୧୧ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକରେ ଏକ ଠିକାସଂସ୍ଥାର ଦୁଇ ସୁପରଭାଇଜରଙ୍କୁ ଅପହରଣ କରାଯିବାର ମାତ୍ର ୬ ଘଣ୍ଟା ଭିତରେ ପୁଲିସ୍କୁ ମିଳିଛି ସଫଳତା । ୧୧ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯାଇଛି । ସେମାନଙ୍କ କବଳରୁ ଉଦ୍ଧାର କରାଯାଇଛି ୨ ସୁପରଭାଇଜରଙ୍କୁ । ଗିରଫ ଡକାୟତମାନେ ହେଲେ ରାୟଗଡ଼ା ସହର ନୂଆସାହିର ଅକ୍ଷୟ ହାଲବା, ସନ୍ତୋଷ ଖରା, ନୂଆପଡ଼ା ଗାଁର ଜୟରାମ ଖୋସଲା, ଗୁମ୍ମା ଗାଁର କର୍ଣ୍ଣ ଡଙ୍ଗରୀ, ରାଣୀଗୁଡ଼ାର ଆଶିକ ଅନସାରୀ, ପିତାମହଲ ଗାଁର ସଜେଶ ଗରଡ଼ିଆ, ଶ୍ରୀରାମନଗରର ରାହୁଲ ନାଏକ, ଅଜୟ ନାଏକ, କଲ୍ୟାଣସିଂହପୁର ଥାନା ଦଣ୍ଡିଆ ସାହିର ଜଗଦୀଶ ବାଘ, ରାୟଗଡ଼ା ସହର ପିଟଲା ସାହିର ସଦ୍ଧାମ ହୁସେନ ଏବଂ ରାୟଗଡ଼ା ବ୍ଲକ ଖମ୍ବେଶୁ ଗାଁର ସଂଗ୍ରାମ କୁମାର ମହାନ୍ତି । ସେମାନଙ୍କ ପାଖରୁ ୫ଟି ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଜଣେ ଠିକାଦାର କାମ କରୁଥିଲେ । ଡକାୟତମାନେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଠିକାଦାର ଜଣଙ୍କ ଟଙ୍କା ଦେଇନଥିଲେ କିମ୍ବା ଡକାୟତମାନଙ୍କ କହିବା ଅନୁସାରେ ନିଜ କାର୍ଯ୍ୟସ୍ଥଳିକୁ ଆସିନଥିଲେ । ସୋମବାର ଠିକାଦାରଙ୍କ ୨ ଜଣ ସୁପରଭାଇଜର ସେନାପତି ନାଏକ ଓ ଜିତେନ୍ଦ୍ର ନାଏକଙ୍କୁ ଅପହରଣ କରି ନେଇଥିଲେ ଡକାୟତମାନେ । ଏ ସଂପର୍କରେ ଠିକାଦାରଙ୍କ ପୁଅ ଭୀମସେନ ନାଏକ କାଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତନାଘନା କରିଥିଲା । କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଦୁଇ ସୁପରଭାଇଜରଙ୍କୁ ଉଦ୍ଧାର କରିଥିଲା । ଏଥିସହ ମାମଲାରେ ଜଡିତ ୧୧ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିଲା । ବୁଡ଼ାଗୁଡ଼ା ଗାଁ ନିକଟରୁ ୪ ଜଣ, ଶିକରପାଇ ଗାଁ ପାଖରୁ ୭ ଜଣ ଧରା ପଡିଥିଲେ । ଏହି ମାମଲାରେ ଆଉ କେତେଜଣ ସାମିଲ ଥିବା ଓ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା ଖବର ମିଳିଛି । ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଏସ୍ପି ଡ. ଶର୍ବଣା ବିବେକ.ଏମ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons