ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ହିଞ୍ଜିଳିକାଟୁ ଥାନା ପୁଲିସ ଏକ ମୋଟରସାଇକେଲ୍ ଚୋର ଗ୍ୟାଙ୍ଗ୍କୁ କାବୁ କରିଛି । ର୍ୟାକେଟ୍ର ୧୦ ଜଣ ଗିରଫ ହୋଇଥିବା ବେଳେ ୧୯ଟି ଚୋରି ବାଇକ୍ ଜବତ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସମେତ ତାର ସହଯୋଗୀ ଏବଂ ଗ୍ୟାରେଜ୍ ମାଲିକଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି । ଶନିବାର ଅପରାହ୍ଣରେ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ।
ଏସ୍ଡିପିଓଙ୍କ ସୂଚନା ମୁତାବକ- ଶୁକ୍ରବାର ହିଞ୍ଜିଳିକାଟୁ ଥାନା ଖଣ୍ଡରା ଛକରେ ପୁଲିସ ଯାନବାହାନ ଯାଞ୍ଚ କରୁଥିଲା । ଜଣେ ବାଇକ୍ଚାଳକ ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଉଥିବା ବେଳେ ସନେ୍ଦହରେ ପିଛା କରିିଥିଲା ପୁଲିସ । ତାକୁ କାବୁ କରିବା ପରେ ଏକ ବଡ଼ ଧରଣର ବାଇକ୍ ଚୋରି ର୍ୟାକେଟର ପର୍ଦ୍ଧାଫାସ୍ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଚୋରି ମୋଟରସାଇକେଲ୍ ଜବତ କରିଛି ପୁଲିସ । ଗିରଫ ବ୍ୟକ୍ତିମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ହିଞ୍ଜିଳିକାଟୁ ଥାନା ବୁରୁପୋଡ଼ା ଗ୍ରାମର ମିଟୁ ଦଳେଇ, ତାର ସହଯୋଗୀ ଶେରଗଡ଼ ଥାନା ଗୋଠଗାଁର କୃଷ୍ଣ ମହାନ୍ତି, ଉତ୍ତମ ମହାନ୍ତି, ଅରୁଣ ମହାନ୍ତି, ପବିତ୍ର ଲେଙ୍କା, କାହ୍ନୁ ସୁଅାଁସିଆ, ବୁରୁପୋଡ଼ା ଗ୍ରାମର ଶ୍ରୀକାନ୍ତ ବରଡ଼, ଆଙ୍କୋରଡ଼ା ଗ୍ରାମର ବିପିନ ନାୟକ, ବଇଁଚବଣିଆର ଗ୍ୟାରେଜ୍ ମାଲିକ ପିଣ୍ଟୁ ସାହୁ ଓ ପାଟପୁର ଥାନା, ପଥରପିଟୁ ଗ୍ରାମର ବନବାସ ସ୍ୱାଇଁ । ଏ ନେଇ ହିଞ୍ଜିଳିକାଟୁ ଥାନାରେ କେସ୍ ନଂ-୪୪୦/୨୦ ରୁଜୁ କରାଯାଇଛି ।
ଗତ ୨ ତାରିଖରେ ହିଞ୍ଜିଳିକାଟୁ ମାଣିକନଗର ୪ର୍ଥ ଗଳି ବାସିନ୍ଦା କୈଳାଶ ବେହେରାଙ୍କ ଘର ବାରଣ୍ଡାରେ ଥିବା ବାଇକ୍ ଚୋରି ହୋଇଯାଇଥିଲା । ଏ ନେଇ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ ହୋଇଥିଲା । ଶୁକ୍ରବାର ଖଣ୍ଡରା ଛକରେ ଯାନବାହାନ ଯାଞ୍ଚ ବେଳେ ବୁରୁପୋଡ଼ା ଗ୍ରାମର ମିଟୁ ପୁଲିସ ହାବୁଡ଼ରେ ପଡିÿଥିଲା । ସେ ବାଇକ୍ର କାଗଜପତ୍ର ପୁଲିସକୁ ନଦେଖାଇ ପାରିବାରୁ ସନେ୍ଦହରେ ମିଟୁକୁ ପୁଲିସ ଥାନାକୁ ଆଣି ଜେରା କରିଥିଲା । ଜେରା ପରେ ମିଟୁ ବ୍ରହ୍ମପୁର, ହିଞ୍ଜିଳିକାଟୁର ବିଭିନ୍ନ ଅଞ୍ଚଳରୁ ୧୯ଟି ବାଇକ୍ ଚୋରାଇଥିବା କହିଥିଲା । ମିଟୁର କହିବା ପ୍ରକାରେ ପୁଲିସ ଏହି ଚୋରା କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିଥିଲା । ଗିରଫ ମିଟୁ ନାମରେ ଗାଡ଼ି ଚୋରି ନେଇ ପୂର୍ବରୁ ହିଞ୍ଜିଳିକାଟୁ ଥାନାରେ ୨ଟି ମାମଲା ରହିଛି ।


Comments are closed, but trackbacks and pingbacks are open.