୧୦୨ ବର୍ଷରେ ଏଏସ୍ଆଇ କିଛି କରିନି : ଆମିକସ୍ କୁ୍ୟରି

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦିଗକୁ ଅଣଦେଖା କରାଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଏବଂ ମନ୍ଦିର ସୌଧର ସୁରକ୍ଷା ଦାୟିତ୍ୱ ନେଇଛି । ୧୯୧୭ରୁ ସୂର୍ଯ୍ୟ ମନ୍ଦିର ନେଇ ଏକାଧିକ ବିଶେଷଜ୍ଞ କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଛି । ଏସବୁକୁ ଅଣଦେଖା କରାଯାଇଛି । ଏହି କାରଣରୁ ଇନଟାକ୍ ୨୦୦୯ରେ ସୂର୍ଯ୍ୟ ମନ୍ଦିର ସୁରକ୍ଷା କ୍ଷେତ୍ରରେ ଏଏସ୍ଆଇ ଡବଲ ଷ୍ଟାଣ୍ଡାର୍ଡ (ଦୋମୁହାଁ ନୀତି) ଆପଣେଇଥିବା ନେଇ କଟୁ ସମାଲୋଚନା କରିଥିବାର ରେକର୍ଡ ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରସ୍ତର କଳା କାରୁକାର୍ଯ୍ୟର ଏହି ବିଶ୍ୱ ବିସ୍ମୟକୁ ଉଚିତ ଦୃଷ୍ଟି ଦିଆଯାଇନି । ସଂକ୍ଷେପରେ ମନ୍ଦିର ସୁରକ୍ଷା କ୍ଷେତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଏସ୍ଆଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିନାହିଁ । ଏହି କାରଣରୁ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ହାଇକୋର୍ଟ ଆମିକସ୍ କୁ୍ୟରି ନଗେନ୍ଦ୍ର କୁମାର ମହାନ୍ତି ପ୍ରତିକି୍ରୟାରେ କହିଛନ୍ତି ।
କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ଚାଲିଥିବା ସର୍ବଭାରତୀୟ ବିଶେଷଜ୍ଞ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଆମିକସ୍ କୁ୍ୟରିଙ୍କ ଏହି ପ୍ରତିକି୍ରୟା ଗୁରୁତ୍ୱପୂର୍ଣ୍ଣ । ଏହି ଟିପ୍ପଣୀ ଉପରେ ବିଶେଷଜ୍ଞ ସମ୍ମିଳନୀରେ ମଧ୍ୟ ଆଲୋଚନା ହୋଇଥିବାର ଖବର ମିଳିଛି । ୧୯୮୪ରେ ୟୁନେସ୍କୋ ପକ୍ଷରୁ ସୂର୍ଯ୍ୟ ମନ୍ଦିରକୁ ବିଶ୍ୱ ଐତିହ୍ୟର ମାନ୍ୟତା ମିଳିଛି । ଏହି ମର୍ଯ୍ୟାଦା ରଖାଯାଇପାରିନି । ମନ୍ଦିର ଜଗମୋହନ ପ୍ରତି ବିପଦ ମାଡ଼ିଆସୁଛି । ଏଏସ୍ଆଇ ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୯୩୯ରେ ନେଇଛି ।
ଆମିକସ୍ କୁ୍ୟରି ସୂର୍ଯ୍ୟ ମନ୍ଦିରର ୧୦୨ ବର୍ଷର ଇତିହାସକୁ ସମୀକ୍ଷା କରିଥିଲେ । ବିଶ୍ୱ ଐତିହ୍ୟର ମାନ୍ୟତା ମିଳିବା ପରେ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତାଙ୍କର ହୃଦୟଙ୍ଗମ ହେଉଛି ବୋଲି କହିଛନ୍ତି । ସୂର୍ଯ୍ୟ ମନ୍ଦିର ଜଗମୋହନର ସୁରକ୍ଷା ପାଇଁ ୧୯୧୬ରେ ବାଲି ଭରାଯାଇଥିଲା । ଭିତର ବାଲି ଦବୁଥିବା ନେଇ ୧୯୮୭ରେ ୟୁନେସ୍କୋର ଦୁଇ ଜଣ ବିଶେଷଜ୍ଞ ରିପୋର୍ଟ ଦେଇଥିଲେ । ବିଶେଷଜ୍ଞ ରିପୋର୍ଟ ଦେଇଥିଲେ ସୂର୍ଯ୍ୟ ମନ୍ଦିର ଜଗମୋହନ ସୁରକ୍ଷା ପାଇଁ ଭିତରେ ଭରାଯାଇଥିବା ବାଲି ୧୬ ଫୁଟ ଦବି ଯାଇଛି । ଏଥିପ୍ରତି କେହି କର୍ଣ୍ଣପାତ କରିନଥିବାରୁ ସୂର୍ଯ୍ୟ ମନ୍ଦିର ଭିତର ସ୍ଥିତି ନେଇ ଏବେ ବି ସ୍ୱଷ୍ଟ ଚିତ୍ର ମିଳି ପାରିନାହିଁ । ବାଲି ଦବିବା ରିପୋର୍ଟର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଏକାଧିକ କମିଟି ସୁପାରିସ କରିଛି ।
ଏହା ବ୍ୟତୀତ ବିଶ୍ୱ ଐତିହ୍ୟ ରକ୍ଷଣାବେକ୍ଷଣ ବିଶେଷଜ୍ଞ, ଷ୍ଟିୟରିଂ କମିଟି ଏବଂ ୱାର୍କିଂ ଗ୍ରୁପ ବିଶେଷଜ୍ଞମାନେ ଇତିମଧ୍ୟରେ ଅନେକ ପ୍ରତିକାର ବ୍ୟବସ୍ଥା ଉପରେ ସୁପାରିସ କରିଛନ୍ତି । ବିଶେଷ କରି ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନରେ ଜଗମୋହନ ଭିତର ସ୍ଥିତି, ପଥର ଯୋଡେ଼ଇ ଆଦିକୁ ଅନୁଧ୍ୟାନ କରାଯାଉ । ଜଗମୋହନ ଭିତରକୁ ଯାଇ ପଥର ଏବଂ କାନ୍ଥ ସ୍ଥିତିର ରିପୋର୍ଟ ପ୍ରସ୍ତୁତ ହେଉ । ବିଭିନ୍ନ ବିଶେଷଜ୍ଞ କମିଟି ଦ୍ୱାରା ସୁପାରିସକୁ କାର୍ଯ୍ୟକାରୀ କରିବାରେ ଏଏସ୍ଆଇ ଉଚିତ ପଦକ୍ଷେପ ନେଇନାହିଁ । ୱାର୍କିଂ ଗ୍ରୁପ, ଷ୍ଟିଅରିଂ କମିଟି ସୁପାରିସକୁ ମଧ୍ୟ ଅଣଦେଖା କରାଯାଇଛି ।
ଏହା ବ୍ୟତୀତ ହାଇକୋର୍ଟ ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କ୍ଷେତ୍ରରେ ସୁପାରିସ କରିବାକୁ ଆମିକସ୍ କୁ୍ୟରିଙ୍କୁ ୨୦୧୯ ଜୁଲାଇ ମାସରେ ନିଯୁକ୍ତି ଦେଇଛନ୍ତି । ସେ ୨୦୧୯ ସେପ୍ଟେମ୍ବର ୧୩ ତାରିଖରେ ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଭିନ୍ନ ପୁରାତନ ଫାଇଲ, ରିପୋର୍ଟ, ୱେବ୍ ରିପୋର୍ଟ ଓ ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ ପରେ ୩ଟି ସୁପାରିସ କରିଥିଲେ । ପ୍ରଥମଟି ଥିଲା ଜଳବନ୍ଦୀ ଅବସ୍ଥାରୁ ମନ୍ଦିରକୁ ମୁକୁଳାଇବାକୁ ପଦକ୍ଷେପ ନେବା । ତା ସହ କହିଥିଲେ ମନ୍ଦିରକୁ ଲୁହା ଭାରା ମୁକ୍ତି କରିବା ଏବଂ ମନ୍ଦିର ଚାରି ପାଖରେ କାଜୁ ଗଛ ଲଗାଯାଉ । ଏଥିରୁ ଦୁଇଟି ସୁପାରିସକୁ କାର୍ଯ୍ୟକରୀ କରାଯାଇଛି । କାଜୁ ଗଛ ଲଗାଯାଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons