ଜୟପୁର,(ବି.ବି.ନୁ୍ୟଜ୍): ୬ ବର୍ଷର ଝିଅଟିଏ । ଜୀବନ ଯୁଦ୍ଧରେ ହାରିଯାଇଛି ସତ, ହେଲେ ମୃତୁ୍ୟ ପରେ ୩ଜଣଙ୍କ ଜୀବନ ବଞ୍ଚାଇ ଦେଇଛି । ଏହାକୁ ନେଇ ଚର୍ଚ୍ଚାରେ ରହିଛି ଜୟପୁରର ଏହି କୁନି ଝିଅ ଦେବୀଶ୍ରୀ ଭାମନୀ । ଆରବର ଆବୁଧାବିରେ ରହୁଥିବା ବେଳେ ହଠାତ୍ ହୃଦ୍ଘାତରେ ଲିଭିଯାଇଥିଲା ତା’ ଜୀବନ ଦୀପ । ଏକମାତ୍ର ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ବାପା ଅରୁଣ କୁମାର ଓ ମାଆ କୀର୍ତ୍ତି । ତଥାପି ଦେବୀଶ୍ରୀର କିଡ୍ନୀ, ଲିଭର୍ ଏବଂ ପାନକ୍ରିୟାଜ୍ ଦାନ କରିଥିଲେ । ଏହି ୩ଟି ଅଙ୍ଗ ୭ ବର୍ଷର ଜଣେ ଶିଶୁ ଆଡାମ ସମେତ ୩ଜଣଙ୍କ ଜୀବନ ବଞ୍ଚାଇ ଦେଲା । ଦେବୀଶ୍ରୀ ସାଜିଲେ ଦେବକନ୍ୟା, ସେଠାକାର ପ୍ରଥମ ଅଙ୍ଗଦାତା, ଯାହାର ଅଙ୍ଗଗୁଡିକ ଆବୁଧାବିର ୨ଜଣ ଏବଂ ସାଉଦି ଆରବିଆର ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି । ଏହାକୁ ନେଇ ଆବୁଧାବି ଶେଖ ଖଲିଫା ହସ୍ପିଟାଲ୍ କାନ୍ଥରେ ଦେବୀଶ୍ରୀର ସ୍ମୃତି ଉଦେ୍ଧଶ୍ୟରେ ଏକ ସ୍ୱତନ୍ତ୍ର ଫଳକ ସ୍ଥାନ ପାଇଛି । ଦେବୀଶ୍ରୀକୁ ନେଇ ସାରା ଆରବ ଦେଶ ଆଜି ଗର୍ବ କରୁଛି ।
ଦେବୀଶ୍ରୀର ମାଆ କୀର୍ତ୍ତିଙ୍କ ଘର ହେଉଛି ଜୟପୁର ସହରର ଭୂପତି ସାହିରେ । ସ୍ଥାନୀୟ ମଡର୍ଣ୍ଣ ଇଂଲିଶ ସ୍କୁଲରେ ସେ ପାଠ ପଢୁଥିଲେ । ସ୍କୁଲ ଶିକ୍ଷା ଶେଷ କରିବାପରେ ରଣ୍ଡାପାଲ୍ଲୀରେ ଥିବା ଫାର୍ମାସୀ କଲେଜରେ ଅଧ୍ୟୟନ କରିଥିଲେ । ଆନ୍ଧ୍ରପ୍ରଦେଶର ଅରୁଣ କୁମାରଙ୍କୁ ବିବାହ କରିବା ପରେ ଚାଲିଯାଇଥିଲେ ବିଦେଶ । ଲଣ୍ଡନରେ କିଛି ବର୍ଷ ରହିଥିଲେ । ସେଠାରେ ଜନ୍ମ ହୋଇଥିଲା ଦେବୀଶ୍ରୀ । ଏହାପରେ ସେମାନେ ଚାଲିଯାଇଥିଲେ ଆବୁଧାବି । ଆବୁଧାବିରେ ଥିବା ବ୍ରିଟିଶ ଇଣ୍ଟରନ୍ୟାସ୍ନାଲ ସ୍କୁଲରେ ପଢୁଥିଲା ଦେବୀଶ୍ରୀ । ପହଁରିବା ତା’ର ପ୍ରଥମ ପସନ୍ଦ ଥିଲା । ଏଥିଲାଗି ସ୍କୁଲରେ ସୁଇମିଂ କ୍ଲାସ୍ ମଧ୍ୟ କରୁଥିଲା । ହଠାତ୍ ଦିନେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା । ଡାକ୍ତର କହିଥିଲେ, ଦେବୀଶ୍ରୀ ପ୍ରାଇମେରୀ ପଲ୍ମିନାରୀ ହାଇପର୍ଟେନସନ୍(ପିଏଚ୍) ରୋଗରେ ପୀଡ଼ିତ । କିଛି ଦିନ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା । ୨୦୧୯ ଜୁଲାଇ ୧ ତାରିଖରେ ଧୁମ୍ଧାମ୍ରେ ପାଳନ କରାଯାଇଥିଲା ତା’ର ଜନ୍ମଦିନ । ଠିକ୍ ପରଦିନ ଅର୍ଥାତ୍ ଜୁଲାଇ ୨ ତାରିଖ ଭୋର୍ ସମୟରେ ହୃଦ୍ଘାତର ଶିକାର ହୋଇଥିଲା ଦେବୀଶ୍ରୀ । ସଙ୍ଗେ ସଙ୍ଗେ ତାକୁ ଶେଖ ଖଲିଫା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୩ ଦିନ ଧରି ଭେଣ୍ଟିଲେଟରରେ ସଂଘର୍ଷ କରିବା ପରେ ଜୁଲାଇ ୧୪ ତାରିଖରେ ତା’ର ଦେହାନ୍ତ ହୋଇଯାଇଥିଲା ।
ଏକମାତ୍ର ଝିଅକୁ ହରାଇ ଧୈର୍ଯ୍ୟହରା ହୋଇପଡିଥିଲେ ବାପାମାଆ । ସବୁକିଛି ଅନ୍ଧାର ହୋଇଯାଇଥିଲା । ଏଭଳି ମୁହୂର୍ତ୍ତରେ ଝିଅର ଅଙ୍ଗଦାନ ପାଇଁ ଆସିଥିଲା ପ୍ରସ୍ତାବ । ମୃତ ଝିଅର ଶରୀରରୁ ବିଭିନ୍ନ ଅଙ୍ଗ କଢାଯିବା ପ୍ରସ୍ତାବରେ ପ୍ରଥମେ ରାଜି ହୋଇନଥିଲେ ସେମାନେ । ପରେ ଅନ୍ୟମାନଙ୍କ ଜୀବନ ବଞ୍ଚିଯିବ ଭାବି ସହଯୋଗର ହାତ ବଢାଇଥିଲେ । ଦେବୀଶ୍ରୀଙ୍କର କିଡ୍ନୀ, ଲିଭର୍ ଏବଂ ପାନକ୍ରିୟାସିସ୍ ଦାନ କରାଗଲା । ଦୀର୍ଘ ୪ ବର୍ଷ ଧରି କିଡ୍ନୀଜନିତ ସମସ୍ୟାରେ ଛଟପଟ ହେଉଥିବା ଆବୁଧାବିର ୭ ବର୍ଷର ବାଳକ ଆଡାମ୍ ଦେହରେ ପ୍ରତିରୋପଣ କରାଗଲା ଦେବୀଶ୍ରୀଙ୍କ କିଡ୍ନୀ । ନୂଆ ଜୀବନ ପାଇଲା ଆଡାମ । ସୁସ୍ଥ ହେବା ପରେ ଦେବୀଶ୍ରୀଙ୍କ ବାପାମାଆଙ୍କ ପାଖରେ ପହଞ୍ଚି କୃତଜ୍ଞତା ଜଣାଇଥିଲା । କେବଳ ଆଡାମ ନୁହେଁ, ତା’ର ପୂରା ପରିବାର ସାଧୁବାଦ ଜଣାଇଥିଲେ କୀର୍ତ୍ତି ଓ ଅରୁଣ କୁମାରଙ୍କୁ । ସେହିପରି ଦେବୀଶ୍ରୀଙ୍କ ଅନ୍ୟ ଦୁଇଟି ଅଙ୍ଗ ଆଉ ଦୁଇଜଣଙ୍କ ଜୀବନ ବଞ୍ଚାଇ ପାରିଥିଲା । ବାସ୍ତବରେ ମରିବି ଆଜି ଅମର୍ ଦେବୀଶ୍ରୀ । ଆଉ ମହାନ ତା’ର ବାପାମାଆ । ଦେବୀଶ୍ରୀକୁ ନେଇ ଆରବ ଦେଶ ସମେତ ଓଡ଼ିଶା ଆଜି ଗର୍ବିତ ।
Comments are closed, but trackbacks and pingbacks are open.