ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନିଲମ୍ବିତ ବିଜେପି ବିଧାୟକ କନୱାର ପ୍ରଣବ ସିଂହ ‘ଚାମ୍ପିଅନ’ଙ୍କ ଦବଙ୍ଗଗିରି ଭିଡିଓ ଏବେ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ପ୍ରକାଶ ପାଇବା ସହିତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ କଳା ଗଞ୍ଜି ଓ ଧଳା ଟ୍ରାଉଜର ପିନ୍ଧିଥିବା ବେଳେ ଡାହଣ ହାତରେ ମଦ ପିଇବା ସହିତ ବାମ ହାତରେ ୨ ଟି ବନ୍ଧୁକ ଧରି ହିନ୍ଦୀ ଫିଲ୍ମ ଗୀତ ‘ମୁଝ୍କୋ ରାଣାଜୀ ମାଫ କରନା…’ର ତାଳେ ତାଳେ ନିଜ ଘର ଭିତରେ ଆୟୋଜିତ ହାଉସ୍ ପାର୍ଟିରେ ନାଚୁଥିବା ଦେଖିବାକୁ ମିଳିଛି । ସେହିଭଳି ସେଠାରେ ଉପସ୍ଥିତ ଥିବା ତାଙ୍କର ଜଣେ ସାଥୀଙ୍କୁ ସେ ମଦ ଗ୍ଲାସ ବଢ଼ାଇ ଦେଇ ତାଙ୍କଠାରୁ ଆଉ ଏକ ପିସ୍ତଲ ଡାହାଣ ହାତରେ ଧରୁଛନ୍ତି । ଏପରିକି ଗୋଟିଏ ପିସ୍ତଲକୁ ନିଜ ପାଟିରେ କାମୁଡି କିଛି ସମୟ ଧରିଥିଲେ । ତାଙ୍କ ନିକଟରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗତମାସରେ ସିଂହଙ୍କୁ ୩ ମାସ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା । ଏଥିସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ସିଂହ ଖାନପୁରର ବାସିନ୍ଦା ହୋଇଥିଲା ବେଳେ ହରିଦ୍ୱାର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲକ୍ସର ବିଧାନସଭା ଆସନରୁ ପ୍ରତନିଧିତ୍ୱ କରୁଛନ୍ତି । ପୂର୍ବରୁ ସେ କଂଗ୍ରେସରେ ଥିଲେ । ୩ ବର୍ଷ ତଳେ ସେ ଓ ଅନ୍ୟ ୮ ଜଣ ବିଧାୟକ ଉତ୍ତରାଖଣ୍ଡର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ପରେ ସେମାନେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ଜାତୀୟ ମିଡିଆ ସେଲ୍ ସଶ୍ଛାଦକ ଅନିଲ ବାଲୁନି କହିଛନ୍ତି ସେ ଏହି ଭିଡିଓ ଦେଖିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସେ ଉତ୍ତରାଖଣ୍ଡ ବିଜେପି ଶାଖା ସହିତ ଏହି ପ୍ରସଙ୍ଗରେ କଥାବାର୍ତ୍ତା କରିବେ ।


Comments are closed, but trackbacks and pingbacks are open.