ହୋମ୍ ଆଣ୍ଡ ଡେକର୍ ପ୍ରଦର୍ଶନୀ ଉଦ୍ଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଲ୍ଡିଂ ନିର୍ମାଣ ପାଇଁ ଥିବା ଫ୍ଲୋର ଏରିଆ ରେସିଓ (ଏଫ୍ଏଆର୍)କୁ ଦ୍ୱିଗୁଣା କରାଯିବ । ସେହିଭଳି ୨୦ ଫୁଟ୍ରୁ କମ୍ ରାସ୍ତା ଥିବା ପ୍ଲଟ୍ରେ ଘର ନିର୍ମାଣର ସୁଯୋଗ ଦିଆଯିବ । ଏହି ଉଦେ୍ଧଶ୍ୟରେ ସରକାର ବିଲ୍ଡିଂ ପ୍ଲାନିଂ ନୀତିକୁ କୋହଳ କରିବାକୁ ବିଚାର କରୁଛନ୍ତି । ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଶନିବାର ଏଭଳି ସୂଚନା ଦେଇଛନ୍ତି ।
କ୍ରେଡାଇ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଷୋଡ଼ଶ ହୋମ୍ ଆଣ୍ଡ ଡେକର୍ ପ୍ରଦର୍ଶନୀ ତଥା ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାରକୁ ଉଦ୍ଘାଟନ କରି ନଗର ଉନ୍ନୟନ ମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଅନୁକୂଳ କରିବାକୁ ସରକାର ନୀତି ନିୟମରେ ସଂଶୋଧନ ଆଣିବାକୁ ବିଚାର କରୁଛନ୍ତି । ପୂର୍ବରୁ ସହରାଞ୍ଚଳରେ ବିଲ୍ଡିଂ ନିର୍ମାଣ ପାଇଁ ଏଫ୍ଏଆର୍ ୩ ରହିଥିଲା । ଅର୍ଥାତ୍ କୌଣସି ପ୍ଲଟ୍ ଉପରେ ସର୍ବାଧିକ ଏହାର ୩ ଗୁଣା କ୍ଷେତ୍ରଫଳ ପର୍ଯ୍ୟନ୍ତ ଘର ନିର୍ମାଣ ହୋଇପାରିବ । କିନ୍ତୁ ରାଜ୍ୟ ସରକାର ଏହି ଏଫ୍ଏଆର୍କୁ ଦ୍ୱିଗୁଣା ଅର୍ଥାତ ୬କୁ ବଢ଼ାଇବାକୁ ଯୋଜନା ରଖିଛନ୍ତି । ଏହାଦ୍ୱାରା ବିଲ୍ଡର ତଥା ଲୋକମାନେ ନିଜ ପ୍ଲଟ୍ ଉପରେ ଉଚ୍ଚ ଅଟ୍ଟାଳିକା ଛିଡ଼ା କରାଇବାର ଫାଇଦା ପାଇପାରିବେ ।
ସେହିପରି ମନ୍ତ୍ରୀ କହିଛନ୍ତି, ଏବେ ସହରାଞ୍ଚଳରେ ଅନେକ ଜମି ମାଲିକ ଅଛନ୍ତି, ଯେଉଁଠିକି ୨୦ ଫୁଟିଆ ରାସ୍ତା ନାହିଁ । ଏଣୁ ସେମାନେ ଘର ନିର୍ମାଣ ପାଇଁ ଅନୁମୋଦନ ପାଇପାରୁନାହାନ୍ତି । ଏଭଳି ଲୋକଙ୍କୁ ଘର ନିର୍ମାଣର ସୁଯୋଗ ଦେବାକୁ ସରକାର ନିୟମ କୋହଳ କରିବାକୁ ଯୋଜନା କରୁଛନ୍ତି ।
ଅପରପକ୍ଷରେ କ୍ରେଡାଇ ଭୁବନେଶ୍ୱର ସଭାପତି କାନ୍ତିଲାଲ ପଟେଲ ଓ ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ ବିଲ୍ଡିଂ ନିର୍ମାଣ ପାଇଁ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ପାୱାର ଅଫ୍ ଆଟର୍ଣ୍ଣି ନିୟମକୁ ଶିଳ୍ପ ଅନୁକୂଳ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।
ଶିଳ୍ପସଂଘ କ୍ରେଡାଇ ଭୁବନେଶ୍ୱର, ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ବିସିସିଆଇ) ଓ ଜି ଏସ୍ ମାର୍କେଟିଂ ଆସୋସିଏସନ୍ର ମିଳିତ ସହଯୋଗରେ ଆୟୋଜିତ ହୋମ୍ ଆଣ୍ଡ ଡେକର ପ୍ରଦର୍ଶନୀ ଓ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର ନଭେମ୍ବର ୧୧ ଯାଏଁ ଚାଲିବ । ଏହା ପ୍ରତିଦିନ ଅପରାହ୍ଣ ୨ଟାରୁ ରାତି ୯ଟା ଯାଏଁ ଖୋଲା ରହିବ । ୟୁସିସିଆଇ ସହଯୋଗିତାରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାରରେ ଭାରତ ସମେତ ୭ଟି ରାଷ୍ଟ୍ରର ବ୍ୟବସାୟୀ ନିଜ ଉପôାଦକୁ ପ୍ରଦର୍ଶନ କରିଛନ୍ତି । ଉଭୟ ମେଳାରେ ମୋଟ ୫୦୦ଟି ଷ୍ଟଲ ରହିଛି । ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର ବିଧାୟକ ଅନନ୍ତ ନାରାୟଣ ଜେନା, ନାଲ୍କୋ ମାନବ ସମ୍ବଳ ନିଦେ୍ର୍ଧଶକ ବସନ୍ତ କୁମାର ଠାକୁର, ୟୁସିସିଆଇ ସଭାପତି ରମେଶ ମହାପାତ୍ର, ପ୍ରଦର୍ଶନୀ ଆୟୋଜକ କମିଟି ଅଧ୍ୟକ୍ଷ ପ୍ରକାଶ ଶାହା, ଜିଏସ୍ ମାର୍କେଟିଂ ଆସୋସିଏଟ୍ର ସିଇଓ ସୁପର୍ଣ୍ଣା ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons