ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରଙ୍ଗର ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଯାଇଛି ଅଘଟଣ । ପାଣିରେ ବୁଡ଼ିଯାଇ ୧୪ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ଜଣ । କଟକରୁ ମିଳିଥିବା ସୂଚନା ଅନୁସାରେ ପାଣିରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତୁ୍ୟ ଘଟିଛି । ନେତାଜୀ ନଗରରେ ରହୁଥିବା ତଥା ଖାନନଗର କେନ୍ଦ୍ରୀୟ ବିଦ୍ୟାଳୟର ୪ଜଣ ଛାତ୍ର ଗତକାଲି ହୋଲିରେ ରଙ୍ଗ ଖେଳ ସାରି କାଠଯୋଡ଼ି ନଦୀ ଅବବାହିକାରେ ଥିବା ସିଢୁଆ ନଦୀରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ନାବାଳକ ଶୁଭମ୍ କୁମାର ବେହେରା (୧୪) ଓ ନିଶାନ୍ତ କୁମାର ପାଢ଼ୀ (୧୪) ନଈର ଚୋରାବାଲିରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲେ । ସାଥିରେ ଥିବା ଅନ୍ୟ ଦୁଇଜଣ ସେମାନଙ୍କୁ ଉଦ୍ଧାର କରି ନପାରି ନଦୀ କୂଳକୁ ଆସି ପାଟି କରିଥିଲେ କିନ୍ତୁ ବୁଡ଼ି ଯାଉଥିବା ସାଙ୍ଗ ଦ୍ୱୟଙ୍କୁ ସେମାନେ ଉଦ୍ଧାର କରିପାରି ନଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପାଣିରୁ ନାବାଳକ ଛାତ୍ରଦ୍ୱୟଙ୍କୁ ଉଦ୍ଧାର କଲା ବେଳକୁ ସେମାନଙ୍କର ମୃତୁ୍ୟ ଘଟିସାରିଥିଲା । ସେହିପରି ଭୁବନେଶ୍ୱରସ୍ଥିତ ଏକ ଘରୋଇ କଲେଜର ଛାତ୍ର ନରାଜ ନିକଟରେ ସାଙ୍ଗସାଥୀ ମେଳରେ ଗାଧୋଉଥିବା ବେଳେ ଜଣେ ବୁଡ଼ିଯିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ନାଁ ଶାସ୍ୱତ ସାହୁ(୧୭) । ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଡ଼ବଜାର ଅଞ୍ଚଳରେ । ଭୁବନେଶ୍ୱରର ଏକ ଘରୋଇ କଲେଜର ୨ ଛାତ୍ରୀ ଓ ୩ଛାତ୍ର ରଙ୍ଗ ଖେଳି ସାରି ଦୁଇଟି ବାଇକ ଯୋଗେ ଗତକାଲି ନରାଜସ୍ଥିତ ବ୍ୟାରେଜ ନିକଟକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ମଧ୍ୟରେ ଶାଶ୍ୱତଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ନିଖୋଜ ହୋଇ ଯାଇଥିଲେ । ଚିତ୍ରୋପôଳାର ହରିଚନ୍ଦନପୁର ବ୍ୟାରେଜ ନିକଟରେ ଜଣେ କଲେଜ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି । ସେ ହେଲେ ଶୁଭମ ଦାସ । ଘର ମୋହନାପୁରରେ । ଶୁଭମ ବହୁଗ୍ରାମ ଜୁନିୟର କଲେଜର ଯୁକ୍ତ ଦୁଇ ଛାତ୍ର ଥିଲେ । ହୋଲି ପରେ ସାଙ୍ଗମାନଙ୍କ ସହ ସେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ବାଲିଅନ୍ତା କେନାଲରେ ବୁଡ଼ିଯାଇ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ସେ ହେଲେ ରୀନା ଗୋଚ୍ଛାୟତ(୪୨) । ଘର ତାଳଚେର କଣିହାଁ ଅଞ୍ଚଳରେ । ସେ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟରେ କାମ କରୁଥିଲେ ।
ରାୟଗଡା ଜିଲ୍ଲା ପଦ୍ମପୁର ଥାନା ବଡ଼ନାଳ ଡ୍ୟାମ୍ରେ ବୁଡ଼ି ୩ଜଣଙ୍କ ମୃତୁ୍ୟ ଘଟିଛି । ମୃତକମାନେ ହେଲେ କେ.ଅଭିଷେକ ଆଚାରୀ(୧୭), କେ.ବରୁଣ ଆଚାରୀ(୧୬)ଓ ସୁରେଶ କୁମାର ଚୌଧୁରୀ(୧୬) । ମୃତକଙ୍କ ମଧ୍ୟରୁ ୨ଜଣ ଡ୍ୟାମ୍ କୂଳରେ ଲୁହା ଚେନ୍ ଦ୍ୱାରା ବନ୍ଧାଯାଇଥିବା ଏକ ମାଛଧରା ଡଙ୍ଗାର ତାଲା ଭାଙ୍ଗି ଡଙ୍ଗାଟିକୁ ନେଇ ଯାଇଥିଲେ । ସେଥିରେ କଣାଟିଏ ଥିବାରୁ ପାଣି ପଶି ଯାଇଥିଲା । ମଝି ଡ୍ୟାମ୍ରେ ଏହା ବୁଡ଼ି ଯାଇଥିଲା । ଅନ୍ୟ ଜଣେ ଯୁବକ ସେମାନଙ୍କୁ ରକ୍ଷା କରିବାକୁ ଯାଇ ବୁଡ଼ି ଯାଇଥିବା କୁହାଯାଉଛି । ହୋଲି ଖେଳ ସରିବା ପରେ ଏମିତି ଏକ ଅଘଟଣ ଘଟିଛି । ନବରଙ୍ଗପୁର ସହର ନିକଟ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ସ୍ଥାନୀୟ ଇଚ୍ଛାବତୀଗୁଡ଼ାର ଆଦିତ୍ୟ ନାୟକ (୨୨) । ହୋଲି ଖେଳିବା ପରେ ୩ ଜଣ ସାଙ୍ଗ ସହ ମିଶି ଆଦିତ୍ୟ ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ଭଉଁରୀରେ ଫସି ଯାଇଥିଲେ । ସମ୍ବଲପୁର ସଦର ଥାନା ଇଲାକାର ମାଳତୀ ଯୋରରେ ଜଣେ ଯୁବକ ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ହୋଲି ଖେଳ ହେଲା କାଳ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନିଆଳ ଗାଁର ଶୁଭ୍ରକାନ୍ତ ପରିଡ଼ାଙ୍କ ପୁଅ ଆୟୁଷ୍ମାନ ରଙ୍ଗ ଖେଳି ସାରିବା ପରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ପାଣିରେ ବୁଡ଼ି ଯିବାରୁ ସେ ପ୍ରାଣ ହରାଇଛନ୍ତି ।
ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତୁ୍ୟ ହୋଇଛି । ସେ ହେଉଛନ୍ତି ଯଜ୍ଞନାରାୟଣ ବେହେରା(୩୦) ଘର, ପାରଳାଖେମୁଣ୍ଡି ଶ୍ରୀଧର ନଗରରେ ବୋଲି ଜଣାପଡ଼ିଛି । ଯଜ୍ଞ ହୋଲି ଖେଳିବା ପରେ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁ ମହେନ୍ଦ୍ରତନୟାକୁ ଯାଇଥିଲେ । ତେବେ ପାରଳାଖେମୁଣ୍ଡି-ପୁରୁଣାପାଟଣା ମଧ୍ୟରେ ଥିବା ବ୍ରିଜ୍ ନିକଟରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ । ବାରିପଦା ସହର କାଳିମନ୍ଦିର ସାହିର ଶିବୁନ୍ ମହାନ୍ତି ହୋଲି ଖେଳି ସାରିବା ପରେ ନିଜର ଜଣେ ବନ୍ଧୁ ରବିଙ୍କ ସହ ସହରଠାରୁ ୧୭କିମି ଦୂର ଜମ୍ଭୀର ଡ୍ୟାମରେ ଗାଧୋଇବାକୁ ଯାଇଥିଲେ । ହେଲେ ପ୍ରଖର ସୁଅରେ ନୁଇ ବନ୍ଧୁ ଭାସି ଯାଇଥିଲେ । କିଛି ସମୟ ପରେ ଉଭୟଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା । ବହୁ ଚେଷ୍ଟା ପରେ ରବିଙ୍କ ଚେତା ଫେରିଥିବା ବେଳେ ଶିପୁନଙ୍କ ମୃତୁ୍ୟ ହୋଇ ସାରିଥିଲା । ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ମଳିଥିବା ଖବର ମୁତାବକ ହୋଲି ଖେଳି ସାରିବା ପରେ ସୀତାାପତିପୁର ଏମଆଇ ଡ୍ୟାମ୍କୁ ନିଶିକାନ୍ତୁ ସାହୁଙ୍କ ସମେତ ୩ା୪ଜଣ ଯୁବକ ଗାଧୋଇବା ପାଇଁ ଯାଇଥିଲେ । ଏଥିରେ ନିଶିକାନ୍ତ ବୁଡ଼ି ପ୍ରାଣ ହରାଇଥିଲେ । ତାଙ୍କ ଘର ଶିଆଳିମାଳରେ ।
ଆହୁରି ଏକ ଦୁଃଖଦ ଖବର ମିଳିଛି ଢେଙ୍କାନାଳରୁ । ଢେଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅଠାରେ ଗଛରେ ପିଟି ହୋଇ ୩ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଯାଇଛି । ସେମାନେ ହେଲେ ଢେଙ୍କାନାଳ ସଦର ଥାନା ଲୋଚାପଲ୍ଲୀ ଗାଁର କୈଳାସ ସାହୁ, ରାମେଶ୍ୱରପୁରର ସୁବ୍ରତ ଶାଶ୍ୱତ ରାଉତ ଓ କାଇମାଟି ଗାଁର ବ୍ରହ୍ମାନନ୍ଦ ଦେହୁରୀ । ଏମାନେ ସମସ୍ତେ ହୋଲିଦିନ ଅପରାହ୍ନରେ କପିଳାସରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
Comments are closed, but trackbacks and pingbacks are open.