ପୁରୀ,(ବି.ବି.ନୁ୍ୟଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାରେ ଜମା ରହିବ । ଏହି ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଧ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ମହାପ୍ରଭୁଙ୍କ ପାଣ୍ଠି ସେହି ବ୍ୟାଙ୍କରେ ୩ ବର୍ଷିଆ ଜମା ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ ଉଭୟ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଓ କର୍ପସ୍ ପାଣ୍ଠି ୟୁନିଅନ୍ ବ୍ୟାଙ୍କରେ ଜମା ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଆଜି ପ୍ରକାଶ କରିଛନ୍ତି ।
ୟେସ୍ ବ୍ୟାଙ୍କ ଶ୍ରୀମନ୍ଦିର ପାଣ୍ଠି ୩୯୭ କୋଟି ଟଙ୍କା ଫେରାଇବା ପରେ ଏହି ଅର୍ଥ କେଉଁଠାରେ ରଖାଯିବ ସେ ସମ୍ପର୍କରେ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ବ୍ୟାଙ୍କ ମଧ୍ୟରୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବାଧିକ ସୁଧ ୫.୭୫ ପ୍ରତିଶତ ଦେବାର ପ୍ରତିଶ୍ରୁତି ଦେଇଥିଲା । ଏହା ତଳକୁ ଇଣ୍ଡିଆନ୍ ବ୍ୟାଙ୍କ ୫.୪୦ ପ୍ରତିଶତ ଓ କାନାରା ବ୍ୟାଙ୍କ ୫ ପ୍ରତିଶତ ସୁଧ ଦେବେ ବୋଲି ଉଲ୍ଲେଖ କରିଥିଲେ । ତେଣୁ ୩୫୨ କୋଟି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ପୁରୀ ମୁଖ୍ୟ ଶାଖାରେ ଜମା ରହିବ ବୋଲି ଶ୍ରୀମନ୍ଦିର ଅର୍ଥ ପ୍ରଶାସନ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ନିଜ ବ୍ୟାଙ୍କରେ ଜମା ରଖିବାକୁ ସୁଯୋଗ ମିଳିଥିବାରୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାର ଜେନେରାଲ୍ ମ୍ୟାନେଜର୍ ଖୁସି ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.