ପାପଡ଼ାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): କୋଭିଡ୍ କଟକଣା ଯୋଗୁ ୨ ବର୍ଷ ହେଲା ବନ୍ଦ ହୋଇଯାଇଛି ହାଟ, ବଜାର । ବିବାହ, ବ୍ରତଠାରୁ ଆରମ୍ଭ କରି ମାଙ୍ଗଳିକ କାର୍ଯ୍ୟରେ କଟକଣା ଜାରି କରାଯାଇଛି । ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ କୌଳିକ ବୃତ୍ତି ବଞ୍ଚାଇ ରଖିବା କଷ୍ଟକର ହୋଇପଡିଛି । ଯାହା ସାମଗ୍ରୀ ତିଆରି କରାଯାଇଥିଲା ବର୍ଷାରେ ସେସବୁ ମଧ୍ୟ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ପାପଡ଼ାହାଣ୍ଡି ବ୍ଲକ୍ ତଣ୍ଡାଗୁଡା ଗାଁର ହଜାରେରୁ ଅଧିକ କୁମ୍ଭାର ପରିବାର । ଫଳରେ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି । ହାତବାନ୍ଧି ବସିଛନ୍ତି ଏହି ପରିବାରର ସଦସ୍ୟମାନେ ।
ତଣ୍ଡାଗୁଡା ଗାଁର କୁମ୍ଭାର ପରିବାର ମାଟି ଦୀପଠାରୁ ଆରମ୍ଭ କରି କଳସ, ଆଳତି, ହାଣ୍ଡି, ସୁରେଇ, ମାଠିଆ, ହାତୀ, ଘୋଡ଼ା ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିକଟ ହାଟ ବଜାରରେ ବିକ୍ରି କରୁଥିଲେ । ଖରାଦିନେ ମାଟି ପାତ୍ରର ଚାହିଦା ଥିବାରୁ ଗ୍ରାହକଙ୍କ ପସନ୍ଦ ଅନୁସାରେ ଛୋଟଠାରୁ ବଡ ହାଣ୍ଡି, ସୁରେଇ ଓ ମାଠିଆ ତିଆରି କରି ବିକ୍ରି କରି ଏହି ପରିବାରର ସଦସ୍ୟମାନେ ଜୀବିକା ନିର୍ବାହ କରୁଥିଲେ । ଏହାଛଡା ବିବାହ, ବ୍ରତ ଓ ମାଙ୍ଗଳିକ କାର୍ଯ୍ୟରେ ମାଟି ତିଆରି ସାମଗ୍ରୀର ଚାହିଦା ଥିବାରୁ ସାମଗ୍ରୀ ବିକ୍ରି ବେଶ୍ ଦି’ପଇସା ରୋଜଗାର କରୁଥିଲେ । କେବଳ ଜିଲ୍ଲାରେ ନୁହେଁ, କଟକର ପ୍ରସିଦ୍ଧ ବାଲିଯାତ୍ରାଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଲୋକ ମହୋତ୍ସବ, ପ୍ରଦର୍ଶନୀ ପଡିଆରେ ନବରଙ୍ଗପୁର ଜିଲ୍ଲାର ଟେରାକୋଟା ସାମଗ୍ରୀର ଚାହିଦା ରହିଆସିଛି । ସବୁକିଛି ଠିକ ଚାଲିଥିବା ବେଳେ କରୋନା ମହାମାରୀ ସବୁ ଓଲଟପାଲଟ କରି ଦେଇଥିଲା । କୋଭିଡ୍ କଟକଣା ଯୋଗୁ ବନ୍ଦ ହୋଇଗଲା ସାପ୍ତାହିକ ହାଟ, ବଜାର । ଗାଡିମୋଟର ଚଳଚଳ ଉପରେ ଲାଗିଲା କଟକଣା । ପୁଲିସ୍ ଓ ପ୍ରଶାସନର କଡ଼ା ପହରା ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇଗଲା । ସାମାଜିକ କାର୍ଯ୍ୟଗୁଡିକ ଉପରେ ମଧ୍ୟ ଲାଗିଲା କଟକଣା । ୩ ମାସ ତଳେ ବିବାହ, ବ୍ରତ ଓ ସାମାଜିକ ଉତ୍ସବ ହେବା ସମ୍ଭାବନା ଥିବାରୁ ଗାଁର କୁମ୍ଭାର ପରିବାର ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ । କିନ୍ତୁ କୋଭିଡ୍ କଟକଣା ଓ ବର୍ଷା ଦାଉ ସାଧିଥିଲା । ଯେଉଁ ସବୁ ସାମଗ୍ରୀ ସେମାନେ ତିଆରି କରିଥିଲେ ସେସବୁ ବିକ୍ରି ନହୋଇ ଘରେ ସେମିତି ପଡ଼ିରହିଲା । ବର୍ଷା ପାଣିରେ ଭିଜି ୪୦ ଭାଗ ସାମଗ୍ରୀ ଏବେ ନଷ୍ଟ ହୋଇଯାଇଥିବା କୁମ୍ଭାରମାନେ କହିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ରୋଜାଗାରର ମାଧ୍ୟମ ବନ୍ଦ ହୋଇଯାଇଛି । ପରିବାର ମୁହଁରେ କିପରି ଦାନା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅଭାବ ଅନଟନରେ ଦିନ କାଟୁଥିବା କୁମ୍ଭକାର ପରିବାରକୁ ତୁରନ୍ତ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।


Comments are closed, but trackbacks and pingbacks are open.