କଟକ,(ବି.ବି.ବୁ୍ୟରୋ): ୧୦୮ ଆମ୍ବୁଲାନ୍ସ ସେବା ନାଁରେ ରାଜ୍ୟରେ ୩୦୦ କୋଟି ଟଙ୍କାର ଘୋଟାଲା ହୋଇଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଏବଂ ଆମ୍ୱୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଜିକିତ୍ସା କମ୍ପାନୀର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏମାନଙ୍କ ଯୋଗୁଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ଚାଲିଛି । ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍, ସିବିଆଇ, ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଜବାବଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି ।
ଓଡ଼ିଶା ଆମ୍ବୁଲାନ୍ସ ସର୍ଭିସ୍ ଏମ୍ପ୍ଲଇଜ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ଗଗନ ବିହାରୀ ସାମଲଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ୨୦୦୫ରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ପ୍ରଥମେ ଏହି ସେବା ରାଜ୍ୟର ୧୫ଟି ଜିଲ୍ଲାରେ ଲାଗୁ ହୋଇଥିଲା । ଏହିସବୁ ଜିଲ୍ଲାକୁ ୨୮୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ପରେ ବାକି ୧୫ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବାସହ ଆଉ ୧୪୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ପ୍ରତି ୧ଲକ୍ଷ ଜନସଂଖ୍ୟା ଏବଂ ୩୦ କି.ମି. ବ୍ୟାସାର୍ଦ୍ଧ ଅଞ୍ଚଳକୁ ନେଇ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ଏହି ଯୋଜନା ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍ ପକ୍ଷରୁ ପରିଚାଳନା କରୁଥିଲା । କିନ୍ତୁ ବିଭିନ୍ନ ହସ୍ପିଟାଲର ଅଧିକାରୀ, ଏନ୍ଏଚ୍ଆରଏମ୍ର କର୍ମକର୍ତ୍ତା ଏବଂ ଜିକିତ୍ସାର କର୍ମଚାରୀମାନେ ଜାଲ୍ କାଗଜପତ୍ର କରି ୧୦୮ ଆମ୍ବୁଲାନ୍ସ ନାମରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି । ପ୍ରତି ମାସରେ କମ୍ପାନୀ ୩ରୁ ୫ ଲକ୍ଷ ଟଙ୍କାର ଘୋଟାଲା କରୁଛି । ମୁଖ୍ୟତଃ ୧୦୨ ଆମ୍ବୁଲାନ୍ସକୁ ୧୦୮ ନାମରେ ଚଳାଇ ଲକ୍ଷଲକ୍ଷ ଲୁଟ୍ କରାଯାଉଛି । ଯେଉଁଠି ୧୦୨ ଆମ୍ବୁଲାନ୍ସ ପାଇଁ କି.ମି. ପିଛା ୧୭.୬୦ଟଙ୍କା ଖର୍ଚ୍ଚ କରାଯାଏ ସେଠି ୧୦୮ ଆମ୍ବୁଲାନ୍ସ ପାଇଁ କି.ମି. ପିଛା ୨୬.୯୦ପଇସା ନିଆଯାଇଥାଏ । କିନ୍ତୁ ୧୦୨ ଆମ୍ବୁଲାନ୍ସରେ ୧୦୮ ଷ୍ଟିକର୍ ଲଗାଯାଇ ଏ ବାବଦରେ କି.ମି. ପିଛା ୨୬.୯୦ ପଇସା ନିଆଯାଉଛି ।
ଏହିସବୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ ଲାଗି ହାଇକୋର୍ଟ ନିଦେ୍ର୍ଧଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏଥିସହ ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସ ଲାଗି ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡିଓର କରାଯାଉ । ଯେଉଁମାନେ ଏହି ସରକାରୀ ଅର୍ଥ ଲୁଟ୍ରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଧମା ରୁଜୁ କରିବା, ସେମାନଙ୍କଠାରୁ ହରିଲୁଟ୍ ଅର୍ଥ ଆଦାୟ କରିବା, ୧୦୨ ପରିବର୍ତ୍ତେ ୧୦୮ରେ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ଲାଗି ହାଇକୋର୍ଟ ନିଦେ୍ର୍ଧଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀ ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାସନାଲ ହେଲଥ୍ ମିସନର ପରିଚାଳନା ନିଦେ୍ର୍ଧଶକ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ, ରାଜ୍ୟ ନ୍ୟାସନାଲ ହେଲଥ୍ ମିସନର ନିଦେ୍ର୍ଧଶକ, ସିବିଆଇ, ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
Comments are closed, but trackbacks and pingbacks are open.