ହାତଯୋଡ଼ି ଚାଷୀଙ୍କୁ ମୋଦିଙ୍କ ଅପିଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ଥିବା କୌଣସି ମଣ୍ଡି ବନ୍ଦ ହେବନି । ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ବ୍ୟବସ୍ଥା ଏବେ ଯେଉଁଭଳି ଚାଲୁଛି ଆଗକୁ ମଧ୍ୟ ସେଭଳି ଚାଲୁ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମଧ୍ୟପ୍ରଦେଶରେ କୃଷକ ସମ୍ମିଳନୀକୁ ସମ୍ବୋଧିତ କରି ହଜାର-ହଜାର ଅନ୍ନଦାତାଙ୍କୁ ହାତଯୋଡ଼ି ଏହା ବୁଝାଇଛନ୍ତି । ଏହି ଅବସରରେ ମୋଦି ବିରୋଧୀମାନଙ୍କ ଉପରେ ଜୋରଦାର ବର୍ଷିବା ସହ ଗୋଟିଗୋଟି କରି କୃଷି ଆଇନର ଲାଭ ସମ୍ପର୍କରେ ଅବଗତ କରାଇଥିଲେ ।
ମୋଦି କହିଥିଲେ ଯେ ନୂଆ କୃଷି ସଂସ୍କାର ଆଇନକୁ ନେଇ ସବୁଠାରୁ ବଡ ଅପପ୍ରଚାର ଏହା ହେଉଛି ଯେ, ଏହି ଆଇନ ଆସିଲେ ଏମ୍ଏସ୍ପି ଲୋପ ପାଇଯିବ । କିନ୍ତୁ ଆମକୁ ଯଦି ଏମ୍ଏସ୍ପି ହଟାଇବାର ଥିଲା ତେବେ ଆମେ ସ୍ୱାମୀନାଥନ କମିଟି କାହିଁକି ଲାଗୁ କରିଥାନ୍ତୁ । ଏମ୍ଏସ୍ପି ବ୍ୟବସ୍ଥା ପୂର୍ବ ଭଳି ବଳବତ୍ତର ରହିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ । କହିଥିଲେ ଏହି ଆଇନ ରାତାରାତି ଆସିନି ବରଂ ଏହି ଆଇନ ଆଣିବାକୁ ଗତ ୨ ଦଶନ୍ଧି ଧରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚର୍ଚ୍ଚା ଜାରି ରଖିଥିଲେ । ଏହି ଆଇନ ଆଣିବା ପୂର୍ବରୁ କୃଷି ବିଶେଷଜ୍ଞ, ଅର୍ଥନୀତିଜ୍ଞ, ବୈଜ୍ଞାନିକ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରାଯାଇଥିଲା । ୬ମାସ ହେଲା ଆଇନ ଆସିଲାଣି । ଏହି ଆଇନ ଅନୁସାରେ ପୁରୁଣା ମଣ୍ଡିରେ ଚାଷୀମାନେ ଫସଲ ବିକ୍ରି କରିଛନ୍ତି ଏବଂ ଏମ୍ଏସ୍ପି ଅନୁସାରେ ମୂଲ୍ୟ ମଧ୍ୟ ପାଇଛନ୍ତି ।
ସେହିଭଳି ଦେଶରେ ଆଉ ମଣ୍ଡି ରହିବନି ବୋଲି ମଧ୍ୟ ଅପପ୍ରଚାର ହେଉଥିବା ମୋଦି ଅଭିଯୋଗ କରିଥିଲେ । କହିଥିଲେ, ପୂର୍ବ ଭଳି ମଣ୍ଡି ରହିବ । କିନ୍ତୁ ଚାଷୀମାନଙ୍କ ନିକଟରେ ମଣ୍ଡି ବାହାରେ ଫସଲ ବିକ୍ରି କରିବାର ବିକଳ୍ପ ରଖାଯିବ । ଏହାଦ୍ୱାରା ଚାଷୀମାନଙ୍କୁ ଯେଉଁଠାରେ ଅଧିକ ଲାଭ ମିଳିବ ସେମାନେ ସେଠାରେ ନିଜର ଫସଲ ବିକି ଅଧିକ ଲାଭାନ୍ୱିତ ହୋଇ ପାରିବେ । ଏହା ଦ୍ୱାରା ୭୦ ବର୍ଷ ଧରି ମଣ୍ଡି ବ୍ୟବସ୍ଥା ମଧ୍ୟରେ ବନ୍ଦୀ ହୋଇ ରହିଥିବା ଚାଷୀ ସ୍ୱାଧୀନତା ପାଇବେ ବୋଲି ମୋଦି କହିଥିଲେ ।
ଦେଶରେ ପୂର୍ବରୁ ମଧ୍ୟ କଣ୍ଟ୍ରାକ୍ଟ ଫାର୍ମିଂ ପ୍ରଚଳିତ ହୋଇ ଆସୁଥିବାରୁ ଚାଷୀ ଏନେଇ ନିଦ୍ୱର୍ନ୍ଦ୍ୱରେ ରହିବାକୁ ମୋଦି ଆଶ୍ୱାସନା ଦେଇଥିଲେ । କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା ଚାଷୀଙ୍କ ସହ ଚୁକ୍ତି କରିଥିବା କମ୍ପାନିର ଲାଭ ହେଲେ ଏହାର ଲାଭ ସିଧାସଳଖ ଚାଷୀର ହେବ ବୋଲି ମୋଦି ପ୍ରକାଶ କରିଥିଲେ । ଏଥିରେ କୌଣସି ଅସୁବିଧା ଉପୁଜିଲେ ଏନେଇ ସ୍ଥାନୀୟ ଅଦାଲତରେ ଅଭିଯୋଗ ଦାଖଲ କରି ଚାଷୀମାନେ ସମସ୍ୟା ସମାଧାନ କରିପାରିବେ ବୋଲି ମୋଦି କହିଥିଲେ ।
ବିରୋଧୀମାନଙ୍କ ଉପରେ ବର୍ଷି ମୋଦିି କହିଥିଲେ, କଂଗ୍ରେସ ଋଣଛାଡ଼ କରିବା ନାଁରେ ଚାଷୀଙ୍କୁ ଭ୍ରମିତ କରୁଛି । ୟୁପିଏ ସରକାର ସମୟରେ ମାତ୍ର ଥରୁଟିଏ ୫୦ ହଜାର କୋଟିର ଋଣଛାଡ କରିଛି । କିନ୍ତୁ ଏନ୍ଡିଏ ସରକାର ପ୍ରତିବର୍ଷ ଏହାଠାରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛି । ଆଜି କୃଷି ଆଇନକୁ ବିରୋଧ କରୁଥିବା ରାଜନୈତିକ ଦଳମାନେ ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ଆମେ ତାହା କରି ଦେଖାଇଥିବାରୁ ବିରୋଧୀମାନେ ଅସହାୟ ହୋଇ ଅପପ୍ରଚାର କରୁଛନ୍ତି । ସେ କହିଲେ ଯେ ନୂଆ କୃଷି ଆଇନର ଶ୍ରେୟ ଆମର ଦରକାର ନାହିଁ । ସବୁ ଶ୍ରେୟ ବିରୋଧୀମାନେ ନିଅନ୍ତୁ । କିନ୍ତୁ ଚାଷୀମାନଙ୍କୁ ଭଲରେ ରହିବାକୁ ଦିଅନ୍ତୁ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦେଶର ଅଧିକାଂଶ ଚାଷୀ ଏହି କୃଷି ଆଇନ ସହ ଅଛନ୍ତି । କିନ୍ତୁ ଏବେ ମଧ୍ୟ ଯଦି କେହି ଏନେଇ ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ସେ ମଥାପାତି, ହାତଯୋଡ଼ି ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଥିଲେ । ଆସନ୍ତା ଡିସେମ୍ବର ୨୫ରେ ଅଟଳଜୀଙ୍କ ଜୟନ୍ତୀରେ ସେ ଏନେଇ ପୁଣିଥରେ ଚାଷୀମାନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons