ହାତୀ ଆକ୍ରମଣରେ ୩ ମୃତ, ୩ ଆହତ

Get real time updates directly on you device, subscribe now.

ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ର ବଳଙ୍ଗା ଥାନା ଅଞ୍ଚଳରେ ବଣୁଆ ଦନ୍ତା ହାତୀ ଆତଙ୍କ । ହାତୀ ଆକ୍ରମଣରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଉଛନ୍ତି ସ୍ଥାନୀୟ ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷ ବୟସ୍କ ମକର ପଲେଇ, ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୬୦ ବର୍ଷ ବୟସ୍କ ଯୁଗଳକିଶୋର ଭଟ୍ଟ ଏବଂ ରାଜତଇ ଗାଁର ୪୦ ବର୍ଷ ବୟସ୍କ ଚୈତନ୍ୟ ସାହୁ ।
ରବିବାର ସକାଳେ ମକର ତାଙ୍କ ବିଲରେ କାମ କରୁଥିବା ବେଳେ ଅଚାନକ ଦନ୍ତା ହାତୀ ତାଙ୍କୁ କଚାଡ଼ି ମାରି ପକାଇଥିଲା । ସେହିପରି ରାଜତଇ ଗାଁ’ର ଚୈତନ୍ୟ ମଧ୍ୟ ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡରେ ପଡି ପ୍ରାଣ ହରାଇଥିଲେ। ପରେ ପରେ ଦନ୍ତାହାତୀ ଭାର୍ଗବୀ ନଦୀ ପାର ହୋଇ ଆରପାରିରେ ପହଞ୍ଚିଥିଲା । ଏବେ ହାତୀଟି ରଡତି ଅଞ୍ଚଳରେ ରହିଛି।
ଗତକାଲି ରାତିରେ ଦନ୍ତାହାତୀ ଡେଲାଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିଲା । ରାତାରାତି ସେ ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଚାଲି ଆସି ସକାଳୁ ଉତ୍ପାତ ଆରମ୍ଭ କରିଛି । ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ହାତୀ ଘଉଡାଇବା ପାଇଁ ଉଦ୍ୟମ ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons