‘ହାତ’ ଛାଡ଼ିଲେ ସୂରିୟା ରାଓ

0

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନ୍ୟୁଜ୍): କଂଗ୍ରେସର ହାତ ଛାଡ଼ିଛନ୍ତି ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ସୂରିୟା ରାଓ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରର ନକଲ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଗଜପତି ଡିସିସି ସଭାପତି ବିଭୂତି ପାତ୍ରଙ୍କୁ ମଧ୍ୟ ଦେଇଛନ୍ତି । ସାତ ବର୍ଷର ସମ୍ପର୍କକୁ ଛିନ୍ନ କରି ନିଜ ବାସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏଭଳି ଘୋଷଣା କରିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ପରାଜିତ ପ୍ରାର୍ଥୀ ସୂରିୟା ରାଓ ।
ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦଳୀୟ ନେତୃତ୍ୱଙ୍କ ପରିଚାଳନାଗତ ତୃଟିକୁ ଦାୟୀ କରିଛନ୍ତି । ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି ଯେ ୨୦୧୪ ନିର୍ବାଚନ ସମୟରେ ରାଜ୍ୟରେ ବିଜେଡି ସପକ୍ଷରେ ହାୱା ସତ୍ତେ୍ୱ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଜିଣିଥିଲେ । ନିର୍ବାଚନରେ ବିଜୟ ହେବା ପରେ ସମସ୍ତ ଶକ୍ତି ବିନିଯୋଗ କରି ଦଳକୁ ସଂଗଠିତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସବୁବେଳେ ଦଳ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଥିବା ଅଭିଯୋଗ କରିଛନ୍ତି । ୨୦୧୯ ନିର୍ବାଚନରେ ବିଧାୟକମାନଙ୍କୁ ପୁଣି ଟିକେଟ୍ ଦିଆଯିବ ବୋଲି ନିର୍ବାଚନ ୬ ମାସ ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ତାଙ୍କ ଟିକେଟ୍ ଝୁଲାଇ ରଖାଗଲା । ଏହାଫଳରେ ବିଦ୍ରୋହୀ ତଥା ବିରୋଧୀ ପ୍ରତିଦ୍ୱନ୍ଦ୍ୱୀ ଏହାର ସୁଯୋଗ ନେଇଥିଲେ । ଭୋଟର ଓ କର୍ମୀ ଟିକେଟ୍ ନେଇ ଦ୍ୱନ୍ଦ୍ୱରେ ରହିଲେ । ବିଜେପିର ଷ୍ଟାର ପ୍ରଚାରକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା, ବିଜେଡି ତାରକା ପ୍ରଚାରକ ନବୀନ ପଟ୍ଟନାୟକ ବିଜେଡି ପାଇଁ ପ୍ରଚାର କରିଥିଲେ । କିନ୍ତୁ କଂଗ୍ରେସ ପ୍ରଚାର କାର୍ଯ୍ୟରେ ଏଭଳି ଦେଖା ଦେଇନଥିଲା ।
ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିନାହାନ୍ତି । ବିଜେପି ବ୍ୟତୀତ କର୍ମୀମାନେ ଯେଉଁ ଦଳକୁ ଯିବା ପାଇଁ କହିବେ ସେହି ଦଳକୁ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଦଳର ବିପର୍ଯ୍ୟୟ ସ୍ଥିତି ସମୀକ୍ଷା କରିବାକୁ ଗତକାଲି ବୈଠକ ଡକାଇଥିଲେ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ । ତେବେ ସମୀକ୍ଷା ବୈଠକର ୨୪ ଘଣ୍ଟା ନପୁରୁଣୁ ଦଳ ତ୍ୟାଗ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗତ ନିର୍ବାଚନରେ ସୂରିଆ ରାଓଙ୍କ ପରାଜୟ ଯେତିକୁ ଆଘାତ ଦେଇନି କଂଗ୍ରେସର ସିଟିଂ ଆସନରେ ଦଳ ଚତୁର୍ଥ ସ୍ଥାନକୁ ଖସିବା ଘଟଣାକୁ ସେ ସହଜରେ ଗ୍ରହଣ କରି ପାରିନଥିଲେ । ଏଥିପାଇଁ କେବଳ କର୍ମୀ ଦାୟୀ ନୁହଁନ୍ତି । ବରଂ ଦଳୀୟ ନେତୃତ୍ୱ ଦାୟୀ ବୋଲି ସେ ସ୍ପଷ୍ଟ କରିଛନ୍ତି । ଦଳ ବିରୋଧୀ କାମ କରିଥିବା ବ୍ୟକ୍ତିଙ୍କୁ ଦଳରୁ ବହିଷ୍କାର କରିଥିବା ଘୋଷଣା ହୋଇଥିଲେ ମଧ୍ୟ ଦଳର ରାଜ୍ୟ ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ତାଙ୍କୁ ଧରି ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲିିଥିଲେ । ପର୍ଯ୍ୟବେକ୍ଷକ ଏଠାକୁ ଆସି ଦଳକୁ ଭାଗ ଭାଗ କରିବାରେ ସହଯୋଗ କରିଥିଲେ । ଦଳ ଅଣଦେଖା କରାଯାଉଥିବା ଅନୁଭବ କରି ଦଳରୁ ଇସ୍ତଫା ଦେଉଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons