ୟେସ୍ ବ୍ୟାଙ୍କରୁ ଫେରିବ ମହାପ୍ରଭୁଙ୍କ ଜମା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଆସନ୍ତାକାଲି ୟେସ ବ୍ୟାଙ୍କରୁ ମହାପ୍ରଭୁଙ୍କ ଜମା ରାଶି ଫେରିବ । ଇ-ଟ୍ରାନ୍ସଫରରେ ୟୁକୋ ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ୟେସ୍ ବ୍ୟାଙ୍କରେ ଟର୍ମ ଡିପୋଜିଟରେ ଜମାଥିବା ଶ୍ରୀମନ୍ଦିର ପାଣ୍ଠିର ୩୭୧ କୋଟି ଟଙ୍କା ଆସନ୍ତାକାଲି (ମାର୍ଚ୍ଚ ୧୯)ରେ ପରିପକ୍ୱ( ମାଚୁ୍ୟର) ହେବା ଏହା ବ୍ୟତୀତ ମାର୍ଚ୍ଚ ୩୦ ତାରିଖରେ ୩ଟି ଜମା ପରିପକ୍ୱ ହେବ । ତିନି ଦଫାରେ ଏହି ତାରିଖରେ ୟେସ୍ ବ୍ୟାଙ୍କରେ ୩୩ କୋଟି, ୧୨୩ କୋଟି, ୧୦ କୋଟି ଟଙ୍କା ଜମା ହୋଇଥିଲା । ଏହି ସବୁ ଜମା ଟଙ୍କା ଫେରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଆଜି ୟେସ୍ ବ୍ୟାଙ୍କକୁ ଚିଠି ଲେଖିଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ଏବଂ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠିର ମୋଟ ୫୯୨ କୋଟି ଟଙ୍କା ଜମା ହୋଇଥିଲା । ଗତ ମାସରେ ଏହି ଜମାରୁ ଅସ୍ଥାୟୀ ଜମାରେ ରହିଥିବା ୪୭ କୋଟି ଟଙ୍କା ମନ୍ଦିର ପ୍ରଶାସନ ଉଠାଇ ନେଇଥିଲା । ଆସନ୍ତାକାଲି ପରିପକ୍ୱ ହେଉଥିବା ୩୭୧ କୋଟି ଟଙ୍କାର ଜମା ଉପରେ ଶତକଡା ୮.୬୧ ହାରରେ ସୁଧ ମିଳିବ । ବର୍ତ୍ତମାନ ଉଭୟ ୧୯ ତାରିଖର ପରିପକ୍ୱ ରାଶି ସହ ମାର୍ଚ୍ଚ ୩୦ରେ ପରିପକ୍ୱ ହେଉଥିବା ୧୬୬ କୋଟି ଟଙ୍କାର ଜମାକୁ ମଧ୍ୟ ପ୍ରତ୍ୟାହାର କରିନେବାକୁ ପ୍ରଶାସନ ସୂଚନା ଦେଇଛି । ଏହା ଦ୍ୱାରା ମାର୍ଚ୍ଚ ୩୦ରେ ପରିପକ୍ୱ ହେଉଥିବା ୧୬୬ କୋଟି ଟଙ୍କା ଉପରେ ଟର୍ମ ଜମା ଉପରେ ସର୍ତ୍ତ ମୁତାବକ ସୁଧ ହାର ମିଳିବ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି ।
ମାର୍ଚ୍ଚ ୩୦ରେ ପରିପକ୍ୱ ହେଉଥିବା ଶ୍ରୀମନ୍ଦିର ପାଣ୍ଠିର ଏହି ଜମା ଉପରେ ୮.୩୫ରୁ ୮.୫୬ ହାରରେ ସୁଧ ମିଳିବାର ଥିଲା । ତିନି ଦଫାରେ ଏହି ପାଣ୍ଠି ଜମା ହୋଇଥିଲା । ୩୩ କୋଟିର ଜମା ଉପରେ ଶତକଡା ୮.୫୬, ୧୨୩ କୋଟିର ଜମା ଉପରେ ଶତକଡା ୮.୪୫ ଏବଂ ୧୦ କୋଟିର ଜମା ଉପରେ ଶତକଡା ୮.୩୫ ହାରରେ ସୁଧ ଦେବାକୁ ଟର୍ମ ଲୋନରେ ସର୍ତ୍ତ ରହିଥିଲା । ତେବେ ପରିପକ୍ୱ ଦିବସ ମାର୍ଚ୍ଚ ୩୦ ପୂର୍ବରୁ ଜମା ପ୍ରତ୍ୟାହାର କରି ନେଲେ କେତେ ସୁଧ ମିଳିବ ତାହା ଜଣାପଡି ନାହିଁ ।
ଏହି ଜମା ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନରୁ ଚିଠି ଆସିଥିବା ପୁରୀ ୟେସ୍ ବ୍ୟାଙ୍କ ମ୍ୟାନେଜର ବୁଧବାର ସନ୍ଧ୍ୟାର ସୂଚନା ଦେଇଛନ୍ତି । ଏହି ଚିଠିକୁ ୟେସ୍ ବ୍ୟାଙ୍କ ହେଡ୍ କ୍ୱାର୍ଟରକୁ ପଠାଇ ଦିଆଯାଇଛି । ଆସନ୍ତାକାଲି ଶ୍ରୀମନ୍ଦିର ପାଣ୍ଠିର ଏହି ଜମା ଶ୍ରୀମନ୍ଦିର ପ୍ରଶାସନ ପାଇଯିବ ବୋଲି ୟେସ୍ ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ତେବେ ସର୍ତ୍ତ ମୁତାବକ ମାର୍ଚ୍ଚ ୩୦ ତାରିଖରେ ଟର୍ମ ଡିପୋଜିଟ ଉପରେ ସର୍ତ୍ତ ମୁତାବକ ସୁଧ ମିଳିବ କି ନାହିଁ ତାହା ବର୍ତ୍ତମାନ କହି ହେବ ନାହିଁ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଜମା ପ୍ରତ୍ୟାହାର ଉପରେ କଟକଣା ଜାରି କରିବା ପରେ ଏହି ଜମା ଉପରେ ବିବାଦ ଉଠିଥିଲା । ଅନ୍ୟପକ୍ଷରେ ଆଜି ହେବାକୁ ଥିବା ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ବୈଠକକୁ ବାତିଲ କରାଯାଇଛି । ବୈଠକ ବେଳକୁ ମୁଖ୍ୟ ପ୍ରଶାସକ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନୁପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons