ଭବାନୀପାଟଣା,(ବି.ବି.ନୁ୍ୟଜ): ସାଇବର୍ ଅପରାଧ ନିୟନ୍ତ୍ରଣ ଦିଗରେ କଳାହାଣ୍ଡି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଅପରାଧ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ । ଭବାନୀପାଟଣାର ଏକ ଅନ୍ଲାଇନ୍ ଠକେଇ ମାମଲାର ତଦନ୍ତ କରିବାକୁ ଯାଇ ଉତ୍ତରପ୍ରଦେଶର ହମିରପୁର ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ଏସ୍ଡିପିଓ ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ହମିରପୁର ଥାନା ବିଘେନା ଗାଁର ଅଭିଳାଷ ସିଂ ଓରଫ ଗୌମତ(୨୧), ପରୱେଜ୍ ଅହମଦ(୩୧), ୱାହିଦ୍ ଖାନ(୨୫), ଶାହାରୁଖ ଖାନ(୧୯), ଜୁନଡ୍ ଅହମଦ(୩୯) । ହୋହେଲ ଅହମଦ ନାମକ ଜଣେ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଏସ୍ଡିପିଓଙ୍କ ସୂଚନାମତେ, ଗତ ୯ ତାରିଖ ବିଭିନ୍ନ ଲାଳସା ଦେଖାଇ ଭବାନୀପାଟଣାର ଏକ ଦମ୍ପତିଙ୍କ ଆକାଉଣ୍ଟରୁ ଅନ୍ଲାଇନ୍ ଲୁଟେରାମାନେ ୨ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ସେହିଦିନ ଅଭିଯୋଗକାରୀ ଦମ୍ପତିଙ୍କ ପାଖକୁ ଏକ ନମ୍ବରରେ ଅଭିଳାଷ ସିଂ ଓରାମ ଗୌତମ ଠାକୁର ଫୋନ୍ କରିଥିଲା । ସେ ନିଜକୁ ଜିଓ କଷ୍ଟମର୍ କେୟାରରୁ ଦର୍ଶାଇ ଦମ୍ପତିଙ୍କୁ ୨୦,୦୦୦ଟଙ୍କାର ଅର୍ଥ ରାଶି ଓ ଏକ ମୋବାଇଲ୍ ଫୋନ ଜିତିଥିବା ନେଇ ଲାଳସା ଦେଖାଇଥିଲା । ୧୧ ତାରିଖ ସୁଦ୍ଧା ଉକ୍ତ ପୁରସ୍କାର ରାଶି ପାଇବାକୁ ହେଲେ ଏକ ଆଇଡି ଦେବାକୁ କହିଥିଲା । ଅଭିଯୁକ୍ତର କହିବା ଅନୁସାରେ ବୃଦ୍ଧ ଜଣକ (ଏନି ଡେସ୍କ) ନାମକ ଏକ ମୋବାଇଲ୍ ଆପ୍ ଡାଉନଲୋଡ କରିଥିଲେଓ ତାହାର କଥା ଅନୁକରଣ କରିଥିଲେ । ସେ ତାଙ୍କ ସ୍ତ୍ରୀଙ୍କ ଡେବିଟ୍ କାର୍ଡର ଫଟୋ ମଧ୍ୟ ପଠାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ୧ଲକ୍ଷ୧୯ହଜାର ଟଙ୍କା ଏବଂ ବୃଦ୍ଧଙ୍କ ନିଜସ୍ୱ ଜମାଖାତାରୁ ୯୯,୮୦୦ଟଙ୍କା ଓ ୪୫,୫୯୧ଟଙ୍କା ସାଇବର୍ କ୍ରାଇମ୍ ଦ୍ୱାରା ଲୁଟି ନେଇଥିଲା । ଏହାପରେ ଦମ୍ପତି ପୁଲିସର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଲିଖିତ ଅଭିଯୋଗ ଆଧାରରେ ଏସ୍ଆଇ ଶିବାଜୀ ପଣ୍ଡାଙ୍କ ନେତୃତ୍ୱରେ ଏସ୍ପି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଘଟଣାର ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ଉକ୍ତ ଟିମ୍ ଉତ୍ତରପ୍ରଦେଶର ହମିରପୁର ଯାଇ ସମସ୍ତ ଅଭିଯୁକ୍ତଙ୍କୁ ଧରିଥିଲା । ଫେରାର ହୋହେଲ ଅହମଦକୁ ମଧ୍ୟ ଧରିବା ଲାଗି ଜୋରସୋର ଉଦ୍ୟମ ଚାଲିଥିବା ଏସ୍ଡିପିଓ ଶ୍ରୀ ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସାଧାରଣତଃ ରାଜ୍ୟ ବାହାର ସାଇବର ଅପରାଧିମାନେ ଅପରାଧ ଘଟାଇବା ପରେ କୌଶଳକ୍ରମେ ଖସି ପଳାଇବାରେ ସକ୍ଷମ ହୁଅନ୍ତି । କିନ୍ତୁ ଉତ୍ତରପ୍ରଦେଶରୁ ଅପରେଟ୍ କରୁଥିବା ଏହି ସାଇବର ଅପରାଧି ଟିମ୍କୁ ଧରି ଆଣିବା ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି । ତେବେ ଏହି ଗ୍ୟାଙ୍ଗ ଆହୁରି ଏକାଧିକ ଅନ୍ଲାଇନ୍ ଅପରାଧରେ ସାମିଲ ଥିବା ପୁଲିସ ସନେ୍ଦହ କରୁଛି । ଅଭିଯୁକ୍ତଙ୍କୁ ଜେରା କରୁଛି । ଜେରା ବେଳେ ଅନ୍ଲାଇନ୍ ଠକେଇର ଅନେକ ଗୁମର ଫିଟିବ ବୋଲି ପୁଲିସ ଆଶା କରୁଛି ।


Comments are closed, but trackbacks and pingbacks are open.