ଜୟପୁର,(ବି.ବି.ବୁ୍ୟରୋ): ବିସ୍ଫୋରକ ବୋଝେଇ କଣ୍ଟେନର ଜବତ ମାମଲାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ପୁଲିସ । ସେମାନେ ହେଲେ ତେଲେଙ୍ଗାନା ମେଡଚଲ ଜଗନଗୁଡା ଦ୍ୱିଜେଶ ଏଣ୍ଟରପ୍ରାଇର୍ଜସର ମାଲିକ ଏମ୍. ରାଜି ରେଡ୍ଡି(୪୦) ଏବଂ ତାଙ୍କ ସହଯୋଗୀ ୟାଡାଦ୍ରି ଚଉତପାଲ ଲିଙ୍ଗୁଜଗୁଡାର ୱାଇ. ମହେଶ୍ୱର ରେଡ୍ଡି(୪୦) । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଏହି ମାମଲାରରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ଜୟପୁର ଭାରପ୍ରାପ୍ତ ଏସଡିପିଓ ଧୀରେନ କୁମାର ସ୍ୱାଇଁ କହିଛନ୍ତି । ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର ୧୧ଟି ଷ୍ଟୋନ କ୍ରସରକୁ ୭୦ଥର ବିସ୍ଫୋରକ ଆସିଥିବା ଜଣାପଡିଛି ।
ସ୍ଥାନୀୟ ଟାଉନ ଥାନା ପରିସରରେ ସେମାବାର ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଏସ୍ଡିପିଓ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ଯେ, ହାଇଦ୍ରାବାଦର ଦ୍ୱିଜେଶ୍ ଏଣ୍ଟରପ୍ରାଇଜର୍ସର ମାଲିକ ରାଜି ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ମାଲକାନଗିରି ଜିଲ୍ଲାକୁ ଚାଲାଣ କରୁଥିଲା ବିସ୍ଫୋରକ । ପରିବହନ ଲାଗି କୋରୁକୋଣ୍ଡାର ମା’ ସିଂହାସନୀ ଷ୍ଟୋନ କ୍ରସରର ୱେ ବିଲ୍ ବ୍ୟବହାର କରୁଥିଲା । ଅନୁସନ୍ଧାନରୁ ଜଣାପଡିଛି ହାଇଦ୍ରାବାଦରୁ ୱେ ବିଲ ବ୍ୟବହାର କରାଯାଇ ୭୦ରୁ ଅଧିକ ଥର କେତେକ କ୍ରସରକୁ ବିସ୍ଫୋରକ ଯୋଗାଣ ହୋଇଛି । ସେଗୁଡିକ ମଧ୍ୟରେ ରହିଛି ବଜରଙ୍ଗ ଷ୍ଟୋନ କ୍ରସର, ଅମିଭା ଆସୋସିଏଟସ, ଆଇଭିଆରସିଏଲ୍, ବରୁଣ କନ୍ଷ୍ଟ୍ରକସନ୍, ଶ୍ରୀକୌଶଲ୍ୟା ଷ୍ଟୋନ କ୍ରସର, ସୁରେନ୍ଦ୍ର ବିଶୋୟୀ, ଶ୍ରୀଦୁର୍ଗା ଷ୍ଟୋନ କ୍ରସର, ସନ୍ଧ୍ୟା କନଷ୍ଟ୍ରକସନସ୍, ସାବିତ୍ରୀ ଷ୍ଟୋନ କ୍ରସର, ସାଇ ଷ୍ଟୋନ କ୍ରସର, ଅନ୍ନପୂର୍ଣ୍ଣା ଷ୍ଟୋନ କ୍ରସର ଇତ୍ୟାଦି । ୩୬ ଏକେ ସିପିଏମ୧୯୭୨ଏଚ୨ଜେଡ୍୩ ଜିଏସଟି ନମ୍ବର ବ୍ୟବହାର କରାଯାଇ ଉପରୋକ୍ତ କ୍ରସରଗୁଡିକୁ ମାଲ୍ ଯୋଗାଣ ହୋଇଛି ।
ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ଆଇନ ଅନୁଯାୟୀ, ଫର୍ମ ୨୨ରେ ଅଭିଯୁକ୍ତ ରାଜି ବିସ୍ଫୋରକ ରଖିପାରିବ ଏବଂ ବ୍ୟବହାର କରିପାରିବ । କିନ୍ତୁ ବିକ୍ରି କରିପାରିବନାହିଁ । ଫର୍ମ ଆର୍ଇ-୧୩ ଅନୁଯାୟୀ ସରକାରଙ୍କ ପାଖରୁ ମାଗାଜିନ ରଖିବାକୁ ଅନୁମତି ଆଣିବାକୁ ପଡିବ ଏବଂ ୧୦୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ବ୍ୟବହାର କରିପାରିବ । କିନ୍ତୁ ରାଜି ତାହାର ଖିଲାପ କରିଛି । ବେଆଇନଭାବେ ବିକ୍ରି ଏବଂ ୧୦୦ କିମିରୁ ଅଧିକ ଦୂରତାକୁ ପରିବହନ କରିଛି । ଏ କାରବାରରେ ରାଜିକୁ ସହଯୋଗ କରିଛି ତା’ ସମ୍ପର୍କୀୟ ମହେଶ୍ୱର । ଉଭୟ ବହୁବାର ମାଲକାନଗିରି ଆସିଛନ୍ତି ଏବଂ ଡିଲ କରି ତେଲେଙ୍ଗାନା ଫେରିଛନ୍ତି । ଯାହା ବେଆଇନ । ନିୟମ ବିରୋଧ କାମ କରିଥିବାରୁ ଉଭୟଙ୍କୁ ଗିରଫ କରାଯାଇଥିବା ଶ୍ରୀ ସ୍ୱାଇଁ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ହେଡ୍କ୍ୱାର୍ଟର ଡିଏସପି ଅଂଶୁମାନ ଦ୍ୱିବେଦୀ, ଆଇଆଇସି ବାଲେଶ୍ୱର ଗିଦ୍ଧି, ସହକାରୀ ଆଇଆଇସି ରଘୁନାଥ ମାଝି ଉପସ୍ଥିତ ଥିଲେ । ସହକାରୀ ଆଇଆଇସି ଶ୍ରୀ ମାଝି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୨ ତାରିଖରେ ଏକ ବିସ୍ଫୋରକ ବୋଝେଇ କଣ୍ଟେନର ମାଲକାନଗିରି ଯାଉଥିବା ବେଳେ ଟାଉନ ପୁଲିସ ହାତରେ ଧରାପଡ଼ିଥିଲା । ସେଥିରୁ ୨୦୦ ପ୍ୟାକେଟ୍ ଅର୍ଧତରଳ ଆଇଡିଆଲ ବୁଷ୍ଟ ବିସ୍ଫୋରକ, ୮୦ଟି ବିଭିନ୍ନ ଲମ୍ବର ତାର-ଇଇଏଲ୍ ଡିଟୋନେଟର, ୯୫ଟି ଇଇଏଲ ପ୍ଲାଷ୍ଟିକ ତାର ଏବଂ ୮୭ ବଣ୍ଡଲ ବିଭିନ୍ନ ରଙ୍ଗର ତାର ଜବତ କରାଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ । ସମସ୍ତ କାରବାର ଜାଲ୍ କାଗଜପତ୍ରରେ କରାଯାଉଥିଲା । ଏହି କାରବାରରେ କଣ୍ଟେନର ଡ୍ରାଇଭର ତେଲେଙ୍ଗାନା ମେଡଚଲ୍ କୋଣ୍ଡାପୁରର ଜି. ଶିବକୁମାର(୩୦), ହେଲପର୍ ଭି. ସୁଧାକର(୩୫) ଏବଂ ମାଲକାନଗିରି ମୋଟୁ କ୍ରସର ୟୁନିଟ୍ର ମାଲିକ ଡି. ବିଶ୍ୱନାଥ ରେଡ୍ଡିଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ।
Comments are closed, but trackbacks and pingbacks are open.