ବସ୍ତା,(ବି.ବି.ନ୍ୟୁଜ୍): ବସ୍ତା ଥାନା ଅଞ୍ଚଳରେ ବ୍ରାଉନସୁଗର କାରବାର ଦିନକୁ ଦିନ ବୃଦ୍ଧି ପାଉଛି । ବୁଧବାର ପୁଲିସ ଚଢ଼ଉ କରି ୧୦୫ ଗ୍ରାମ ଓଜନର ବ୍ରାଉନସୁଗର ଜବତ ସହ ଅଭିଯୁକ୍ତକୁ ଗିରଫ କରିଥିବା ସମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତ ଉକ୍ତ ଗ୍ରାମରେ ବ୍ରାଉନସୁଗର ବିକ୍ରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଗ୍ରାମର ସେକ କମରୁଦ୍ଦିନଙ୍କ ପୁଅ ସେକ ଆଲାମଉଦ୍ଦିନ ଓରଫ ବାଙ୍ଗୁରୁ (୨୭) ଘରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ମାଜିଷ୍ଟ୍ରେଟ ଭାବେ ବସ୍ତା ବିଡିଓ କୁକୁମୀନା ଦାସ ଉପସ୍ଥିତ ଥିଲେ । ବାଙ୍ଗୁରୁ ଘରୁ ୧୦୫ ଗ୍ରାମ ଓଜନର ବ୍ରାଉନସୁଗର ଜବତ ସହ ଅଭିଯୁକ୍ତ ଆଲାମଉଦ୍ଦିନକୁ ଗିରଫ କରାଯାଇଥିଲା । ଏ ନେଇ ପୁଲିସ ୨୨୫/୧୯ ନଂର ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ପ୍ରକାଶ ଯୋଗ୍ୟ, ୨୦୧୮ ମସିହା ଡିସେମ୍ବର ୨୪ରେ ସେହି ଗ୍ରାମରେ କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇ ୧୫୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୫ ହଜାର ଟଙ୍କା ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଥିଲା । ବସ୍ତା ଅଞ୍ଚଳରେ ବ୍ରାଉନସୁଗାର କାରବାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.