କୋରାପୁଟ,(ବି.ବି.ନୁ୍ୟଜ୍): ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଆତଙ୍କ । ଫ୍ରାନ୍ସର ପର୍ଯ୍ୟଟକ ଜଣଙ୍କ କୋରାପୁଟ ଅଭିମୁଖେ ଯାତ୍ରା କରୁଥିଲେ । ଟ୍ରେନର ଏସ୍-୬ ବଗିରେ ରହିଥିଲେ । କରୋନାରେ ସେ ଆକ୍ରାନ୍ତ ଥିବା ଆଶଙ୍କା କରି କେତେକ ଯାତ୍ରୀ ନିଜ ନିଜ ସଂପର୍କୀୟଙ୍କୁ ଜଣାଇବା ପରେ ଏହା ଚାରିଆଡେ ବ୍ୟାପି ଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟେସନରେ କଡ଼ା ସତର୍କତା ଅବଲମ୍ବନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ସହିତ ବିଭିନ୍ନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ତଳକୁ ଆଣିଥିଲେ । ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ କରୋନା ସଂକ୍ରମିତ ନଥିବା ଜଣାପଡ଼ିଥିଲା । ଏହି ବିଦେଶୀ ପର୍ଯ୍ୟଟକ ଜଣଙ୍କ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ୧୨ଦିନ ଚିକିତ୍ସିତ ହୋଇଥିବା କାଗଜ ଦେଖାଇଥିଲେ । ଭାରତ ଆସିବାର ଆଜି ୧୩ ଦିନ ଥିଲା । ୧୪ ଦିନ ହୋଇ ନଥିବାରୁ ଆଉ ଗୋଟିଏ ଦିନ ହୋଟେଲର ଏକ ସ୍ୱତନ୍ତ୍ର କୋଠରୀରେ ରହିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର କୁମାର ଲିମା କହିଛନ୍ତି ।
ମଙ୍ଗଳବାର ରାତିରେ ବିଦେଶୀ ପର୍ଯ୍ୟଟକ ଜଣଙ୍କ ନିରାକାରପୁର ଷ୍ଟେସନରୁ କୁଆଡେ ଏହି ଟ୍ରେନ୍ରେ ଚଢିଥିଲେ । ସେ କରୋନା ସନ୍ଧିଗ୍ଧ ବୋଲି ଅପପ୍ରଚାର ହୋଇଥିଲା । ଏ ସଂପର୍କରେ ଯାତ୍ରୀମାନେ ସଂଗେ ସଂଗେ ଟିଟିଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ପରେ ଫୋନ୍ରେ ସଂପର୍କୀୟମାନଙ୍କୁ ଜଣାଇଥିଲେ । ରାତିରେ ହିଁ କଥା ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ ନିକଟରେ । ପ୍ରଶାସନର ନିଦେ୍ର୍ଧଶରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଶରତ କୁମାର, କୋରାପୁଟ ଷ୍ଟେସନ ମ୍ୟାନେଜର ଏନ. କେ. ଭିତିରିଆ, ଆରପିଏଫ ଆଇଆଇସି ଅପରେଶ ବେହେରା, ଟାଉନ ଥାନା ଆଇଆଇସି ପୀତବାସ ଧାରୁଆ, ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର କୁମାର ଲିମାଙ୍କ ସମେତ ଶ୍ରମ ଓ ପୌର କର୍ମଚାରୀ କୋରାପୁଟ ଷ୍ଟେସନରେ ଜଗି ରହିଥିଲେ । ଟ୍ରେନ୍ଟି ଏଠାରେ ପହଞ୍ଚିବା ପରେ ଉପରୋକ୍ତ ପଦକ୍ଷେପ ନିଆଯାଇଥିଲା ।
ବିଦେଶୀ ପର୍ଯ୍ୟଟକ ଜଣଙ୍କ କୋରାପୁଟ ଜିଲ୍ଲାର ଅନକାଡେଲି ଯିବା ପାଇଁ ତାଙ୍କ ରୁଟ ଚାର୍ଟରେ ରଖିଥିଲେ । ଏହା ଜଣାପଡ଼ିବା ପରେ ତାଙ୍କୁ ବାରଣ କରାଯାଇଥିଲା । କରୋନା ଭୟ ଥିବାରୁ ଅନକାଡେ଼ଲି ହାଟକୁ ବିଦେଶୀମାନଙ୍କୁ ବାରଣ କରାଯାଇଛି । ତେଣୁ ତାଙ୍କୁ ମଧ୍ୟ ସେଠାକୁ ନଯିବା ଲାଗି କୁହାଯାଇଥିବା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଲିମା କହିଛନ୍ତି । ଅନ୍ୟପକ୍ଷରେ ଆରପିଏଫ ଆଇଆଇସି ଅପରେଶ ବେହେରା କହିଛନ୍ତି, ବିଦେଶୀ ପର୍ଯ୍ୟଟକ ଜଣଙ୍କ ଦିଲ୍ଲୀରୁ ମାର୍ଚ୍ଚ ୫ ତାରିଖରେ ବାହାରି ଭୁବନେଶ୍ୱର ଆସିଥିଲେ । ଟ୍ରେନ୍ରେ ଆସି କୋରାପୁଟରେ ପହଞ୍ଚିବା ପରେ ଏକ ହୋଟେଲରେ ରହି ଅନକାଡେ଼ଲି ଯାଇଥାନ୍ତେ । ଆସନ୍ତା ୨୧ ତାରିଖରେ ବିଶାଖାପାଟଣା ଏବଂ ୨୫ରେ ଚେନ୍ନାଇ ଯାଇଥାନ୍ତେ । ସେଠାରୁ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା ।


Comments are closed, but trackbacks and pingbacks are open.