ରାୟଗଡ଼ା,(ବି.ବି.ନୁ୍ୟଜ): ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଡେଙ୍ଗୀସୁର ଗାଁରେ ହାତୀ ଉପଦ୍ରବ । ସୋମବାର ରାତିରେ ହାତୀପଲ ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୪ ପରିବାର । ସେମାନେ ହାତୀ ଆସିଥିବା ଜାଣି ରାତି ହେବା ପୂର୍ବରୁ ପିଲାଛୁଆଙ୍କୁ ଧରି ଚାଲି ଯାଇଥିଲେ ଜଙ୍ଗଲ ଭିତରକୁ । ସେଠାରେ ରାତିତମାମ ଆଶ୍ରୟ ନେଇଥିଲେ । ଅନ୍ୟପକ୍ଷରେ ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଘର ହରାଇଥିବା ଲୋକମାନେ ହେଲେ ଗାଁର ପଟ ମାଝୀ, ଶାସେ ମାଝୀ ଓ ରାଓ ମାଝୀ ।
ମିଳିଥିବା ସୂଚନା ଅନୁଯାୟୀ,ୠତ କିଛିଦିନ ହେଲା ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଏକ ହାତୀ ପଲ ପଶି ଆସିଛନ୍ତି । ଏହି ଦଳରେ ୧୨ଟି ହାତୀ ରହିଛନ୍ତି । ସେମାନେ ଉଭୟ ଜିଲ୍ଲାର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ଓ ଘର ନଷ୍ଟ କରୁଛନ୍ତି । ରାୟଗଡ଼ା ଜିଲ୍ଲାର ରଘୁବାରୀ, ଡିମିରିଗୁଡ଼ା ଓ ଇଚ୍ଛାପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷତି ଘଟାଇଛନ୍ତି । ଦୁଇ ସପ୍ତାହ ହେଲା ହାତୀପଲ ଚାଷ ଜମିରେ ଘୂରି ବୁଲିବା ସହ ପାଖ ନଦୀନାଳର ପାଣି ପିଇ ରହୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ହାତୀପଲ ଡେଙ୍ଗୀସୁର ଗାଁ ନିକଟରେ ଆସି ଅଟକିଥିଲେ । ଆତଙ୍କିତ ହୋଇପଡ଼ିଥିଲେ ଗ୍ରାମବାସୀ । ପିଲାଛୁଆଙ୍କୁ ଧରି ଗାଁ ପାଖ ଜଙ୍ଗଲରେ ରାତି ବିତାଇଥିଲେ ।
ଆଜି ସକାଳେ ଗ୍ରାମବାସୀ ଗାଁକୁ ଫେରିଥିଲେ । ହାତୀମାନେ ନଷ୍ଟ କରିଥିବା ଘରଗୁଡ଼ିକୁ ଦେଖି ତାଜୁବ୍ ହୋଇଥିଲେ । ରାତିରେ ଘର ଛାଡ଼ି ଜଙ୍ଗଲକୁ ଯାଇନଥିଲେ ଅବସ୍ଥା କ’ଣ ହୋଇଥାନ୍ତା ବୋଲି କହିଥିଲେ । ଗାଁର ପଟ, ଶାସେ ଓ ରାଓଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଅନ୍ୟ କେତେଜଣଙ୍କ ଘରର କାଠ, ବାଉଁଶ ନଷ୍ଟ କରିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ୩ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.