ହାଇଦ୍ରାବାଦ): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣବଳାକ୍ରାର ଓ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତମାନେ ଶୁକ୍ରବାର ସକାଳେ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଘଟଣାର ପୂରା ଚିତ୍ର ଜାଣିବା ପାଇଁ ପୁଲିସ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା । କିନ୍ତୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ ଓ ପୁଲିସକୁ ଆକ୍ରମଣ କରିଥିଲେ । ଏହାପରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏମିତି ଥିଲା ଚିତ୍ର: ଘଟଣା ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ଆଜି ଅଭିଯୁକ୍ତମାନଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା । ୧୦ ଜଣ ସଶସ୍ତ୍ର ପୁଲିସ ଅଭିଯୁକ୍ତଙ୍କୁ ନେଇ ଯାଇଥିଲେ । ପ୍ରଥମେ ଜାତୀୟ ରାଜପଥ ୪୪ ନିକଟସ୍ଥ ଟୋଲ ପ୍ଲାଜା ନିକଟରେ ସେମାନେ ପହଞ୍ଚିଥିଲେ । ସେତେବେଳେ ରାତି ପ୍ରାୟ ୩ଟା ବାଜିଥିଲା । । ଘଟଣାର ଦୃଶ୍ୟକୁ ଦୋହରାଇବା ପାଇଁ ଅଭିଯୁକ୍ତଙ୍କ ହାତରୁ ହାତକଡ଼ି ଖୋଲି ଦିଆଯାଇଥିଲା । ଏହି ସମୟରେ ଅଭିଯୁକ୍ତ ମହମ୍ମଦ ଆରିଫ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇଥିଲେ । ଅନ୍ୟ ଦୁଇଜଣ ବାଡ଼ି ଓ ପଥର ଦ୍ୱାରା ଆକ୍ରମଣ କରିଥିଲେ । ଏହାପରେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ସକାଳ ୫.୪୫ରୁ ୬.୧୫ ପର୍ଯ୍ୟନ୍ତ ମୁହାଁମୁହିଁ ହୋଇଥିଲା ।
ସାଇବେରାବାଦ ପୁଲିସ କମିଶନର ଭିସି ସଜ୍ଜନର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେ ଗୁଳି ଚଳାଇବା ପୂର୍ବରୁ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ବାରମ୍ବାର କହିଥିଲୁ । କିନ୍ତୁ ସେମାନେ କିଛି ଶୁଣି ନଥିଲେ ଏବଂ ପୁଲିସ୍ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ । ଏଭଳି ସ୍ଥିତିରେ ପୁଲିସ କର୍ମଚାରୀଙ୍କୁ ଜବାବ ଦେବାକୁ ପଡ଼ିଥିଲା । ମୃତ ଅଭିଯୁକ୍ତମାନଙ୍କ ଶବ ଜବତ କରାଯାଇ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ସେମାନଙ୍କ ଆକ୍ରମଣରେ ଆହତ ହୋଇଥିବା ଦୁଇଜଣ ପୁଲିସ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।
ସୂତ୍ର ମୁତାବକ, ଏନ୍କାଉଣ୍ଟର ପୂର୍ବରୁ ଅଭିଯୁକ୍ତମାନେ ପୁଲିସକୁ ଘଟଣାସ୍ଥଳ ଦେଖାଇଥିଲେ । ପ୍ରଥମେ ସେମାନେ ଟୋଲ୍ ପ୍ଲାଜା ନିକଟରେ ଘଟିଥିବା ଘଟଣା ବାବଦରେ ଜଣାଇବା ସହ ସ୍କୁଟି ରହିଥିବା ସ୍ଥାନ ଦେଖାଇଥିଲେ । ଏହାପରେ କଲ୍ଭର୍ଟ ଆଡ଼କୁ ସେମାନେ ଯାଇଥିଲେ । ସେଠାରେ ପୀଡ଼ିତାଙ୍କ ଫୋନ, ପାୱାର ବ୍ୟାଙ୍କ, ଘଡ଼ି ଆଦି ଖୋଜାଖୋଜି ହୋଇଥିଲା । କିଛି ସମୟ ପରେ ତାଙ୍କ ଫୋନ୍ ମିଳିଥିଲା । ଏହି ସମୟରେ ଅଧିକ ତଥ୍ୟ ହାସଲ ପାଇଁ ଦୃଶ୍ୟ ଦୋହରାଇବାକୁ ପୁଲିସ ଅଭିଯୁକ୍ତ ମହମ୍ମଦ ଆରିଫ, ନବୀନ, ଶିବା ଏବଂ ଚେନ୍ନାକେଶବୁଲୁର ହାତରୁ ହାତକଡ଼ି ଖୋଲିଦେଇଥିଲା ।
ପୁଲିସ କମିଶନର ସଜ୍ଜନର କହିଛନ୍ତି, ଆଇନର ପରିସରରେ ରହି ଏହି ଏନ୍କାଉଣ୍ଟର କରାଯାଇଛି । ଏ ନେଇ ଯେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ । ଆଇନ ହିଁ ତା’ର କାମ କରିଛି । ଡିସିପି ପ୍ରକାଶ ରେଡ୍ଡୀ ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ଗୁଳି ଚଳାଇଥିବା କଥା ସ୍ପଷ୍ଟ କରିଛନ୍ତି । ଏ ନେଇ ମଧ୍ୟ ପୁଲିସ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି । ଏହି ଫଟୋରେ ଅଭିଯୁକ୍ତଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଛି ।
ହାଇଦ୍ରାବାଦର ଏହି ଲୋମଟାଙ୍କୁରା ଗଣବଳାକ୍ରାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠୁ ସଂସଦ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଉଠିଥିଲା । ଅଭିଯୁକ୍ତମାନଙ୍କୁ ମୃତୁ୍ୟଦଣ୍ଡ ଦେବା ଲାଗି ସବୁଠି ଦାବି ହୋଇଥିଲା । ଆଜିର ଏନ୍କାଉଣ୍ଟର ପରେ ସମସ୍ତେ ଶାନ୍ତ ପଡ଼ିଛନ୍ତି । ଆଜି ସକାଳୁ ଏହି ଖବର ବ୍ୟାପିଯିବା ପରେ ଦେଶବାସୀ ଉତ୍ସବ ପାଳନ କରିଛନ୍ତି । ମହିଳାମାନେ ରାସ୍ତାକୁ ଆସି ନୃତ୍ୟଗୀତରେ ନିଜ ଖୁସି ଜାହିର କରିଛନ୍ତି । ପୀଡ଼ିତାଙ୍କୁ ଶେଷରେ ନ୍ୟାୟ ମିଳିଛି ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ଏହି ଏନ୍କାଉଣ୍ଟର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଏଥିପାଇଁ ତଦନ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କମିଶନଙ୍କ ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ପାରିପାଶ୍ୱିର୍କ ସ୍ଥିତି ଯାଞ୍ଚ କରିବ ବୋଲି କୁହାଯାଇଛି । କମିଶନ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଏହାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । କୋର୍ଟଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ରାୟ ପ୍ରକାଶ ପାଇନାହିଁ । ଯଦି ସେମାନେ ଦୋଷୀ, ସେମାନଙ୍କୁ କୋର୍ଟଙ୍କ ଦ୍ୱାରା ଆଇନାନୁସାରେ ଦଣ୍ଡାଦେଶ ହୋଇଥାନ୍ତା । କିନ୍ତୁ ତା’ପୂର୍ବରୁ ଏନ୍କାଉଣ୍ଟର କରାଗଲା ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୭ ତାରିଖ ରାତିରେ ପୀଡ଼ିତା ଡାକ୍ତରାଣୀଙ୍କ ସ୍କୁଟିକୁ ଟୋଲ୍ ପ୍ଲାଜା ନିକଟରେ ଅଭିଯୁକ୍ତମାନେ ପଙ୍କଚର କରିଦେଇଥିଲେ । ଏହାପରେ ସ୍କୁଟିକୁ ଠିକ୍ କରିଦେବେ ବୋଲି କହି ନେଇଯାଇଥିଲେ । କିଛି ସମୟ ପରେ ସେମାନେ ଫେରିଥିଲେ । କିନ୍ତୁ ଫେରିବା ପରେ ସେମାନେ ପୀଡ଼ିତାଙ୍କୁ ନିକଟସ୍ଥ ଓଭରବ୍ରିଜ ପାଖକୁ ନେଇ ଗଣବଳାକ୍ରାର କରିଥିଲେ । ଏହାପରେ ପେଟ୍ରୋଲ ଢାଳି ତାଙ୍କୁ ଜାଳିଦେଇଥିଲେ ।
Comments are closed, but trackbacks and pingbacks are open.