ବଲାଙ୍ଗିର, (ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଏକ ଛୋଟିଆ ସହର ହେଉଛି କଣ୍ଟାବାଞ୍ଜି । ଏହାମଧ୍ୟ ବଲାଙ୍ଗୀର ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । କିନ୍ତୁ ଗତ ଦଶନ୍ଧି ମଧ୍ୟରେ ଏହି ଛୋଟ ସହରରୁ ବଡ଼ ସ୍ୱପ୍ନ ଦେଖି ତାକୁ ସାକାର କରୁଥିବା ଅନେକ ମେଧାବୀ ସାମ୍ନାକୁ ଆସିଲେଣି । କଣ୍ଟାବାଞ୍ଜି ସହର କ୍ରମଶଃ ବେପାରବଣିଜ ଅପେକ୍ଷା ପ୍ରତିବର୍ଷ ସାମ୍ନାକୁ ଆସୁଥିବା ପ୍ରଶାସକମାନଙ୍କ ପାଇଁ ଏକ ନୂଆ ପରିଚୟ ପାଇଲାଣି । ୨୦୦୯ ମସିହାରୁ ଦୀର୍ଘ ୧୦ବର୍ଷ ହେଲା ଜଣେ ପରେ ଜଣେ ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଏଠାରୁ ଉତ୍ତିର୍ଣ୍ଣ ହେଉଛନ୍ତି । ଆଇଏଏସ, ଆଇଆରଏସ ପାଇବା ପରେ ବିଭିନ୍ନ ପଦପଦବୀରେ ରହି ଉଭୟ କଣ୍ଟାବାଞ୍ଜି ଏବଂ ବଲାଙ୍ଗୀର ପାଇଁ ଗୌରବ ଆଣିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିର ଅରବିନ୍ଦ ଅଗ୍ରୱାଲ ସର୍ବଭାରତୀୟସ୍ତରରେ ୯ନମ୍ବର ର୍ୟାଙ୍କରେ ରହିଥିଲେ । ପାଠପଢ଼ା ସମୟରୁ ସେ ଜଣେ ମେଧାବୀ ଛାତ୍ର ଥିବାରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପାସ୍ କରିଥିଲେ । ଏହାପରେ ପ୍ରଶାସକ ହେବା ଲକ୍ଷ୍ୟରେ ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଗଲେ । ସେଠାରେ ଆଇଏଏସ ପ୍ରସ୍ତୁତିକରି ୨୦୦୯ ମସିହାରେ ସଫଳତା ପାଇଥିଲେ । କଣ୍ଟାବାଞ୍ଜିର ବିଜୟ ଅଗ୍ରୱାଲ ଏବଂ କେଶବ ଦେବୀଙ୍କ ପୁଅ ମନୀଷ ଅଗ୍ରୱାଲ ରାଜସ୍ଥାନର ଜୟପୁରରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ହାସଲ କରିବାପରେ ପ୍ରଥମେ ବନାରସ ଏବଂ ପରେ ଦିଲ୍ଲୀରେ ରହି ପ୍ରସ୍ତୁତି କରିଥିଲେ । ମନୀଷ ୨୦୧୧ ମସିହାରେ ପରୀକ୍ଷା ଦେଇ ୫୮୨ ର୍ୟାଙ୍କରେ କୃତକାର୍ଯ୍ୟ ହେବାରୁ ପରବର୍ଷ ଆଉଥରେ ପରୀକ୍ଷା ଦେଇଥିଲେ । ୨୦୧୨ ମସିହାରେ ସର୍ବଭାରତୀୟ ସ୍ତରରେ ୬୧ନମ୍ବର ର୍ୟାଙ୍କରେ ଉତ୍ତିର୍ଣ୍ଣ ହୋଇଥିଲେ । ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ୨୦୧୩ ମସିହାରେ ବଲାଙ୍ଗୀର ଜିଲ୍ଲାର ପ୍ରଥମ ମହିଳା ପ୍ରଶାସକ ଭାବରେ କଣ୍ଟାବାଞ୍ଜିର ସାରିକା ଜୈନ ସର୍ବଭାରତୀୟ ସ୍ତରରେ ୫୨୭ ନମ୍ବର ର୍ୟାଙ୍କ ରଖିଥିଲେ । କଣ୍ଟାବାଞ୍ଜି ବାସିନ୍ଦା ସାଧୁରାମ ଜୈନ ଓ ସନ୍ତୋଷ ଦେବୀଙ୍କ ଝିଅ ସାରିକା ମାଧ୍ୟମିକ ଶିକ୍ଷା ଓଡ଼ିଆ ମାଧ୍ୟମ ସ୍କୁଲରୁ ପାସ୍ କରିବା ପରେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ପଢ଼ିଥିଲେ । ସେଠାରୁ ସ୍ନାତକ ଡିଗ୍ରୀ ହାସଲ ପରେ ଦିଲ୍ଲୀ ଯାଇ ସିଭିଲ ସର୍ଭିସ ପାଇଁ କୋଚିଂ କରିଥିଲେ ଏବଂ ନିଜ ଦକ୍ଷତା ବଳରେ ଜଣେ ପ୍ରଶାସକ ହୋଇପାରଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ଡେପୁଟି ଇନକମ ଟ୍ୟାକ୍ସ କମିଶନର ରହିଛନ୍ତି । ସେହିପରି ୨୦୧୯ ମସିହାରେ କଣ୍ଟାବାଞ୍ଜିର ସନ୍ତୋଷ ଜୈନଙ୍କ ପୁଅ ଗୌରବ ସିଭିଲ ସର୍ଭିସ ପରୀକ୍ଷାର ସଂରକ୍ଷିତ ତାଲିକାରେ ଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରରେ ଭାରତୀୟ ଡାକ ସେବାରେ କାର୍ଯ୍ୟ କରୁଛନ୍ତି । ଶେଷରେ ୨୦୨୦ ମସିହାରେ କଣ୍ଟାବାଞ୍ଜିର ଦୁଲୁରାମ ଜୈନଙ୍କ ପୁଅ ନବଲ ଜୈନ ୧୨୫ ର୍ୟାଙ୍କରେ ରହି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ର୍ୟାଙ୍କ ଅନୁସାରେ ସେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ପାଇଁ ମନୋନୀତ ହୋଇଛନ୍ତି । ଗତ ୨୦୧୯ ମସିହାରେ ମଧ୍ୟ ସେ ସିଭିଲ ସର୍ଭିସ ପରୀକ୍ଷାରେ ୩୫୦ ନମ୍ବର ର୍ୟାଙ୍କରେ କୃତକାର୍ଯ୍ୟ ହୋଇଥିଲେ । ଏହାପରେ ସେ ଭାରତୀୟ ରେଳବାଇ ଟ୍ରାଫିକ ସେବା(ଆଇଆରଟିଏସ) ପାଇଁ ମନୋନୀତ ହୋଇ ବର୍ତ୍ତମାନ ଲକ୍ଷୌ୍ମ ସ୍ଥିତ ଭାରତୀୟ ରେଳବାଇ ପରିବହନ ପରିଚାଳନା ପ୍ରତିÂାନ(ଆଇରଆଇଟିଏମ)ରେ ପ୍ରଶକ୍ଷିଣ ନେଉଛନ୍ତି । ତେବେ କଣ୍ଟାବାଞ୍ଜି ସହରରୁ ନିୟମିତ ବ୍ୟବଧାନରେ ଏଭଳି ଜଣେ ପରେ ଜଣେ ପ୍ରଶାସକ ବାହାରିଲେ ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣ ସାଜିଛି ।
Comments are closed, but trackbacks and pingbacks are open.