ବଲାଙ୍ଗୀର,(ବି.ବି.ନୁ୍ୟଜ୍): ଉପରେ କୁକୁଡ଼ା ଦାନାର ଲେବୁଲ ଥିଲା, ଭିତରେ କିନ୍ତୁ ଭର୍ତ୍ତି ହୋଇଥିଲା ଗଞ୍ଜେଇ । ମୋଟ ୪୪ ବସ୍ତାରେ ପ୍ରାୟ ୧୧ କ୍ୱିଣ୍ଟାଲ ଗଞ୍ଜେଇ ବୋଝେଇ ହୋଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ବାହାରିଥିଲା ଏକ ହାଇୱା । ଦୀର୍ଘ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଅନାୟାସରେ ଗଞ୍ଜେଇ ଚାଲାଣ ହେଉଥିଲେ ହେଁ ବାଟରେ କୌଣସି ସ୍ଥାନରେ ପୁଲିସ ଏ ସମ୍ପର୍କରେ ଟେର୍ ପାଇପାରିଲା ନାହିଁ । ରାଜ୍ୟର ସବୁ ଜିଲ୍ଲାରେ ପୁଲିସ ପାଟ୍ରୋଲିଂ କରୁଛି । ରାତିରେ ଘନଘନ ପହରା ଦେଉଛି । ଅଥଚ ଏତେବଡ଼ ହାଇୱାକୁ କୌଣସି ଜିଲ୍ଲାରେ ପୁଲିସ ଧରିପାରିଲାନି । ତେବେ ବଲାଙ୍ଗୀର ପୁଲିସ ଗତ ରାତିରେ କୌଣସି ସୂତ୍ରରୁ ଖବରପାଇ ଆରଟିଓ ଅଫିସ ଛକ ନିକଟରେ ଜଗି ରହିଥିଲା । ଗାଡ଼ି ଯାଞ୍ଚ କରିବାରୁ ତହିଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଅପରପକ୍ଷେ ଗିରଫ ହେବାପରେ ହାଇୱା ଡ୍ରାଇଭର ନିରଞ୍ଜନ ପଧାନ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବିବୃତି ଦେଇଛି । ହାଇୱାଟି ବାଟରେ ଖରାପ ହେବାରୁ ଡ୍ରାଇଭର ଏକ ଢ଼ାବା ନିକଟରେ ଅଟକି ଗାଡ଼ିର ମରାମତି କରିଥିଲା । ସେଠାରେ କୌଣସି ବ୍ୟକ୍ତି ସନେ୍ଦହକରି ପୁଲିସକୁ ଖବର ଦେଇଥିଲା । ନଚେତ୍ ଗାଡ଼ିକୁ କେହି ଧରିପାରି ନଥାନ୍ତେ ବୋଲି ସେ କହିଛି । ଡ୍ରାଇଭରର ଏଭଳି ବିବୃତି ପୁଲିସକୁ ଖୋଲା ଚାଲେଞ୍ଜ ବୋଲି ଆଲୋଚନା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଗତ ରାତିରେ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବଲାଙ୍ଗୀର-ଟିଟିଲାଗଡ଼ ରାଜପଥର ସ୍ଥାନୀୟ ଆରଟିଓ ଛକଠାରେ ଅଟକି ରହିଥିଲା । ରାତି ପ୍ରାୟ ଦେଢ଼ଟା ସମୟରେ ଏକ ହାଇୱା(ନଂ- ଓଆର ୦୫ ଏବି ୬୭୦୪ ) ଆସୁଥିବା ଦେଖି ପୁଲିସ ଗାଡ଼ିଟିକୁ ଅଟକାଇଥିଲା । ଡ୍ରାଇଭର ନିରଞ୍ଜନ ପୁଲିସକୁ ଦେଖି ଖାଲି ଗାଡ଼ି ନେଇ ଯାଉଥିବା କହିଥିଲା । ମାତ୍ର ତାର ହାବଭାବ ଦେଖି ପୁଲିସ ସନେ୍ଦହରେ ଗାଡ଼ିଟିକୁ ଯାଞ୍ଚ କରିଥିଲା । ବାହାରୁ ଖାଲି ଦେଖାଯାଉଥିବା ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ରହିଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭରକୁ ତୁରନ୍ତ ଗିରଫକରି ହାଇୱାକୁ ପୁଲିସ ନିଜ ଜିମାରେ ରଖିଥିଲା । ଆଜି ପୂର୍ବାହ୍ନରେ ମାଜିଷ୍ଟେ୍ରଟ ସନ୍ତୋଷ ଦାସଙ୍କ ଉପସ୍ଥିତିରେ ଟ୍ରକରୁ ବସ୍ତାଗୁଡ଼ିକୁ ଖୋଲାଯାଇଥିଲା । ଉପରୁ କୁକୁଡ଼ା ଦାନା ବସ୍ତା ଥିବା ବେଳେ ତାଭିତରୁ ସମୁଦାୟ ୪୪ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ପ୍ୟାକେଟ ଖୋଲି ମାପ ହେବାପରେ ତହିଁରୁ ୧୦ କ୍ୱିଣ୍ଟାଲ ୪୨ କେଜି ଗଞ୍ଜେଇ ଜବତ୍ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ଏନେଇ ଅଧିକ ବୁଝିବାରୁ ଜଣାପଡ଼ିଛି ଯେ, ଗତ ୩ଦିନ ତଳେ ଗାଡ଼ିଟି ଚିତ୍ରକୋଣ୍ଡା ଅଞ୍ଚଳରୁ ବାହାରିଥିଲା । ପରେ ୪୭ ନମ୍ବର ରାଜ୍ୟ ରାଜପଥ, ୩୨୬ ନମ୍ବର ଜାତୀୟ ରାଜପଥ ଏବଂ ୨୬ନମ୍ବର ଜାତୀୟ ରାଜପଥ ଦେଇ ଚିତ୍ରକୋଣ୍ଡାରୁ ବାଲିମେଳା, ମୁନିଗୁଡ଼ା, ବୈପାରୀଗୁଡ଼ା, ଜୟପୁର, ବୋରିଗୁମା, ନବରଙ୍ଗପୁର, ପାପଡ଼ାହାଣ୍ଡି, ଆମପାଣି, କୋକସରା, ଜୁନାଗଡ଼, ଉକ୍ରେଲା, କେସିଙ୍ଗା, ଦେଇ ସଇଁନ୍ତଳା ରାସ୍ତାରେ ବଲାଙ୍ଗୀର ଅଭିମୁଖେ ଆସୁଥିଲା । ଦୀର୍ଘ ୪୧୦କିମି ରାସ୍ତା ଦେଇ ସେ ଆସିଥିଲେହେଁ କୌଣସି ସ୍ଥାନରେ ପୁଲିସ କିମ୍ବା ତନଖି ଚେକିଂ ହୋଇନଥିଲା । ଗାଡ଼ିଟି ସମ୍ବଲପୁର ଯିବା ପରେ ସେଠାରେ ଅନ୍ୟ ଜଣେ ଡ୍ରାଇଭର ଏହାକୁ ଧରି ଆଗକୁ ଯାଇଥାନ୍ତା । ଚିତ୍ରକୋଣ୍ଡାରୁ ହାଇୱାକୁ ଆଣି ସମ୍ବଲପୁର ପହଞ୍ଚାଇଥିଲେ ଡ୍ରାଇଭରକୁ ୨୦ହଜାର ଟଙ୍କା ମିଳିଥାନ୍ତା । କିନ୍ତୁ ବଲାଙ୍ଗୀରଠାରେ ଗାଡ଼ିଟି ଧରାପଡ଼ିଯାଇଥିଲା । ହାଇୱା ନମ୍ବରଟି କଟକ ପରିବହନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ବେଳେ ଏହି ତସ୍କରି କାରବାର ପଛରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ‘କାଳିଆ’ ନାମକ ଜଣେ ମଧ୍ୟସ୍ଥି ରହିଥିବା ପ୍ରକାଶ । ଏନେଇ ବଲାଙ୍ଗୀର ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବଲାଙ୍ଗୀର ଏସପି ମଡ଼କର ସନ୍ଦୀପ ସମ୍ପତ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.