ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ଗୋଡ଼ଭଗା ମୁଖ୍ୟରାସ୍ତାର ଅରିଗାଁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ତିନିଜଣ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ବଇପୁର ଗ୍ରାମର ଗୌର ମାଝି(୫୦), ଗୋବିନ୍ଦ ବଗର୍ତ୍ତି(୪୫) ଏବଂ ଜନାର୍ଦ୍ଧନ ବାରିକ(୫୦) । ରୁପପାଲି ଗ୍ରାମର ବରୁଣ ଭୁଏ(୨୭)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିନିକା ଏବଂ ପରେ ସୋନପୁର ସ୍ଥାନାନ୍ତର କରାଯାଇଛି ।
ସୂଚନାମତେ, ବଇପୁର ଗାଁର ଗୌର, ଗୋବିନ୍ଦ, ଜନାର୍ଦ୍ଧନ ଏବଂ ରୁପପାଲି ଗ୍ରାମର ବରୁଣ ଦୁଇଟି ବାଇକ ଯୋଗେ ବିନିକା ଥାନା ଆଖିଁଦାଦର ଗ୍ରାମକୁ ଝିଅ ଦେଖିବା ପାଇଁ ଆସିଥିଲେ । ଝିଅ ଦେଖିସାରି ଘରକୁ ଫେରୁଥିବା ବେଳେ ଅରିଗାଁ ଛକ ରାସ୍ତା କଡରେ ଥିବା ନଳକୂପରୁ ପାଣି ପିଇବା ପାଇଁ ଅଟକିଥିଲେ । ଏହି ସମୟରେ ଗୋଡ଼ଭଗା ପଟରୁ ଦ୍ରୁତଗତିରେ ଏକ ହାଇୱା(ଓଡି୧୫ଡି-୦୮୨୨) ଆସି ସେମାନଙ୍କୁ ଧକ୍କାଦେବା ସହ ଆଗରେ ଛିଡା ହୋଇଥିବା ଅନ୍ୟ ଏକ ବାଇକ୍କୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବଇପୁର ଗ୍ରାମର ଗୌର, ଗୋବିନ୍ଦ ଏବଂ ଜନାର୍ଦ୍ଧନଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଆହତ ବରୁଣଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ୍ କରି ତଦନ୍ତ କରୁଛି । ଆସନ୍ତାକାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ମେଡିକାଲ ତରଫରୁ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୩ ଟି ବାଇକ୍ ଚୁର୍ମାର ହୋଇଯାଇଛି ।
ରିପୋର୍ଟ: ଗୁପ୍ତେଶ୍ୱର ପୁଷ୍ଟି


Comments are closed, but trackbacks and pingbacks are open.