ରଙ୍ଗେଇଲୁଣ୍ଡା, (ବି.ବି.ନୁୃଜ୍): ଗୋଳନ୍ଥରା ଥାନା ଅନ୍ତର୍ଗତ ଚଟି ଛକ ଠାରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି । ସେମାନେ ହେଲେ ଗିରିସୋଲାର ଗଣେଶ ଚୌଧୁରୀ (୩୫) ଏବଂ ପିତାତଳି ପଞ୍ଚାୟତ ନିମକୁଡ଼ିଆର ଜିତୁ ପ୍ରଧାନ (୨୨) । ଆଉ ଜଣେ ଭାଲିଆଗଡ଼ ଗ୍ରାମର ଇ.କୁନା ଦୋରା (୨୬)ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ବାଇକ୍ (ଓଡି୦୭ପି- ୧୧୯୬)ରେ ତିନି ଜଣ ବସି ଇଛାପୁର ଅଭିମୁଖେ ଯାଉଥିଲେ । ତେବେ ରାତି ପ୍ରାୟ ୧୧ଟାରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ହାଇୱା (ଓଡି୦୨ଏମ୍-୪୪୫୪)କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଗୋଳନ୍ଥରା ଥାନା ପୁଲିସ ଓ ସ୍ଥାନୀୟ ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ । ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ଗଣେଶଙ୍କ ନିଜ ଘର ବିହାର ରାଜ୍ୟ, ସେ ଦୀର୍ଘ ଦିନ ହେଲା ଗିରିସୋଲା ଅଞ୍ଚଳରେ ରହି ଗୁପଚୁପ ବିକି ପରିବାର ଚଳାଉଥିଲେ । ସ୍ତ୍ରୀ ଓ ୩ ଝିଅ ସହ ସେ ଗିରିସୋଲା ଶାନ୍ତିନଗରରେ ରହୁଥିଲେ । ଜିତୁ ପେଷାରେ ଜଣେ ଅଟୋ ଡ୍ରାଇଭର୍ । କେଉଁ କାରଣରୁ ଦୁର୍ଘଟଣା ଘଟିଥିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି ଗୋଳନ୍ଥରା ଥାନା ପୁଲିସ । ଗୋଳନ୍ଥରା ଥାନା ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ଗିରିସୋଲା ଠାରୁ ହଳଦିଆପଦର ପର୍ଯ୍ୟନ୍ତ ରାଜପଥ ଅଞ୍ଚଳ ଡେଥ୍ ଜୋନ୍ ଭାବେ କୁଖ୍ୟାତ । ଏହି ଅଞ୍ଚଳରେ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ଏହି ଅଞ୍ଚଳରେ ରାତ୍ର ସମୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଏହାର ପ୍ରତିକାର ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.