୧୦ ଦିନ ହେଲା ଅନ୍ଧାରରେ ଲମତାପୁଟ

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଗତ ୧୦ ଦିନ ହେଲା ଅନ୍ଧାରରେ । ଏଠାରେ ରହିଛି ମାଛକୁଣ୍ଡ ଜଳବିଦୁ୍ୟତ୍ ପ୍ରକଳ୍ପ । ପ୍ରତିଦିନ ବିଦୁ୍ୟତ୍ ଉପôାଦନ ହେଉଛି । କିନ୍ତୁ ଦୀପତଳ ଅନ୍ଧାର ଭଳି, ପୂରା ବ୍ଲକ୍ ଅନ୍ଧାରରେ ରହିଛି । ଦୀର୍ଘ ୧୦ ଦିନ ପରେ ବି ସମାଧାନର ରାସ୍ତା ବାହାରିନି । ନା ବିଭାଗୀୟ ଅଧିକାରୀ, ନା ଜିଲ୍ଲା ପ୍ରଶାସନ କେହି ହେଲେ ଏଥିରେ ମୁଣ୍ଡ ପୂରାଉନାହାନ୍ତି । ଯାହାକୁ ନେଇ ବ୍ଲକ୍ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଗୋଟିଏପଟେ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ, ଅନ୍ୟପଟେ ବିଜୁଳି ନଥିବାରୁ ଦୁର୍ବିଷହ ହୋଇପଡୁଛି ଜୀବନ । ଲୋକେ ରାଗିପାଚି ଲାଲ୍ ହେଲେଣି । କାରଣ ଧୈର୍ଯ୍ୟର ବି ଗୋଟେ ସୀମା ରହିଛି । କୌଣସି ସମୟରେ ଏହା ବିସ୍ଫୋରକ ମୋଡ଼ ନେବାର ସମ୍ଭାବନା ରହିଛି ।
କରୋନା ଯୋଗୁ ସରକାର ଲାଗୁ କରିଛନ୍ତି ଲକ୍ଡାଉନ୍ ଓ ସଟ୍ଡାଉନ୍ କଟକଣା । ଲୋକେ ଅଧିକାଂଶ ସମୟ ଘରେ ବିତାଉଛନ୍ତି । ଏଭଳି ସ୍ଥିତିରେ ୧୦ ଦିନ ହେଲା ବିଜୁଳି ଯୋଗାଣ ବନ୍ଦ । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କିଛି ବାଧାପ୍ରାପ୍ତ । ସବୁଠାରୁ ବଡକଥା ହେଲା, ବିଦୁ୍ୟତ୍ ନଥିବାରୁ ଲୋକେ ପିଇବା ପାଇଁ ପାଣି ମୁନ୍ଦିଏ ପାଉନାହାନ୍ତି । କାରଣ ପାନୀୟ ଜଳଯୋଗାଣ ବି ବନ୍ଦ ରହିଛି । କୋଭିଡ୍ ମେଡିକାଲ୍ରେ ରୋଗୀ ଛଟପଟ ହେଉଛନ୍ତି । ବ୍ଲକ୍ଠାରୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ସବୁଠି ଅନ୍ଲାଇନ୍ କାର୍ଯ୍ୟ ଠପ୍ । ବ୍ୟାଙ୍କ, ଏଟିଏମ୍ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ । ଶିକ୍ଷା ବିଭାଗର ବିଭିନ୍ନ ଜରୁରୀ କାର୍ଯ୍ୟ ଅଟକି ରହିଛି । ଯେଉଁମାନଙ୍କ ଘରେ ବୋର୍ୱେଲ ସୁବିଧା ରହିଛି, ସେମାନେ ଟାଙ୍କିକୁ ପାଣି ଉଠାଇପାରୁନାହାନ୍ତି । କାଁ ଭାଁ କିଛି ଲୋକ ହଜାର ହଜାର ଟଙ୍କା ଭଡାରେ ଜେନେରେଟର୍ ଆଣି ପାଣି ଉଠାଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଅଞ୍ଚଳରେ ହାତଗଣତି ଜେନେରେଟର୍ ଥିବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଝିକାଟଣା ଚାଲିଛି ।
ଦୀର୍ଘ ୧୦ ଦିନ ହେଲା ଲାଗି ରହିଛି ଏଭଳି ସମସ୍ୟା । ପରିତାପର ବିଷୟ, ଏହାର ସ୍ଥାୟୀ ସମାଧାନ ଲାଗି କୌଣସି ସ୍ତରରେ ଉଦ୍ୟମ ହୋଇନି । ବିଭାଗୀୟ ଅଧିକାରୀମାନଙ୍କ ଦେଖା ମିଳୁନି । ପଚାରିଲେ ମିଳୁଛି ଗୋଟିଏ ଉତ୍ତର – କେବେ ଏହାର ସମାଧାନ ହେବ, କହିବା ମୁସ୍କିଲ୍ । କାରଣ ଏବେ ଟାଟା ପାୱାର ବିଭାଗକୁ ହାତକୁ ନେଇଯାଇଛି । ହାତକୁ ନେବାପରେ ବିଭାଗର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରି ଦେଇଛି । ବ୍ଲକ୍ରେ ଏବେ କେବଳ ଜଣେ ମାତ୍ର ସ୍ଥାୟୀ କର୍ମଚାରୀ ଅଛନ୍ତି । ସେ ୩୩ କେଭି କଣ୍ଟେ୍ରାଲ ରୁମ୍ ଦାୟିତ୍ୱ ସମ୍ଭାଳୁଛନ୍ତି । ତେଣୁ କର୍ମଚାରୀ ଅଭାବରୁ ବିଦୁ୍ୟତ୍ ମରାମତି କାମ ହୋଇପାରୁନାହିଁ । ଯେ ପର୍ଯ୍ୟନ୍ତ ଟାଟା ପାୱାର କମ୍ପାନି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ନ ଦେଇଛି, ସେ ପର୍ଯ୍ୟନ୍ତ ଏହି ସମସ୍ୟା ଜାରି ରହିବ । ଟାଟା ପାୱାର ଚାହିଁଥିଲେ, ନୂଆ ନିଯୁକ୍ତି ଦେବା ପରେ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିପାରିଥାନ୍ତା । କିନ୍ତୁ ଆରମ୍ଭରୁ ଅସ୍ଥାୟୀ କର୍ମଚାରୀଙ୍କୁ ବାହାର କରି ଦେବାରୁ ଏଭଳି ସମସ୍ୟା ଉପୁଜିଛି ।
ସୂଚନାଥାଉକି, ଏହା ପୂର୍ବରୁ ବ୍ଲକ୍ର ୪ ପଞ୍ଚାୟତବାସୀ ୩୩ କେଭି କାର୍ଯ୍ୟାଳୟ ଘେରାଉ କରିଥିଲେ । ତୁରନ୍ତ ବିଜୁଳି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । କିନ୍ତୁ କାର୍ଯ୍ୟାଳୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ନଥିବାରୁ ନିରାଶ ହୋଇ ଫେରିଥିଲେ । ଏହି ଘଟଣାକୁ ନେଇ ଆମେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ । ସେ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଯାଇ ଟାଟା ପାୱାର ଉପରେ ସବୁ ଦୋଷ ଲଦିଥିଲେ । ମୋଟାମୋଟି କହିବାକୁ ଗଲେ, ବିଭାଗୀୟ ଅଧିକାରୀ ନିରବ, ପ୍ରଶାସନ ଚୁପ୍ । ସାଧାରଣ ଜନତା ଗୁହାରି କରିବେ ତ କାହାକୁ । ଟାଟା ପାୱାର କିଏ ସେମାନେ ଜାଣି ନାହାନ୍ତି । ତେଣୁ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଏହା ବିସ୍ଫୋରକ ମୋଡ ନେବା ପୂର୍ବରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନର ରାସ୍ତା ବାହାର କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons