ୟୁରିଆ ସାର ଦାବିରେ ଠେଲାପେଲା, ଧସ୍ତାଧସ୍ତି

Get real time updates directly on you device, subscribe now.

ନବରଙ୍ଗପୁର: ଉମରକୋଟ ସହରରେ ୟୁରିଆ ସାର ପାଇଁ ପୁଣି ତାତିଲେ ଚାଷୀ । ଶତାଧିକ ଚାଷୀ ମେଳି ହୋଇ ରାସ୍ତାରୋକ ପରେ ଆରସିଏମଏସ୍ କାର୍ଯ୍ୟାଳୟରେ ପଶି ଠେଲାପେଲା, ଧସ୍ତାଧସ୍ତି କରିଛନ୍ତି । ଦୀର୍ଘ ସମୟ ଧରି ଆରସିଏମଏସ୍ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା । ଶୁକ୍ରବାର ଚାଷୀଙ୍କୁ ୟୁରିଆ ସାର ଯୋଗାଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ତାହା ବିଫଳ ହୋଇଛି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ମେଳି ହୋଇ ଉମରକୋଟ-ରାଇଘର ରାସ୍ତା ଅବରୋଧ କରିଥିଲେ । ପୁଲିସ୍ ଓ କଂଗ୍ରେସ ନେତାମାନେ ବୁଝାସୁଝା କରିବା ପରେ ଚାଷୀ ରାସ୍ତାରୋକରୁ ହଟିଥିଲେ । କିନ୍ତୁ ଏତିକିରେ ଉତ୍ତ୍ୟକ୍ତ ଚାଷୀଙ୍କ ରାଗ ସୁଝି ନଥିଲା । ଆରସିଏମଏସ୍ କାର୍ଯ୍ୟାଳୟ ଭିତରକୁ ଶତାଧିକ ଚାଷୀ ପଶି ଫେଡେରେସନର କର୍ମଚାରୀଙ୍କୁ ସାର ଦେବାକୁ ଦାବି କରି ଠେଲାପେଲା କରିଥିବା ବେଳେ ପୁଲିସ୍ ସହ ଚାଷୀଙ୍କର ଧସ୍ତାଧସ୍ତି ହୋଇଥିଲା । ଶେଷକୁ ଜିଲ୍ଲା କୃଷି ଅଧିକାରୀ ସତ୍ୟପ୍ରସାଦ ସାମନ୍ତରାୟ ଚାଷୀଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ । ଆସନ୍ତା ମଙ୍ଗଳବାର ସୁଦ୍ଧା ସାର ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଥଣ୍ଡା ପଡ଼ିିଥିଲେ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଚାଷୀଙ୍କୁ ୟୁରିଆ ସାର ଯୋଗାଣରେ ସଂପୂର୍ଣ୍ଣ ବିଫଳ ହୋଇଛି ପ୍ରଶାସନ । ଧାନ ଓ ମକା ଫସଲ ପାଇଁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ଏହା ମିଳୁନି । ବଜାରରେ ଚଢାଦାମରେ ମିଳୁଥିବା ବେଳେ ସରକରୀ ଦରରେ ଚାଷୀଙ୍କୁ ମିଳୁନି । ଚାଷୀଙ୍କୁ ସାର ଯୋଗାଇବାକୁ ଦାବି କରି ଦୁଇଦିନ ତଳେ କଂଗ୍ରେସ ସମର୍ଥନରେ ଶତାଧିକ ଚାଷୀ ଉମରକୋଟରେ ରାସ୍ତାରୋକ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଶୁକ୍ରବାର ମଧ୍ୟ ଚାଷୀଙ୍କୁ ସାର ମିଳି ନଥିବାରୁ ଶତାଧିକ ଚାଷୀ ପୁଣି ମେଳି ହୋଇ ପ୍ରତିବାଦ କରିଛନ୍ତି । ଅନ୍ୟପକ୍ଷରେ ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଚାଷୀଙ୍କୁ ୟୁରିଆ ସାର ଯୋଗାଣରେ ଅବହେଳା କଲେ ଆଗାମୀ ଦିନରେ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନକୁ ପୁଣି ଥରେ ଚେତାବନୀ ଶୁଣାଇ ଦେଇଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons