ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

Get real time updates directly on you device, subscribe now.

ସମ୍ୱଲପୁର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ପାଇଁ ଆସନ୍ତାକାଲି ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯିବ । ତେବେ ହୀରାକୁଦ ତଳମୁଣ୍ଡ ତଥା ତେଲନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ସାଙ୍କେତିକ ଭାବେ ପ୍ରଥମ ଦିନରେ କେବଳ ଗୋଟିଏ ଗେଟ୍ ଖୋଲାଯିବ ବୋଲି ଜଳ ସଂପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଆଜିର ସୂଚନା ମତେ, ସନ୍ଧ୍ୟା ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୩ ଫୁଟ୍ ଥିବା ବେଳେ ଜଳଭଣ୍ଡାର ଭିତରକୁ ୯୭.୫୯୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ୍ ଓ ପାୱାର ଚେନାଲ୍ ଦେଇ ୧୬ ହଜାର ୫୫୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ପାୱାର୍ ଚ୍ୟାନେଲ୍ ଦେଇ ୧୩ ହଜାର ୯୫୪ କ୍ୟୁସେକ୍, ବିଭିନ୍ନ କେନାଲ ଦେଇ ୨୪୨୭ କ୍ୟୁସେକ୍ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ୧୭୦ କ୍ୟୁସେକ୍ ପାଣି ଯୋଗାଣ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ମାତ୍ର ୧୨.୯୨ ମିମି ଏବଂ ତଳମୁଣ୍ଡରେ ୧୩୯.୨୨ ମିମି ବର୍ଷା ରେକର୍ଡ କରାଯାଇଛି । ମୋଟାମୋଟି ଭାବେ ତଳ ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ତେଲନଦୀରେ ବନ୍ୟା ପରିସ୍ଥିତି ଉପୁଜି ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ କମ୍ ବର୍ଷା ଏବଂ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ଯୋଗୁଁ ଜଳ ପରିଚାଳନା ରୁଲ୍ କର୍ଭ ନିୟମାନୁସାରେ ଆସନ୍ତାକାଲି ପ୍ରଥମ ଦିନରେ କେବଳ ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲିବା ପାଇଁ ବନ୍ଧ କର୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପରେ ଯେକୌଣସି ମୂହୁର୍ତ୍ତରେ ହୀରାକୁଦର ଗେଟ୍ ଖୋଲିବ । ତେବେ ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡିକୁ ପୂର୍ବରୁ ସତର୍କ ସୂଚନା ଦିଆଯାଇଥିବା ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons