୧୦ କିମି ବୁହାହେଲା ୭ ବର୍ଷର ରୋଗୀ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଜିଲ୍ଲାରେ ରୋଗୀ ଯନ୍ତ୍ରଣା ଥମିବାର ନାଁ ଧରୁନି । ନିୟମିତ ବ୍ୟବଧାନରେ ରୋଗୀମାନେ ବୁହାହୋଇ ମେଡ଼ିକାଲ୍କୁ ଆସୁଛନ୍ତି । ଆଜି ଏହାର ପୁନରାବୃତ୍ତି ଘଟିଛି । ରାସ୍ତା ନଥିବାରୁ ଜଣେ ୭ ବର୍ଷର ରୋଗୀକୁ ଜଙ୍ଗଲ ଭିତର ନେଇ ୧୦ କିଲୋମିଟର ଷ୍ଟେ୍ରଚରରେ ବୋହିକରି ମେଡିକାଲ୍ ନିଆଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ ଡିମିରିଗୁଡ଼ା ପଞ୍ଚାୟତର ଉଚେତପାରୁ ଗାଁରେ । ତେବେ ଗ୍ରାମବାସୀ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାସା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଉଚେତପାରୁ ଗାଁର ଜଣେ ୭ ବର୍ଷର ଶିଶୁକନ୍ୟା ତ୍ରିପ୍ତୀ ଉର୍ଲିକିଆ ଗତ କିଛିଦିନ ହେବ ପେଟ ରୋଗରେ ପୀଡ଼ିତ ଥିଲା । ଆଜି ଯନ୍ତ୍ରଣା ବଢ଼ିଯାଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗଯୋଗ କରିଥିିଲେ । ଆମ୍ବୁଲାନ୍ସଟି ଅମ୍ବାଦୋଳାରୁ ଗାଁ ଅଭିମୁଖେ ଯାଇଥିଲା । ରାସ୍ତା ନଥିବାରୁ ୧୦ କିମି ଆଗରୁ ଅଟକି ଯାଇଥିଲା । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଚେତପାରୁ ଗାଁକୁ ଯାଇ ଆମ୍ବୁଲାନ୍ସ ଆସିନପାରିବା ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଗ୍ରାମବାସୀ ଓ ପରିବାରବର୍ଗଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉକ୍ତ ରୋଗୀକୁ ଦୀର୍ଘ ୧୦ କିଲୋମିଟର ବୋହିକରି ନେଇଥିଲେ । ଡିମିରିଗୁଡ଼ା ପଞ୍ଚାୟତଠାରୁ ଅଳ୍ପ ଦୂରରେ ରହିଥିବା ଆମ୍ବୁଲାନ୍ସରେ ତ୍ରିପ୍ତିକୁ ଅମ୍ବାଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତା ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡ଼ିଛି ।
ରାସ୍ତା ଅଭାବରୁ ଏହି ବ୍ଲକର ରଘୁବାରୀ ଓ ଡିମିରିଗୁଡ଼ା ପଂଚାୟତର ଅନେକ ଗ୍ରାମବାସୀ ସବୁବେଳେ ନାନା ଦୁର୍ଦ୍ଧଶା ଭୋଗି ଆସୁଛନ୍ତି । ଜରୁରୀକାଳୀନ ସମୟରେ ବାଜି ଲାଗିଯାଉଛି ଜୀବନ । ଆଜି ୧୦ କିଲୋମିଟର ଜଙ୍ଗଲ ଭିତରେ ଜଣେ ରୋଗୀଙ୍କୁ ବୁହାହେବା ଏହାର ନିଚ୍ଛକ ଉଦାହରଣ । ଜିଲ୍ଳା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons