ଜୟପୁର,(ବି.ବି.ନ୍ୟୁଜ୍): ଗଞ୍ଜେଇ ଚାଲାଣ ନେଇ ପୁଲିସକୁ ମିଳିଛି ସଫଳତା । ବିଭିନ୍ନ ସ୍ଥାନରେ ଚଢଉବେଳେ ୬ ଆନ୍ତରାଜ୍ୟ ମାଫିଆଙ୍କ ସହ ୧୨ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବିହାରର ୨ ଜଣ ମହିଳା ଥିବା ଜଣାପଡ଼ିଛି । ଏହିସବୁ ମାମଲାରେ ପାଖପାଖି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ ଟି କାର, ଗୋଟିଏ ବାଇକ, ୬ ଟି ମୋବାଇଲ ଫୋନ, ନଗଦ ୧୫ ହଜାର ୩ ଶହ ଟଙ୍କା ଜବତ ହୋଇଛି ।
ମାମଲାଗୁଡ଼ିକରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାର ରାଜ୍ୟ ବୈଶାଳୀ ଜିଲ୍ଲା ରାମପୁର ଅଞ୍ଚଳର ଶଶି କୁମାର(୧୮), ଅଜୟ ରାୟ(୨୮), ନରେଶ ରାୟ(୩୫), ହାଜିପୁର ଅଞ୍ଚଳର କୀରଣ ଦେବୀ(୨୮), ଦେଶରୀ ମାଧୋଲ ଅଞ୍ଚଳର ବେବୀ ଦେବୀ(୨୫) ଏବଂ ଛପରା ଜିଲ୍ଲା ସବଳପୁର ଅଞ୍ଚଳର ସତ୍ୟେନ୍ଦ୍ର କୁମାର(୨୮), କଳାହାଣ୍ଡି ଜିଲ୍ଲା ବଳଦିଆମାଲ ଅଞ୍ଚଳର ଆବିର ଖର୍ସେଲ(୩୦), ଜଗବନ୍ଧୁ ମେହେରା(୩୪), ଘାସିରାମ ବେହେରା(୪୧), ମାଛକୁଣ୍ଡ ଥାନା ସୁରୁମିର ଗୋପୀନାଥ ନିରିକି(୨୫), ତାପୁଗୁଣ୍ଡାର ରାଜୁ ମୁଦୁଲି(୧୯) ଓ ଅର୍ଜୁନ ମୁଦୁଲି(୧୯) ଥିବା ଜଣାପଡିଛି । ଏମାନଙ୍କ ପାଖରୁ ମୋଟ ୧ କୁଇଣ୍ଟାଲ୮୭ କେଜି ଗଞ୍ଜେଇ ଜବତ ହୋଇଛି । ମଙ୍ଗଳବାର ସମ୍ବାଦିକ ସମ୍ମିଳନୀରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂ ଏହି ସୂଚନା ଦେବା ସହ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବା କହିଛନ୍ତି ।
ସୂଚନା ଅନୁସାରେ, ସୋମବାର ଏକ ବୋଲେରୋ(ଡବ୍ଲୁବି ୦୨ ଜେଡ୍-୫୪୯୬) ଏବଂ ଅନ୍ୟ ଏକ ସୁମୋ କାର(ଓଡି ୦୨ବି-୬୭୨୩)ରେ ଜୟପୁର ଦେଇ ବୈପାରିଗୁଡା ରାସ୍ତାରେ ଯାଇଥିଲା । ଗାଡି ଦୁଇଟି ଫେରିବା ବେଳେ ଏଥିରେ ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ପୁଲିସକୁ ସୂଚନା ମିଳିଥିଲା । ଅପରାହ୍ଣ ସାଢେ ୪ ଟାରେ ସଦର ଥାନା ଓଆଇସି ଧୀରେନ କୁମାର ବେହେରା, ଏସ୍ଆଇ ମୁକୁନ୍ଦଦେବ ନାୟକ, ସୀମା ପ୍ରଧାନ, ଏଏସ୍ଆଇ ଲିମାଇ ଚରଣ ପଣ୍ଡା, ଗଣେଶ ପ୍ରସାଦ ବେହେରା ପ୍ରମୁଖଙ୍କ ସହ ଥାନା କର୍ମଚାରୀ ବ୍ରାହ୍ମଣୀଗାଁ ଛକ ନିକଟରେ ଗାଡ଼ି ଦୁଇଟିକୁ ଅଟକାଇ ଥିଲେ । ଗାଡ଼ିରେ ଅଭିଯୁକ୍ତ ଶଶି, ସତ୍ୟେନ୍ଦ୍ର, ଅଜୟ, ନରେଶ, କୀରଣ ଦେବୀ ଏବଂ ବେବୀ ଦେବୀ ବସିଥିଲେ । ତନଖି ପରେ ସେଥିରେ ଗଞ୍ଜେଇ ଥିବା ଜଣା ପଡ଼ିିଥିଲା । ମାଛକୁଣ୍ଡ ଅଞ୍ଚଳରୁ ଏହି ଗଞ୍ଜେଇ ସେମାନେ ବିହାର ନେଉଥିବା ମାନିଥିଲେ । ପାଞ୍ଚଟି ଜରି ବ୍ୟାଗରେ ୧୧୦ କେଜି ଗଞ୍ଜେଇ ଥିବା ଓଜନରୁ ଜଣାପଡ଼ିଥିଲା । ଏମାନଙ୍କ ପାଖରୁ ୫ଟି ମୋବାଇଲ ଫୋନ୍, ନଗଦ ୧୫ ହଜାର ୩ ଶହ ଟଙ୍କା ଜବତ କରାଯାଇଥିଲା ।
ଅନ୍ୟ ଏକ ମାମଲାରେ ଟାଉନ ଥାନା ପୁଲିସ ଗଞ୍ଜେଇ ଚାଲାଣରେ ସାମିଲ ୪ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ସକାଳ ସାଢେ ୧୧ଟା ବେଳେ ଏସ୍ଆଇ ସୀମା ସଙ୍ଗୀତା ଲୁଗୁନ ଅନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ଗ୍ଲୋକାଲ ହସପିଟାଲ ଛକରେ ପାଟ୍ରୋଲିଂ କରୁଥିଲେ । ଏକ କାର(ଓଡି ୦୮ ଏଫ-୫୨୨୯) ଦ୍ରୁତ ଗତିରେ ବୈପାରିଗୁଡା ପଟରୁ ଜୟପୁର ଆସୁଥିଲା । ପୁଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲା । ଗାଡ଼ିି ଭିତରେ ଗଞ୍ଜେଇ ଥିବା ଯାଞ୍ଚ ବେଳେ ଜଣାପଡିଥିଲା । ଅଭିଯୁକ୍ତ ଗୋପୀନାଥ, ଆବିର, ଜଗବନ୍ଧୁ ଏବଂ ଘାସୀରାମ ଏଥିରେ ବସିଥିଲେ । ସେମାନେ ଗଞ୍ଜେଇ ଆନ୍ଧ୍ରରୁ କଳାହାଣ୍ଡି ନେଉଥିବା ସ୍ୱୀକାର କରିଥିଲେ । ଚଢ଼ଉ ବେଳେ ଏମାନଙ୍କଠାରୁ ୪ଟି ମୋବାଇଲ ଫୋନ ସହ ୨ଟି ଜରି ବ୍ୟାଗରେ ଥିବା ୫୫ କେଜି ଗଞ୍ଜେଇ ଜବତ ହୋଇଥିଲା ।
ସେହିପରି ବୈପାରିଗୁଡା ପୁଲିସ ପକ୍ଷରୁ କୋଟାଛକ ପାଖରେ ପାଟ୍ରୋଲିଂ ଚାଲିଥିବା ବେଳେ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୨ କେଜି ଗଞ୍ଜେଇ ସହ ୨ଟି ମୋବାଇଲ ଫୋନ୍ ଜବତ କରିଛି । ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ତାପୁଗୁଣ୍ଡାର ରାଜୁ ଏବଂ ଅର୍ଜୁନ ଏକ ବାଇକ(ଓଆର ୦୨ ଏଡି-୩୭୭୬)ରେ ଗୋଟିଏ ପ୍ୟାକେଟ ଗଞ୍ଜେଇ ଧରି ଆସୁଥିଲେ । ପୁଲିସ ଭ୍ୟାନ ଦେଖି ସେମାନେ ପୁଣି ଥରେ ଲମତାପୁଟ ରାସ୍ତାରେ ଫେରିଯାଉଥିଲେ । ପୁଲିସ ପିଛା କରି ଘାଟି ଉପରେ ଥିବା ଠାକୁରାଣୀ ମନ୍ଦିର ପାଖେ ସେମାନଙ୍କୁ ଧରିଥିଲା । ପଚରାଉଚରା ବେଳେ ସେମାନେ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ କୋଟପାଡକୁ ଚାଲାଣ କରୁଥିବା ମାନିଥିଲେ । ସମସ୍ତ ୧୨ ଜଣକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଥିବା ବେଳେ କୋର୍ଟ ଚାଲାଣ କରାଯିବ ବୋଲି ଏସପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସ୍ଡିପିଓ ସାଗରିକା ନାଥ, ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି, ସଦର ଓଆଇସି ଧୀରେନ କୁମାର ବେହେରା, ବୈପାରିଗୁଡା ଓଆଇସି ରମେଶ କୁମାର ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.