ଆସନା,(ବି.ବି.ନୁ୍ୟଜ୍): ୧୦ ବର୍ଷ ହେଲା ମାଡିÿ ବସିଛି ଅଜଣା ରୋଗ । ଗଣି ହୋଇଯାଉଛି ଦେହର ପଞ୍ଜରା ହାଡ଼ । ଆଗରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷଟିଏ ଏବେ ପାଲଟିଯାଇଛନ୍ତି ମୁକ । ଦୀର୍ଘ ୧୦ ବର୍ଷ ହେଲା ଆଉ କଥା କହି ପାରୁନାହାନ୍ତି । ୪ ହାତର ଖଟିଆ ଉପରେ ବିତୁଛି ଦିନରାତି । ଉଠିବାକୁ ଦେହରେ ଯୁ ନାହିଁ । ଏଭଳି ସ୍ଥିତିରେ ହାତ ଧରିଥିବା ଜୀବନ ସାଥୀ ଘର ଛାଡିÿ ଚାଲିଯାଇଛନ୍ତି । ଏଣେ ଦାରିଦ୍ର୍ୟର କଷାଘାତରେ କଷଟି ହେଉଥିବା ପୁଅବୋହୂ ତାଙ୍କୁ ନେଇ ପାରିନାହାନ୍ତି କୌଣସି ବଡ଼ ଡାକ୍ତରଖାନା । ରୋଗ ଭଲ ହେବା ବଦଳରେ ବଢିବାରେ ଲାଗିଛି । ଦିନକୁ ଦିନ ନିସ୍ତେଜ ହେବାରେ ଲାଗିଛି ପୂରା ଶରୀର । ଏଭଳି ଯନ୍ତ୍ରଣା ଭୋଗୁଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଫୁଲଭଟ୍ଟ ପଞ୍ଚାୟତ ଅନ୍ତର୍ଗତ ପଢେଇକୁଣ୍ଡ ଗାଁର ଡମଣା ଖିଲ(୬୫) ।
ଗ୍ରାମବାସୀଙ୍କ କହିବାନୁଯାୟୀ, ୧୦ ବର୍ଷ ତଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଡମଣା । କଥା କହୁଥିଲେ, କାମଧନ୍ଦା କରି ପରିବାର ଚଳାଉଥିଲେ । ହଠାତ୍ ମୁକ ପାଲଟିଗଲେ । ତଥାପି କାମଧନ୍ଦା କରି ରୋଜଗାର କରୁଥିଲେ । ଏମିତିରେ ୫ ବର୍ଷ ଚାଲିଲା । ତା’ପରେ ହଠାତ୍ ଦୁର୍ବଳ ହୋଇଗଲା ଶରୀର । ଆଉ ଚଲାବୁଲା କରିପାରିଲେ ନାହିଁ ଡମଣା । ନିଜ ହାତରେ ଭାତ ମୁଠାଏ ବି ଖାଇପାରିଲେ ନାହିଁ । ପୁଅବୋହୂ କିମ୍ବା ନାତୁଣୀ ଖୁଆଇ ଦେଲେ ବହୁ କଷ୍ଟରେ ପେଟକୁ ଯାଉଛି ଦାନା ମୁଠାଏ । କି ରୋଗ ମାଡି ବସିଛି କେଜାଣି, ଆଉ ଭଲ ହେବାର ନା ନେଉନି । ଆଖପାଖ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଇଥିଲା । କିନ୍ତୁ ବଡ ମେଡିକାଲ୍ ନେବା ଲାଗି ପରାମର୍ଶ ଦେଇଥିଲେ ଡାକ୍ତର । ପାଖରେ ଅର୍ଥ ନଥିବାରୁ ଘରୁ ଗୋଡ଼ କାଢିପାରୁନାହାନ୍ତି ଡମଣାଙ୍କ ପୁଅ । ରାତି ପାହିଲେ ଡମଣାଙ୍କ ପୁଅବୋହୂ ଦିନ ମଜୁରୀ କଲେ ଚୁଲି ଜଳୁଛି । ଏଭଳି ସ୍ଥିତିରେ କଟକ କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲ୍ ନେବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନାହିଁ ।
ଆଜି ପର୍ଯ୍ୟନ୍ତ ପ୍ରଶାସନିକ କଳ ପହଞ୍ଚିପାରିନି ଡମଣାଙ୍କ ପାଖରେ । ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ଭିନ୍ନକ୍ଷମ ଭତ୍ତା । କେବଳ ପରିବାରକୁ ମିଳୁଛି ୨୫ କେଜି ଚାଉଳ । ଜମିବାଡି କିଛି ନଥିବାରୁ ରୋଗଶଯ୍ୟାରେ ପଡିରହି ଯନ୍ତ୍ରଣା ଜର୍ଜରିତ ଜୀବନ ଜିଉଁଛନ୍ତି ଡମଣା । ଯେଉଁଠି ଶୋଇଛନ୍ତି, ସେଠାରେ ହୋଇଯାଉଛି ଝାଡା ପରିସ୍ରା । ଏହାକୁ ନେଇ ଗାଁର ଧନୁର୍ଜୟ ଗୋଲରୀ, ଦାଶୁରୁ ଖିଲ, ସମ୍ବା ଗୋଲରୀ ଓ ତୁରୁଞ୍ଜ ସାନ୍ତା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି । ସେମାନେ ନିବେଦନ କରିଛନ୍ତି ଯେ, ଅଭାବ ଅନଟନରେ ବୁଡି ରହିଥିବା ଏହି ପରିବାର ପାଖରେ ପ୍ରଶାସନ ପହଞ୍ଚିବା ଦରକାର । ରୋଗଶଯ୍ୟାରେ ପଡ଼ିଥିବା ଡମଣାଙ୍କୁ କୌଣସି ଏକ ମେଡିକାଲ୍କୁ ନେଇ ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ଆବଶ୍ୟକ । ନହେଲେ ଆଉ ଦିନ କେଇଟା ପରେ ଜୀବନ ଯୁଦ୍ଧରେ ହାରିଯିବେ ଡମଣା । ଚିକିତ୍ସା ଅଭାବରୁ ଡମଣାଙ୍କର ଯଦି କିଛି ହୋଇଯାଉଛି, ତା’ହେଲେ ସବୁ ଅପବାଦ ପ୍ରଶାସନକୁ ମୁଣ୍ଡାଇବାକୁ ପଡ଼ିବ । ତା’ ପୂର୍ବରୁ ପ୍ରଶାସନିକ କଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଡମଣାଙ୍କ ଚିକିତ୍ସା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.