ଭୁବନେଶ୍ୱର,(ବିବିବ୍ୟୁରୋ): ୨୦୦୯ରୁ ୨୦୧୯ ୧୦ ବର୍ଷରେ ଓଡ଼ିଶାରେ ୧୦୫ଟି ବଡ଼ ଶିଳ୍ପ ସ୍ଥାପନ ହୋଇ କାର୍ଯ୍ୟକ୍ଷମ ହୋଇଛି । ଏହି ଶିଳ୍ପଗୁଡ଼ିକରୁ ପୂଣ୍ଣ ର୍ କିମ୍ବା ଆଂଶିକ ଭାବେ ଉତ୍ପାଦନ ଆରମ୍ଭ ହୋଇଛି । ଏହି ଶିଳ୍ପସଂସ୍ଥାଗୁଡ଼ିକ ଜରିଆରେ ରାଜ୍ୟକୁ ମୋଟ୍ ୨.୯୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।
ବିଧାନସଭାରେ ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଏହା କହିଛନ୍ତି । ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ କେତୋଟି ବୃହତ ଶିଳ୍ପ ସ୍ଥାପନ ହୋଇଛି, ତାହାର ଜିଲ୍ଲାୱାରୀ ତାଲିକା ଦେବାକୁ ଭୂପିନ୍ଦର ପ୍ରଶ୍ନ କରିଥିଲେ । ଏହି ଶିଳ୍ପଗୁଡ଼ିକ କେଉଁ ଶିଳ୍ପପତିଙ୍କ ଦ୍ୱାରା ସ୍ଥାପନ ହୋଇଛି? ରାଜ୍ୟର କେତୋଟି ଜିଲ୍ଲାକୁ ନୋ ଇଣ୍ଡଷ୍ଟ୍ରି ଜିଲ୍ଲା ଘୋଷଣା କରାଯାଇଛି, ତାହାର ତଥ୍ୟ ଦେବାକୁ ମଧ୍ୟ ସେ ଦାବି କରିଥିଲେ ।
ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନକ୍ରମେ ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମୋଟ୍ ୧୦୫ଟି ବୃହତ ଶିଳ୍ପ ସ୍ଥାପନ ହୋଇଛି । ବୃହତ ଶିଳ୍ପଗୁଡ଼ିକ ମଧ୍ୟରୁ ସର୍ବାଧିକ ୧୯ଟି ଶିଳ୍ପ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହୋଇଛି । ଏହାପଛକୁ ସମ୍ବଲପୁର ଜିଲ୍ଲାରେ ୧୦ଟି ଶିଳ୍ପ ଖୋଲିଥିବା ବେଳେ ଯାଜପୁର ଓ ଝାରସୁଗୁଡ଼ାରେ ୯ଟି ଲେଖାଏଁ, କେନ୍ଦୁଝରରେ ୭ଟି, ବାଲେଶ୍ୱରରେ ୬ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଛି । ସେହିଭଳି ଜଗତସିଂହପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ୫ଟି ଲେଖାଏଁ ବଡ଼ ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା ଜିଲ୍ଲାରେ ୨ଟି ଲେଖାଏଁ ଏବଂ ବରଗଡ଼, ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଲେଖାଏଁ ବଡ଼ ଶିଳ୍ପ ଚାଲୁ ହୋଇଥିବା ସେ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏହି ଶିଳ୍ପଗୁଡ଼ିକ ସ୍ଥାପନ ହେବା ପାଇଁ ମୋଟ୍ ୨,୯୭,୩୯୨ କୋଟି ୧୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ ହୋଇଛି । ୬ଟି ଶିଳ୍ପ ସ୍ଥାପନ ପାଇଁ ୧୦,୦୦୦ କୋଟି ଟଙ୍କାରୁ ଅଧିକ ଲେଖାଏଁ ଅର୍ଥ ବିନିଯୋଗ ହୋଇଛି । ଏଗୁଡ଼ିକ ମ୍ମରୁ ଜଗତସିଂହପୁର ଜିଲ୍ଲାରେ ଇ‘ିଆନ୍ ଅଏଲ୍ ଦ୍ୱାରା ନିର୍ମିତ ପାରାଦୀପ ରିଫାଇନରି ପ୍ରକଳ୍ପରେ ସର୍ବାଧିକ ୩୪,୫୫୫ କୋଟି ଟଙ୍କା ନିବେଶ ହୋଇଛି । ଏହାପଛକୁ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ହୀରାକୁଦଠାରେ ଆଲୁମିନା ଓ ଆଲୁମିନିୟମ ଶିଳ୍ପ ପାଇଁ ୨୯,୪୧୪ କୋଟି ଟଙ୍କା ନିବେଶ କରିଥିବା ବେଳେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଅନୁଗୁଳଠାରେ ଇସ୍ପାତ କାରଖାନା ପାଇଁ ୨୨,୪୨୦ କୋଟି, ଢେଙ୍କାନାଳରେ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଭୂଷଣ ଷ୍ଟିଲ ୨୦,୮୦୪ କୋଟି ନିବେଶ କରିଛି । ସେହିଭଳି ଟାଟା ଷ୍ଟିଲ୍ ଯାଜପୁର ଡୁବୁରୀଠାରେ ଇସ୍ପାତ ପ୍ଲାଣ୍ଟ ପାଇଁ ୧୫,୪୦୦ କୋଟି ଓ ଏସାର ଷ୍ଟିଲ୍ ପାରାଦୀପଠାରେ ଇସ୍ପାତ ପ୍ଲାଣ୍ଟ ସ୍ଥାପନ ପାଇଁ ୧୦,୭୨୪ କୋଟି ଟଙ୍କା ନିବେଶ କରିଛି ।
ସେହିପରି ଶିଳ୍ପମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଶିଳ୍ପନୀତି-୨୦୧୫ ଅନୁଯାୟୀ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଜିଲ୍ଲାକୁ ଶିଳ୍ପ ଅନଗ୍ରସର ଓ ପଛୁଆ ଜିଲ୍ଲା ଭାବେ ପରିଗଣିତ କରାଯାଉଛି ।


Comments are closed, but trackbacks and pingbacks are open.