ଏସ୍ଏଲ୍ପି) ଦାଏର୍ କରିଛି । ରଥଯାତ୍ରାକୁ ବନ୍ଦ ତଥା ବାତିଲ୍ କରିବା ପାଇଁ ଏଥିରେ ପ୍ରାର୍ଥନା କରାଯାଇଛି । ଅପରପକ୍ଷରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରା ବନ୍ଦ କରାଯିବା ପାଇଁ ହୋଇଥିବା ଆଉ ଏକ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ସୁପ୍ରିମ୍କୋର୍ଟର ଆଇନଜୀବୀ ହିତେନ୍ଦ୍ର ନାଥ ରଥଙ୍କ ଜରିଆରେ ଏକ ମାମଲା ରୁଜୁ କରିଛି । ସେହିପରି ଜୟନ୍ତ କୁମାର ବଳ ଏହି ମାମଲାରେ ସୁପ୍ରିମ୍କୋର୍ଟର ଆଇନଜୀବୀ ଶ୍ରୀ ରଥଙ୍କ ଜରିଆରେ ଏକ କ୍ୟାଭିଏଟ୍ ପିଟିସନ୍ ମଧ୍ୟ ଫାଇଲ୍ କରିଛନ୍ତି ।
ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ରଥଯାତ୍ରାକୁ ନେଇ ହାଇକୋର୍ଟ ଦେଇଥିବା ଆଦେଶକୁ ବେଆଇନ ଏବଂ ଅସମ୍ବିଧାନିକ ବୋଲି ଦର୍ଶାଇଛନ୍ତି । ରଥଯାତ୍ରାକୁ ବନ୍ଦ କରିବା ପାଇଁ ରୁଜୁ ମାମଲାରେ ହାଇକୋର୍ଟ ସମସ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ । ସେତେବେଳର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ । ଏଥିସହ ଯଦି ବି ରାଜ୍ୟ ସରକାର ରଥଯାତ୍ରା କରିବା ଲାଗି କୌଣସି ନିଷ୍ପତ୍ତି ନିଅନ୍ତି ତାହେଲେ ରଥଟଣାରୁ ଜନସାଧାରଣଙ୍କୁ ଦୂରେଇ ରଖି ମେସିନ୍ କିମ୍ବା ହାତୀ ଜରିଆରେ ରଥ ଟାଣିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହାକୁ ବିରୋଧ କରି ଆବେଦନକାରୀ ଏସ୍ଏଲ୍ପିରେ କହିଛନ୍ତି ଯେ, ପୁରୀ ଏବେ ରେଡ୍ ଜୋନ୍ରେ ରହିଛି । ଇତିମଧ୍ୟରେ ୧୫୫ ଜଣ କରୋନା ଆକ୍ରାନ୍ତ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇ ସାରିଛନ୍ତି । ପୁରୀ ଏବଂ ରାଜ୍ୟର ଆଉ କେତୋଟି ଜିଲ୍ଲା କରୋନାକୁ ନେଇ ସମ୍ବେଦନଶୀଳ ଥିବାରୁ ରାଜ୍ୟ ସରକାର ଏହାକୁ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଧ୍ୟ କର୍ଫୁ୍ୟ ଜାରି କରାଯାଇଛି । ଏଭଳି ସ୍ଥିତିରେ ଯଦି ରଥଯାତ୍ରା ଅନୁÂିତ ହୁଏ ତାହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି ।
ରଥଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦେଇପାରନ୍ତି ବୋଲି ଆବେଦନକାରୀ ଶ୍ରୀ ପାଣିଗ୍ରାହୀ ନିଜ ପିଟିସନରେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ ଦର୍ଶାଇଛନ୍ତି କି ଜନସାଧାରଣଙ୍କୁ ଦୂରେଇ ରଖି ମେସିନ୍ କିମ୍ବା ହାତୀ ଦ୍ୱାରା ରଥ ଟଣାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି । ତେବେ ମେସିନ୍ ଦ୍ୱାରା ଯଦି ରଥଯାତ୍ରା ହୁଏ ତାହେଲେ ଏହା ଜଗନ୍ନାଥଙ୍କ ପରମ୍ପରାର ବିରୋଧୀ । ଏହାଛଡ଼ା ଯଦି ହାତୀ ଦ୍ୱାରା ରଥ ଟଣାଯାଏ ତାହେଲେ ଏହା ବନ୍ୟପ୍ରାଣୀ ସୁରକ୍ଷା ଆଇନର ବିରୋଧାଚରଣ କରୁଛି । ତେଣୁ ଏଭଳି କ୍ଷେତ୍ରରେ ଏହି ଦୁଇଟି ଯାକ ପ୍ରଥା ଗ୍ରହଣୀୟ ନୁହେଁ । ମିଳିଥିବା ସୂଚନା ଅନୁଯାୟୀ, ଗତ ୪୨୫ ବର୍ଷ ଭିତରେ ରଥଯାତ୍ରା ପ୍ରାୟ ୩୨ ଥର ବନ୍ଦ ରହିଛି । ତେଣୁ ଚଳିତବର୍ଷ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ନିଦେ୍ର୍ଧଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର ସମ୍ପାଦକ ସରୋଜ କୁମାର ସାହୁ ରୁଜୁ କରିଥିବା ମାମଲାରେ ରଥଯାତ୍ରା ସପକ୍ଷରେ ଯୁକ୍ତି ରଖାଯାଇଛି । ଅନ୍ୟତମ ଆବେଦନକାରୀ ଜୟନ୍ତ କୁମାର ବଳ ପୂର୍ବରୁ ରୁଜୁ ହୋଇଥିବା ଓଡ଼ିଶା ବିକାଶ ପରିଷଦର ଆବେଦନକୁ ଖାରଜ କରି ରଥଯାତ୍ରା ପାଇଁ ଅନୁମତି ଦେବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ରଥଯାତ୍ରା କରାଯିବା ଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଆଇନଜୀବୀ ବିଜୟ କୁମାର ରଗଡ଼ ଏହି ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons