ବୋସ୍ନିଆ:ଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୧୯.୩୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ବୁଧବାର ୟୁରୋପରେ ଗିରଫ କରାଯାଇଛି । ଜାଲିଆତି ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ବୋସ୍ନିଆଠାରେ ଗିରଫ କରାଯାଇଛି । ଲୁକାବାକ୍ର ଉତ୍ତର ପୂର୍ବ ସହରରେ କୋକିଂ ପ୍ଲାଣ୍ଟ ଜିଆଇକେଆଇଏଲ୍ ସହ ଜଡ଼ିତ ଏକ ଜାଲିଆତି ମାମଲାରେ ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
୧ ହଜାର କର୍ମଚାରୀଙ୍କୁ ନେଇ ଗଠିତ ଏହି କୋକିଂ ପ୍ଲାଣ୍ଟର ସଞ୍ଚାଳନ ପ୍ରମୋଦ ମିତ୍ତଲ ୨୦୦୩ରୁ କରି ଆସୁଛନ୍ତି । ସେ ଜିଆଇକେଆଇଏଲ୍ର ସୁପରଭାଇଜରି ବୋର୍ଡର ସଭାପତି । ସେ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ରହିଛି ।
କମ୍ପାନିର ମହାପ୍ରବନ୍ଧକ ପରମେଶ ଭ;ାଚାର୍ଯ୍ୟ ଏବଂ ସୁପରଭାଇଜରି ବୋର୍ଡର ଅନ୍ୟ ଜଣେ ସଦସ୍ୟଙ୍କୁ ବି ଗିରଫ କରାଯାଇଛି । ବୋସ୍ନିଆର ସରକାରୀ ଓକିଲ କାଜିମ୍ ସରହେଟଲିକ୍ଙ୍କ କହିବାନୁଯାୟୀ, ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୪୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମିଳିପାରେ । ସେ ଆହୁରି କହିଛନ୍ତି ଯେ, ଏହି ସଂଗଠିତ ଅପରାଧିକ ଗ୍ରୁପ୍ ସହ ଜଡ଼ିତ ଚତୁର୍ଥ ବ୍ୟକ୍ତିଙ୍କ ବିରୋଧରେ ବି ଗିରଫ ପରୱାନା ଜାରି କରାଯାଇଛି ।
ମିତ୍ତଲ ଏବଂ ଅନ୍ୟମାନଙ୍କ ବିରୋଧରେ ୨୮ ଲକ୍ଷ ଡଲାର(୧୯.୩୨ କୋଟି ଟଙ୍କା)ର ଠକେଇ ଅଭିଯୋଗ ରହିଛି । ଚଳିତବର୍ଷ ମାର୍ଚ୍ଚରେ ପ୍ରମୋଦଙ୍କୁ ବଡ଼ ଭାଇ ଲକ୍ଷ୍ମୀ ମିତ୍ତଲ ୧,୬୦୦ କୋଟି ଟଙ୍କା ଦେଇ ଭାରତରେ ଅପରାଧିକ ମାମଲାରୁ ବଞ୍ଚାଇଥିଲେ । ପ୍ରମୋଦଙ୍କ ଉପରେ ଷ୍ଟେଟ୍ ଟ୍ରେଡିଂ କର୍ପୋରେଶନ(ଏସ୍ଟିସି)ର ୨,୨୧୦ କୋଟି ଟଙ୍କା ବାକି ଥିଲା ।
Comments are closed, but trackbacks and pingbacks are open.