ସମ୍ବଲପୁର,(ବି.ବି.ନୁ୍ୟଜ୍): ମାତ୍ର ୧୦ ଦିନ ତଳେ ଜନ୍ମ ହୋଇଥିବା ଶିଶୁର ନାହି ଶୁଖିନି । ମା’ର ପ୍ରସବ ଜନିତ ଯନ୍ତ୍ରଣା ବି ହୁଏତ ପୁରା ଲାଘବ ହୋଇନଥିବ । ପ୍ରସୂତି ପାଇଁ ହୋଇଥିବା ଖର୍ଚ୍ଚର ଭରଣା ଚିନ୍ତା ଆରମ୍ଭ ହେବା ବେଳକୁ ଏହି ଗରିବ ପରିବାରକୁ ବାସହୀନ ହେବାକୁ ପଡ଼ିଯାଇଛି । ଖୋଲା ଆକାଶ ତଳକୁ ଚାଲି ଆସିଛି ଏହି ଶ୍ରମିକ ପରିବାର । ଲକ୍ ଡାଉନ୍ରେ କାମ ଧନ୍ଦା ବନ୍ଦ ହୋଇଥିବା ବେଳେ ସ୍ତ୍ରୀର ପ୍ରସୂତି ଖର୍ଚ୍ଚ ଯୋଗୁଁ ଭଡା ଦେଇ ନପାରିବାରୁ ଘର ମାଲିକ ତଡ଼ି ଦେଇଛି । ମାତ୍ର ୧୦ ଦିନର ଶିଶୁପୁତ୍ରକୁ ଧରି ଏହି ଦମ୍ପତ୍ତି ଶ୍ରାବଣର ବର୍ଷା ରାତିରେ ଆଶ୍ରୟହୀନ ହେବା ଘଟଣା ସମ୍ବଲପୁର ସହରର ବରେଇପାଲି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ସହଯୋଗ ନ ମିଳିଲେ ଆତ୍ମହତ୍ୟା କରିବାକୁ ଏହି ଦମ୍ପତ୍ତି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ ବରେଇପାଲି ରାଣୀବନ୍ଧ ଅଞ୍ଚଳର ଶିବା ଚୌଧୁରୀ ଓରଫ ରାଜା ଗତ କିଛି ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ସାବିତ୍ରୀ ଛତ୍ରିଆକୁ ପ୍ରେମ ବିବାହ କରିଥିଲେ । ହେଲେ ଘର ଲୋକ ସେମାନଙ୍କ ପ୍ରେମ ବିବାହରେ ଅସନ୍ତୁଷ୍ଟ ହେବା ସହ ଉଭୟଙ୍କୁ ତଡ଼ି ଦେଇଥିଲେ । ପରେ ସେମାନେ ନିକଟସ୍ଥ ରାଣୀବନ୍ଧ ଅଞ୍ଚଳରେ ଘରଭଡା ନେଇ ଦୀର୍ଘ ଦିନ ଧରି ରହି ଆସୁଥିଲେ । ଶିବା ସ୍ଥାନୀୟ ଅଞ୍ଚଳରେ କୁଲି ମଜୁରୀ କରି ଯାହା କିଛି ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ବେଶ ହସ ଖୁସିରେ ଚଳିଯାଉଥିଲା । କିନ୍ତୁ, କରୋନା ସବୁ ଉଜାଡି ଦେଲା ।
ରାଜ୍ୟ ସରକାର ଲକ୍ଡାଉନ ଘୋଷଣା କରିବା ପରେ କାମ ହରାଇଥିଲେ ଶିବା । ଯାହା କିଛି ପୂର୍ବରୁ ରୋଜଗାର କରିଥିଲେ ସେଥିରେ ଚୂଲି ମୁଣ୍ଡକୁ ନିଅଣ୍ଟ । ଏଭଳି ସ୍ଥିତିରେ ଗର୍ଭବତୀ ଥିବା ସ୍ତ୍ରୀ ବି ୧୦ ଦିନ ତଳେ ଏକ ଶିଶୁକୁ ଜନ୍ମ ଦେଇଥିବା ବେଳେ ଏଥିରେ ଅତିରିକ୍ତ ଆର୍ଥିକ ବୋଝ ଶିବାଙ୍କ ପାଇଁ ଅସହ୍ୟ ହୋଇଥିଲା । ଫଳରେ ଘରଭଡ଼ା ବାବଦକୁ ୧୨ ଶହ ଟଙ୍କା ଶିବା ଦେଇପାରିନଥିଲେ । ସେପଟେ, ଘର ମାଲିକର ବାରମ୍ବାର ତାଗିଦ୍ ପରେ ବି ଟଙ୍କା ଯୋଗାଡ କରିବାରେ ଅସମର୍ଥ ହୋଇଥିଲେ ଶିବା । ଯଦ୍ୱାରା ସଂପୃକ୍ତ ଘର ମାଲିକ ଆଜି ସନ୍ଧ୍ୟାରେ ଜୋର ଜବରଦସ୍ତ ମାଡ଼ ମାରିବା ସହ ଶିବା ଏବଂ ତାଙ୍କ ସ୍ତ୍ରୀ ସହ ୧୦ ଦିନର ଶିଶୁ ପୁତ୍ରକୁ ଘରୁ ତଡି ଦେଇଥିଲା । ଆଉ ସଂପୃକ୍ତ ଦମ୍ପତି ଅନ୍ୟ କିଛି ଚାରା ନ ପାଇ ଶେଷରେ ରାଜରାସ୍ତାରେ ସମୟ କାଟିଥିବାର ଦେଖିବାକୁ ମିଳିଛି । ସେପଟେ ସଂପୃକ୍ତ ଦମ୍ପତ୍ତି ପ୍ରଶାସନର ସହଯୋଗ ନ ମିଳିଲେ ପରିବାର ସହ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବର୍ଷାମୁଖର ରାତିରେ ନବଜାତକକୁ ଧରି ଏହି ଦମ୍ପତି କୁଆଡେ ଯିବେ ତାହା ବଡ ପ୍ରଶ୍ନ ପାଲଟିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କୁ ସହାୟତା କରାଯାଇନଥିବା ନେଇ ସୂଚନା ମିଳିଛି ।
ଲକ୍ ଡାଉନ୍ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ବିପନ୍ନ ହୋଇଥିବା ବେଳେ ଘରଭଡା କିଛି ମାସ ପାଇଁ ଛାଡ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ପର୍ଯ୍ୟନ୍ତ ନିବେଦନ କରିଥିଲେ । ହେଲେ ମାତ୍ର ୧୨ ଶହ ଟଙ୍କା ପାଇଁ ୧୦ ଦିନର ଶିଶୁପୁତ୍ର ସହ ଦମ୍ପତ୍ତି ଭଡା ଘରୁ ବିଦା ହେବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି ।
Comments are closed, but trackbacks and pingbacks are open.