ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ହାତୀ ଆତଙ୍କ। ପୃଥକ ପୃଥକ ତିନୋଟି ସ୍ଥାନରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଇଥିଲେ। ହଠାତ୍ ହାତୀ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। ହାତୀ କବଳରୁ ମୁକୁଳି ପାରି ନ ଥିଲେ। ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ଯୁଗଳଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ଚନ୍ଦ୍ରାଦେଈପୁର ଗାଁର ମକର ପଲେଇ ନାମକ ଜଣେ ୮୦ ବର୍ଷର ବୃଦ୍ଧ ଆଜି ସକାଳେ ଜମିରେ କାମ କରୁଥିଲେ। ହଠାତ୍ ହାତୀ ଆସି ତାଙ୍କ ଛାତି ଉପରେ ଗୋଡ଼ ପକାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଚୈତନ୍ୟ ସାହୁଙ୍କ ଘର ରାଜତଇ ଗାଁରେ।
ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ ଚନ୍ଦକା ଅଞ୍ଚଳରୁ ଏକ ଦନ୍ତା ହାତୀ ଆସି ଡେଲାଙ୍ଗ ଅଞ୍ଚଳରେ ଉପଦ୍ରବ କରୁଛି। ସେ ଗତକାଲି କୁଆପଦାରେ ପ୍ରବେଶ କରିଥିଲା। ଖବର ପାଇ ବନ ବିଭାଗ ହାତୀ ଉପରେ ନଜର ରଖିଥିଲା। ହେଲେ ଆଜି ସକାଳେ ତିନୋଟି ଜୀବନ ଚାଲିଗଲା।
ସରକାରୀ ନିୟମ ଅନୁଯାୟୀ, ଏହି ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ ସୂଚନା ମିଳିଛି।
Comments are closed, but trackbacks and pingbacks are open.