ହୀରାକୁଦ ବନ୍ଧ ସୁରକ୍ଷା ପ୍ରସଙ୍ଗ:ବଳକା ୧୦ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ନିଦେ୍ର୍ଧଶ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ହୀରାକୁଦ ବନ୍ଧ ଦେଶର ୨୨୫ଟି ବୃହତ ନଦୀବନ୍ଧ ମଧ୍ୟରୁ ଅନ୍ୟତମ ପ୍ରକଳ୍ପ ଭାବେ ବିଶ୍ୱବ୍ୟାଙ୍କର ଡ୍ରିପ୍ ଯୋଜନାରେ ସାମିଲ ହୋଇ ଆସିଛି । ବିଶ୍ୱବ୍ୟାଙ୍କ ଅନୁଦାନରୁ ହୀରାକୁଦରେ ଇତିମଧ୍ୟରେ କୋଟି କୋଟି ଟଙ୍କାର ମରାମତି ଏବଂ ସର୍ଭେ କାମ ଚାଲି ଆସିଛି । ହେଲେ ଏହାର ଅବଧି ପୁଣି ୨ ବର୍ଷ ବୃଦ୍ଧି ପାଇବା ପରେ ଆସନ୍ତା ୨୦୨୦ ଜୁନ୍ ୨୯ ତାରିଖରେ ଶେଷ ହେବାକୁ ଯାଉଛି । ଫଳରେ ବର୍ତ୍ତମାନ ଏହି ଯୋଜନା ଅଧୀନରେ ହୀରାକୁଦରେ ଚାଲୁଥିବା ବଳକା କାମକୁ ନେଇ ଚିନ୍ତା ଘାରିଲାଣି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୬ଟି ନଦୀବନ୍ଧ ଯୋଜନା ସମେତ ହୀରାକୁଦର ବଳକା ଥିବା ମୋଟ୍ ୩୪ଟି କାମ ଶୀଘ୍ର ସାରିବାକୁ ରାଜ୍ୟ ସରକାର ତାଗିଦପୂର୍ଣ ନିଦେ୍ର୍ଧଶ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ହୀରାକୁଦ ବନ୍ଧର ୧୦ଟି ପ୍ରକଳ୍ପ ପାଇଁ ଏକ୍ସନ୍ ପ୍ଲାନ୍ ତୁରନ୍ତ ପ୍ରସ୍ତୁତ କରି ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଓଡିଶା ସମେତ ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣାଟକ ଏବଂ ଉତ୍ତରାଞ୍ଚଳ ଆଦି ୬ଟି ରାଜ୍ୟର ୨୨୫ଟି ବୃହତ ନଦୀବନ୍ଧ ଯୋଜନାର ସୁରକ୍ଷା ଏବଂ ପରିଚାଳନା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଡ୍ୟାମ୍ ରିହାବିଲିଟେସନ୍ ଆଣ୍ଡ ଇମ୍ପ୍ଲିମେଣ୍ଟେସନ୍ ପ୍ରୋଜେକ୍ଟ (ଡ୍ରିପ୍) ଯୋଜନା ଗତ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ଏଥିପାଇଁ ୨୧ ଶହ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ଦେଇଥିଲା । ଏଥିରେ ଓଡିଶାର ୨୬ଟି ପ୍ରକଳ୍ପ ସାମିଲ ହୋଇଛି । ହୀରାକୁଦ ତନ୍ମଧ୍ୟରୁ ଅନ୍ୟତମ । ଏହି ଅନୁଦାନରେ ଆଜି ପର୍ଯ୍ୟନ୍ତ ବନ୍ଧରେ ହୋଇଥିବା ସବୁ ସୁରକ୍ଷା ସଂପର୍କିତ କାମ ହୋଇଆସିଛି । ବନ୍ଧର ମରାମତି, ସର୍ଭେ, ଆଗକୁ ହେବାକୁ ଥିବା ଅତିରିକ୍ତ ସ୍ପିଲ୍ୱେ ଆଦି ସବୁ ଡ୍ରିପ୍ ଦ୍ୱାରା ଚାଲିଛି । ଏହାର ଅବଧି ଗତ ୨୦୧୮ ଜୁନ୍ ମାସରେ ଶେଷ ହେବାର ଥିବା ବେଳେ ସାରା ଦେଶରେ ଆଉ ୨ ବର୍ଷ ଅବଧି ବଢିଥିଲା ।
ଏବେ ତାହା ଆସନ୍ତା ଜୁନ୍ ୨୯ ତାରିଖ ୨୦୨୦ରେ ଶେଷ ହେବ । ଏହା ପୂର୍ବରୁ ସବୁ ବାକି ଥିବା ପ୍ରକଳ୍ପକୁ ସାରିବାକୁ ଡ୍ରିପ୍ କର୍ତ୍ତୃପକ୍ଷ ସବୁ ରାଜ୍ୟକୁ ସତର୍କ କରାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଓଡିଶାର ୨୬ଟି ନଦୀବନ୍ଧରେ ମୋଟ୍ ୩୪ଟି ପ୍ରକଳ୍ପ ଅଧା ଅବସ୍ଥା ପଡି ରହିଛି । ସେଗୁଡିକର କାମ ଶୀଘ୍ର ସାରିବାକୁ ତୁରନ୍ତ ଏକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ସକାଶେ ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗର ବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀ ସଂପୃକ୍ତ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହୀରାକୁଦରେ ବର୍ତ୍ତମାନ ୧୦ଟି କାମ ବାକି ରହିଥିବା ଜଣାପଡିଛି ।
ସେଗୁଡିକ ମଧ୍ୟରେ ବନ୍ଧର ଯାନ୍ତ୍ରିକକରଣ, ସବୁ ତଥ୍ୟର ଡିଜିଟାଲକରଣ, ବନ୍ଧ ପରିଚାଳନା ସଂପର୍କିତ ବହି ପତ୍ର ଜର୍ଣାଲ୍ର ବ୍ୟବସ୍ଥା ପାଇଁ ମାନବ ସମ୍ବଳ ବିକାଶ, ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ର ପ୍ରଚଳନ, ଡ୍ରୋନ୍ କ୍ୟାମେରା କିଣା, ନୂତନ ଭାବେ ନିର୍ମାଣ ହେବାକୁ ଥିବା ସ୍ପିଲ୍ୱେ ଉପରେ ସୁଉଚ୍ଚ ପୋଲ ନିର୍ମାଣ, ପ୍ରସ୍ତାବିତ ବିସ୍ଥାପନ କଲୋନିର ବିକାଶ, ରାଇଟ୍ ଡାଇକ୍ ପଟରେ ଅତିରିକ୍ତ ସ୍ପିଲ୍ୱେ ପାଇଁ ସର୍ଭେ ଏବଂ ଅନୁଧ୍ୟାନ, ହାଇଡ୍ରୋଲଜିର ଅନୁଧ୍ୟାନ, ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ, ସ୍ପିଲ୍ୱେର ନବୀକରଣ ସାଙ୍ଗକୁ ପୁରୁଣା ରିପୋର୍ଟର ସଂଗ୍ରହ ଏବଂ ନିର୍ମାଣ ହେବାକୁ ଥିବା ଅତିରିକ୍ତ ସ୍ପିଲ୍ୱେର ଗୁଣାବତ୍ତା ସମୀକ୍ଷା ପାଇଁ ଏକ କନ୍ସଲ୍ଟାନ୍ସି ସଂସ୍ଥା ନିଯୁକ୍ତି ଆଦି କାମ ବାକି ରହିଛି । ତେବେ, ଏହି କନ୍ସଲ୍ଟାନ୍ସି ସଂସ୍ଥାର ସାକ୍ଷାତକାର ସରିଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ହୋଇପାରିନାହିଁ ।
ଏଭଳି ସ୍ଥିତିରେ ଡ୍ରିପ୍ ପ୍ରକଳ୍ପ ସରିବାକୁ ହାତରେ ଆଉ ମାତ୍ର ୯ ମାସ ସମୟ ଥିବାରୁ ଏହି ସମୟ ସୁଦ୍ଧା ବଳକା କାମ ସାରିବା ଏବେ ବନ୍ଧ କର୍ତ୍ତୃପକ୍ଷଙ୍କ ପାଇଁ ବଡ ଆହ୍ୱାନ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons